ସୂର୍ଯ୍ୟମନ୍ଦିର ପରିସରରେ ଜିପିଆରଏସ୍ ସର୍ଭେ, ମାଟିତଳେ ପୋତିହୋଇଥିଵା ଐତିହ୍ୟର ମିଳିବ ସନ୍ଧାନ
କୋଣାର୍କ : ସୋମବାର ରାଷ୍ଟ୍ରୀୟ ଭୂ-ଭୌତିକୀୟ ଅନୁସନ୍ଧାନ ସଂସ୍ଥାନ(ଏନଜିଆରଆଇ), ହାଇଦରାଵାଦ ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ଗ୍ରାଉଣ୍ଡ ପେନେଟ୍ରେଟିଙ୍ଗ ରାଡାର ସର୍ଭେ(ଜିପିଆରଏସ୍) ଆରମ୍ଭ ହୋଇଛି। ଏନଜିଆରଆଇର ସାଇଣ୍ଟିଷ୍ଟ ଏ.କେ. ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିନିଜଣିଆ ଟିମ୍ ସୂର୍ଯ୍ୟମନ୍ଦିରର ଉତ୍ତର-ପୂର୍ଵ କୋଣରେ ୧୫ଫୁଟ୍ ଗଭୀର ଭୂଗର୍ଭ ପର୍ଯ୍ୟନ୍ତ ଆଜି ଏହି ସର୍ଭେ କରିଛନ୍ତି। ମନ୍ଦିରର ମୂଳ ନିର୍ମାଣଠାରୁ ୧୦୦ଫୁଟ୍ ବ୍ୟାସାର୍ଦ୍ଧରେ ଚତୁଃପାର୍ଶ୍ଵ ଅଞ୍ଚଳରେ ସର୍ଭେ କରାଯିବ। ସୂର୍ଯ୍ୟମନ୍ଦିର ଏକ ନଦୀ ମୁହାଣର ବାଲୁକା ଶଯ୍ୟାରେ ନିର୍ମାଣ କରାଯାଇଥିବା […]

କୋଣାର୍କ : ସୋମବାର ରାଷ୍ଟ୍ରୀୟ ଭୂ-ଭୌତିକୀୟ ଅନୁସନ୍ଧାନ ସଂସ୍ଥାନ(ଏନଜିଆରଆଇ), ହାଇଦରାଵାଦ ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ଗ୍ରାଉଣ୍ଡ ପେନେଟ୍ରେଟିଙ୍ଗ ରାଡାର ସର୍ଭେ(ଜିପିଆରଏସ୍) ଆରମ୍ଭ ହୋଇଛି। ଏନଜିଆରଆଇର ସାଇଣ୍ଟିଷ୍ଟ ଏ.କେ. ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିନିଜଣିଆ ଟିମ୍ ସୂର୍ଯ୍ୟମନ୍ଦିରର ଉତ୍ତର-ପୂର୍ଵ କୋଣରେ ୧୫ଫୁଟ୍ ଗଭୀର ଭୂଗର୍ଭ ପର୍ଯ୍ୟନ୍ତ ଆଜି ଏହି ସର୍ଭେ କରିଛନ୍ତି। ମନ୍ଦିରର ମୂଳ ନିର୍ମାଣଠାରୁ ୧୦୦ଫୁଟ୍ ବ୍ୟାସାର୍ଦ୍ଧରେ ଚତୁଃପାର୍ଶ୍ଵ ଅଞ୍ଚଳରେ ସର୍ଭେ କରାଯିବ।
ସୂର୍ଯ୍ୟମନ୍ଦିର ଏକ ନଦୀ ମୁହାଣର ବାଲୁକା ଶଯ୍ୟାରେ ନିର୍ମାଣ କରାଯାଇଥିବା ଇତିହାସ କୁହେ। ଶହ ଶହ ବର୍ଷଧରି ଵହୁ ପ୍ରାକୃତିକ ଵିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଏହି ଵିଶାଳକାୟ ମନ୍ଦିରର ଚାରିପଟେ ଅନେକ ନିର୍ମାଣ ପୋତିହୋଇ ରହିଥିଵା ଅନୁମାନ କରାଯାଉଛି। ବିଭିନ୍ନ ଗବେଷକ ତଥା ଐତିହାସିକଙ୍କ ମତ ଆଧାରରେ ମଧ୍ୟଯୁଗୀୟ ଓଡ଼ିଶା ଇତିହାସରେ ଉପଲବ୍ଧ ସୂଚନା ଅନୁଯାୟୀ ସୂର୍ଯ୍ୟମନ୍ଦିର ବେଢ଼ା ପରିସର ଓ ଏହାର ଚତୁଃପାର୍ଶ୍ଵରେ ପାର୍ଶ୍ୱ ଦେଵାଦେଵୀଙ୍କର ଅନେକ ଛୋଟଵଡ ମନ୍ଦିର ଓ ତତ୍ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ନିର୍ମାଣ ମାଟିତଳେ ପୋତିହୋଇ ରହିଛି। ଏହି ସର୍ଭେ ଦ୍ୱାରା ମାଟିତଳେ ପୋତି ହୋଇଯିବା ପ୍ରାଚୀନ ଐତିହ୍ୟର ସଠିକ୍ ସନ୍ଧାନ ମିଳିଲେ ଏଏସ୍ଆଇ ପକ୍ଷରୁ ଏହାର ଖନନ କରାଯାଇ ଅନେକ ଲୁକ୍କାୟିତ ତଥ୍ୟର ଆବିଷ୍କାର କରାଯାଇ ପାରିବ ବୋଲି ଏଏସ୍ଆଇର ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ଵି. ଗଡ଼ନାୟକ ସୂଚନା ଦେଇଛନ୍ତି। ଏହି ଅଵସରରେ ଏଏସ୍ଆଇର ପୁରୀ ସର୍କଲ ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ଏବଂ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଭୂତତ୍ତ୍ୱଵିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ମାନସ ରଞ୍ଜନ ସ୍ୱାଇଁ ଓ ତାଙ୍କର ଛାତ୍ରମାନେ ଏହି ସର୍ଭେ ସଂପର୍କରେ ଵାସ୍ତଵ ଜ୍ଞାନ ଆହରଣ ନିମନ୍ତେ ଏଠାରେ ଉପସ୍ଥିତ ଥିଲେ।