ହଜାରେ ଟଙ୍କା ଦେଉଛି କିଏ? କେନ୍ଦ୍ର ନା ରାଜ୍ୟ; ଦ୍ୱନ୍ଦ୍ୱରେ ବଢ଼ାଇଲା ରସିଦ୍‌

କୁଶଙ୍ଗ ପଞ୍ଚାୟତର ଯୋଗାଣ ସହାୟକ ବିବେକନନ୍ଦ ପଟେଲଙ୍କ କହିବା ଅନୁସାରେ ଆଗରୁ ପିଓଏସ୍‌ ମେସିନରୁ ବାହାରୁଥିବା ରସିଦରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲେଖାଯାଇଥିଲା।

ହଜାରେ ଟଙ୍କା ଦେଉଛି କିଏ? କେନ୍ଦ୍ର ନା ରାଜ୍ୟ; ଦ୍ୱନ୍ଦ୍ୱରେ ବଢ଼ାଇଲା ରସିଦ୍‌

ରାସନ୍‌କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଦେଉଛି କିଏ? କେନ୍ଦ୍ର ସରକାର ନା ରାଜ୍ୟ ସରକାର। ଟଙ୍କା ବଣ୍ଟନ ବେଳେ ଦିଆଯାଉଥିବା ରସିଦ୍‌କୁ ନେଇ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବଲାଙ୍ଗିର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ।

ଲୋଇସିଂହା ବ୍ଲକ୍‌ କୁଶଙ୍ଗ ପଞ୍ଚାୟତରେ ରାସନ୍‌କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ବଣ୍ଟନ କରାଯାଇଥିଲା। ଟଙ୍କା ସହିତ ଦିଆଯାଇଥିବା ରସିଦ୍‌କୁ ନେଇ ଏବେ ଜୋରଦାର ଚର୍ଚ୍ଚା। ରାସନକାର୍ଡ଼ ହିତାଧିକାରୀଙ୍କୁ ଦିଆଯାଇଥିବା ରସିଦ୍‌ ଉପରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଲେଖାଯାଇଛି। ତା’ ତଳେ ଲେଖାଯାଇଛି ହଜାରେ ଟଙ୍କା। ସେହି ରସିଦରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ରାସନ୍‌କାର୍ଡଧାରୀଙ୍କୁ ହଜାରେ ଟଙ୍କା ଦିଆଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଟଙ୍କା ଦେଉଛି କିଏ? ରାଜ୍ୟ ନା କେନ୍ଦ୍ର?

ତେବେ କୁଶଙ୍ଗ ପଞ୍ଚାୟତର ଯୋଗାଣ ସହାୟକ ବିବେକନନ୍ଦ ପଟେଲଙ୍କ କହିବା ଅନୁସାରେ ଆଗରୁ ପିଓଏସ୍‌ ମେସିନରୁ ବାହାରୁଥିବା ରସିଦରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲେଖାଯାଇଥିଲା। କିନ୍ତୁ ଏବେ ରାଜ୍ୟ ସରକାର ପିଓଏସ୍‌ ମେସିନରେ ଡାଟା ବଦଳାଇ ଦିଆଯାଇଛି। ହଜାରେ ଟଙ୍କା ଦେଲେ ରାଜ୍ୟ ସରକାରଙ୍କ ଯୋଜନା ଲେଖା ବାହାରୁଛି ବୋଲି ଶ୍ରୀ ପଟେଲ୍‌ କହିଛନ୍ତି।

ଇଏତ ଗଲା କୁଶଙ୍ଗ ପଞ୍ଚାୟତର ଅବସ୍ଥା। ସଇଁତଳା ବ୍ଲକ ଡେଙ୍ଗ ପଂଚାୟତରୁ ଆସିଛି ଆହୁରି ସାଙ୍ଘାତି ଚିତ୍ର। ଏଠାରେ ରାସନକାର୍ଡ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯାଉଥିବା ସମୟରେ ଦିଆଯାଉନଥିଲା ରସିଦ୍‌। ପ୍ରିଣ୍ଟର ମେସିନ ଖରାପ ଥିବାରୁ ରସିଦ ଦିଆଯାଉନଥିବା କହିଛନ୍ତି ଯୋଗାଣ ସହାୟକ। ଜାଣି ଶୁଣି ରସିଦ ଦିଆଯାଉନଥିବା ଅନୁମାନ କରାଯାଉଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର