ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଆମର ଦୈନନ୍ଦିନ ତରକାରିରେ ବ୍ୟବହାର କରୁଥିବା ପରିବା ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଏହାର ପତ୍ରରେ ଜୀବନ ରକ୍ଷାକାରୀ ଔଷଧୀୟ ଗୁଣବତ୍ତା ଭରପୂର ହୋଇ ରହିଛି। ଆମ ଭାରତୀୟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଅମୃତଭଣ୍ଡା ପତ୍ର ଓ ଫଳ ସ୍ବାସ୍ଥ୍ୟ ପାଇଁ ବହୁ ଉପଯୋଗୀ ବୋଲି ଉଲ୍ଲେଖ ରହିଛି। ଅମୃତଭଣ୍ଡା ପତ୍ରର ସ୍ବରସରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହାର ପତ୍ରରେ ଭିଟାମିନ୍‌-ଏ, ବି, ସି, […] The post ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା appeared first on Dharitri Odia News.

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଆମର ଦୈନନ୍ଦିନ ତରକାରିରେ ବ୍ୟବହାର କରୁଥିବା ପରିବା ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଏହାର ପତ୍ରରେ ଜୀବନ ରକ୍ଷାକାରୀ ଔଷଧୀୟ ଗୁଣବତ୍ତା ଭରପୂର ହୋଇ ରହିଛି। ଆମ ଭାରତୀୟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଅମୃତଭଣ୍ଡା ପତ୍ର ଓ ଫଳ ସ୍ବାସ୍ଥ୍ୟ ପାଇଁ ବହୁ ଉପଯୋଗୀ ବୋଲି ଉଲ୍ଲେଖ ରହିଛି। ଅମୃତଭଣ୍ଡା ପତ୍ରର ସ୍ବରସରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହାର ପତ୍ରରେ ଭିଟାମିନ୍‌-ଏ, ବି, ସି, ଡି, ଇ ପୋଷକତତ୍ତ୍ୱ, ଖଣିଜପଦାର୍ଥ ଓ କ୍ୟାଲସିୟମ ରହିଛି। ଅମୃତଭଣ୍ଡା ପତ୍ରର ସ୍ବରସ ସେବନ କରିବାର ୨୪ ଘଣ୍ଟା ଭିତରେ, ଶରୀରରେ ଡବ୍ଲ୍ୟୁବିିସି (ଶ୍ୱେତ ରକ୍ତକଣିକା) ଓ ‘ପ୍ଲେଟଲେଟ’ର ମାତ୍ରା ତୁରନ୍ତ ବୃଦ୍ଧି ପାଇଥାଏ। ଏହି ସ୍ବରସ ପ୍ରାୟତଃ ୩-୫ ଦିନ ସେବନ କରିବା ଦ୍ୱାରା ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ। ବୟସ୍କ ଓ ପିଲା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଲେ ଉଭୟେ ଅମୃତଭଣ୍ଡା ପତ୍ର ସ୍ବରସକୁ ଔଷଧ ରୂପେ ସେବନ କରିପାରିବେ। ବର୍ତ୍ତମାନ ଅମୃତଭଣ୍ଡା ପତ୍ର ସ୍ବରସରୁ ବଟିକା ପ୍ରସ୍ତୁତ କରାଯାଇ ଚରକ, ଡାବର, ହିମାଳୟ, ଆଦି ବିଭିନ୍ନ ଔଷଧ କମ୍ପାନୀଙ୍କ ଦ୍ୱାରା ବଜାରରେ ବିକ୍ରି ହେଲାଣି। ଅମୃତଭଣ୍ଡା ପତ୍ର ସ୍ବରସ ସେବନ ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀକୁ ଉପଶମ କରିବା ସହ କର୍କଟ, ସ୍ତନ କର୍କଟ, ହୃଦ୍‌ରୋଗ, ମଧୁମେହ ରୋଗୀଙ୍କ ପାଇଁ ଅନେକାଂଶରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ଶରୀରରେ ଇନ୍‌ସୁଲିନ୍‌ର ମାତ୍ରାକୁ କେତେକାଂଶରେ ସନ୍ତୁଳିତ ରଖିଥାଏ। ଥଣ୍ଡା କାଶରୁ ଏହା ଉପଶମ ଦେବା ସହ ଉଚ୍ଚ ରକ୍ତ ଚାପକୁ ସନ୍ତୁଳିତ ରଖିଥାଏ। ଏହାର ପତ୍ରକୁ ଶୁଖାଇ ଉଷୁମ ପାଣିରେ ବାଟି ପେଷ୍ଟ କରି ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଅମୃତଭଣ୍ଡା ପତ୍ରର ସ୍ବରସ ଟିକେ କଡ଼ା, କିନ୍ତୁ ଆମ ସ୍ବାସ୍ଥ୍ୟ ପାଇଁ ଏହା ଅନେକାଂଶରେ ଉପକାରୀ। ଏହା ଶରୀରରେ ଓଜନ ହ୍ରାସ କରାଇଥାଏ। ମେଦବହୁଳତା ସମସ୍ୟା ସହ ଜଡ଼ିତ ବ୍ୟକ୍ତି ପ୍ରତିଦିନ ଖାଲି ପେଟରେ ଅମୃତଭଣ୍ଡାକୁ ସିଝାଇ ସକାଳୁ ଖାଇପାରନ୍ତି। ଅମୃତଭଣ୍ଡାରେ ଶରୀରରେ ହେଉଥିବା ମାରାତ୍ମକ ରୋଗକୁ ପ୍ରତିରୋଧ କରିବା କ୍ଷମତା ଏଥିରେ ରହିଛି। ପେଟରେ ସୃଷ୍ଟି ହେଉଥିବା ଅମ୍ଳକୁ ହ୍ରାସ କରାଇବା, ପେଟ ସଫା ରଖିବା, ହଜମ ପ୍ରକ୍ରିୟାକୁ କ୍ରିୟାଶୀଳ କରାଇବା ସହ ମଳକଣ୍ଟକ, ଅତ୍ୟଧିକ ରକ୍ତସ୍ରାବକୁ କମାଇବା, ନାରୀମାନଙ୍କ ମାସିକ ଋତୁସ୍ରାବ ଅନିୟମିତତାକୁ ନିୟମିତ କରିବା ସହ ଶରୀରରେ ପୀଡ଼ାକୁ ପ୍ରଶମିତ କରିଥାଏ। ଏହା ପେଟର ଯାବତୀୟ ରୋଗ ଉପଶମ କରିବା ସହ ତ୍ୱଚାକୁ ସତେଜ ରଖିଥାଏ। ଅମୃୃତଭଣ୍ଡାରେ ତନ୍ତୁଜାତୀୟ ପଦାର୍ଥ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ତରକାରି କରି ଖିଆଯାଇଥାଏ। ପାଚିଲା ଅମୃତଭଣ୍ଡା ସୁସ୍ବାଦୁ ଏବଂ ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ବହୁମାତ୍ରାରେ ଜୀବନୀ ଶକ୍ତି ରହିଛି। ଅମୃତଭଣ୍ଡାକୁ
କଞ୍ଚା ଓ ପାଚିଲାରେ ବହୁ ମାତ୍ରାରେ ଖାଦ୍ୟ ଭାବେ ଖାଇବା ନିତାନ୍ତ ଜରୁରୀ। ଏପରି ସ୍ବାସ୍ଥ୍ୟୋପଯୋଗୀ ଅମୃତଭଣ୍ଡାକୁ ଆମେ ନିଜ ନିଜର ବାଡ଼ିବଗିଚାରେ ଲଗାଇବା ଉଚିତ, ଯଦ୍ଦ୍ବାରା ଆମେ କିଛି ମୁକ୍ତ ଅମ୍ଳଜାନ ପାଇବା ସହ ସହଜରେ ଏହି ଫଳ ପାଇପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭

The post ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା appeared first on Dharitri Odia News.