ହର୍ଷ ଭୋଗଲେ ଓ ସାଇମନ ଡୁଲଙ୍କୁ ବ୍ୟାନ କରିବ କି ବିସିସିଆଇ?

ଘରୋଇ ଟିମ ବଦଳରେ କ୍ୟୁରଟର୍ସ ପ୍ରତିପକ୍ଷ ଟିମକୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ କରୁଥିବା ସେମାନେ କହିଥିଲେ।

ହର୍ଷ ଭୋଗଲେ ଓ ସାଇମନ ଡୁଲଙ୍କୁ ବ୍ୟାନ କରିବ କି ବିସିସିଆଇ?

ଚଳିତ ଆଇପିଏଲରେ କ୍ୟୁରେଟର୍ସ ବନାମ ପ୍ରାଞ୍ଚାଇଜ ନୂଆ ଘଟଣା ନୁହେଁ। କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ, ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କୋଚ ଷ୍ଟେଫେନ ଫ୍ଲେମିଂ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସର ବୋଲିଂ କୋଚ ଜହିର ଖାନ ଘରୋଇ ପିଚ୍‌କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଘରୋଇ ଟିମ ବଦଳରେ କ୍ୟୁରଟର୍ସ ପ୍ରତିପକ୍ଷ ଟିମକୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ କରୁଥିବା ସେମାନେ କହିଥିଲେ।

କୋଚ, କ୍ୟାପ୍ଟେନ ଓ ପ୍ରାଞ୍ଚାଇଜଙ୍କ ମତ ହେଲା ଆଇପିଏଲର ବିସ୍ଫୋରକ ବ୍ୟାଟିଂ ଟିମ ବିପକ୍ଷରେ ଘରୋଇ ପିଚ୍‌କୁ ଧିମା ଟର୍ଣ୍ଣିଂ ଟ୍ରାକ କରିବା। ଘରୋଇ ପ୍ରାଞ୍ଚାଇଜ ଏପରି ପିଚ୍‌ କ୍ୟୁରେଟର୍ସଙ୍କ ଠାରୁ ଚାହୁଁଥିବା ବେଳେ ସେମାନେ ଅଲଗା କିଛି କରୁଛନ୍ତି। ଏଥିପାଇଁ ପୂର୍ବରୁ ଜହିର ଖାନ, ଫ୍ଳେମିଂ ଓ ରାହାଣେ ଘରୋଇ ପିଚ କ୍ୟୁରେଟର୍ସଙ୍କ ସମାଲୋଚନା କରିଥିଲେ।

ଏହି ଅଭିଯୋଗ ଓ ବିବାଦ ମଧ୍ୟରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(ସିଏବି) ବଡ଼ ପଦକ୍ଷେପ ନେଇଛି। ରାଜ୍ୟ କ୍ରିକେଟ ବୋର୍ଡ ପକ୍ଷରୁ ବିସିସିଆଇକୁ ଚିଠି ଲେଖାଯାଇଛି। ଚିଠିରେ ସୁବିଖ୍ୟାତ ଭାଷ୍ୟକାର ହର୍ଷ ଭୋଗଲେ ଓ ସାଇମନ ଡୁଲଙ୍କ ଉପରେ ବ୍ୟାନ ଲଗାଇବାକୁ ସିଏବି ଅନୁରୋଧ କରିଛନ୍ତି। କୋଲାକତା ନାଇଟ ରାଇଡର୍ସ ବା କେକେଆରକୁ ପିଚ୍‌ ତିଆରି ବେଳେ ଇଡେନ ଗାର୍ଡେନ୍ସ କ୍ୟୁରୋଟର ସହଯୋଗ କରୁ ନାହାନ୍ତି। ତେଣୁ କେକେଆର କୋଲକାତା ବଦଳରେ ଆଉ କେଉଁ ସହରକୁ ନିଜ ହୋମ ପିଚ୍‌ ଭାବେ ବ୍ୟବହାର କରିବା ଦରକାର ବୋଲି ହର୍ଷ ଓ ସାଇମନ ପ୍ରସ୍ତାବ ଦେଇଥିଲେ। ଉଭୟ ଭାଷ୍ୟକାରଙ୍କ ଏପରି ବୟାନ ସିଏବିକୁ ବାଧିଛି। ତେଣୁ ଉଭୟ ଯେମିତି ଇଡେନରେ କମେଣ୍ଟ୍ରୀ କରିପାରିବେ ନାହିଁ, ତା’ର ବ୍ୟବସ୍ଥା କରିବାକୁ ସିଏବି ପକ୍ଷରୁ ବିସିସିଆଇକୁ କୁହାଯାଇଛି।

ରିପୋର୍ଟ ଅନୁସାରେ ସିଏବି ବେଶ କଠୋର ଭାଷାରେ ବିସିସିଆଇକୁ ଚିଠି ଲେଖି ହର୍ଷ ଭୋଗଲେ ଓ ସାଇମନ ଡୁଲଙ୍କୁ ବ୍ୟାନ କରିବାକୁ କହିଛି। ଏମାନେ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଆଇପିଏଲ ମ୍ୟାଚ୍‌ଗୁଡ଼ିକରେ ଯେମିତି ଭାଷ୍ୟକାର ସାଜିବେ ନାହିଁ, ତା’ର ବ୍ୟବସ୍ଥା କରିବାକୁ ସିଏବି କହିଛି।

କ୍ରିକ ବଜକୁ ଡୁଲ ନିକଟରେ କହିଥିଲେ ଯେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଆଇପିଏଲ ପ୍ରାଞ୍ଚାଇଜକୁ ଯଦି ଇଡେନ ଗାର୍ଡେନ୍ସର କ୍ୟୁରୋଟର ସହାୟତା କରିବେ ନାହିଁ, ତା’ହଲେ ସେମାନେ ନିଜର ନୂଆ ଘରୋଇ ପିଚ୍‌ ବାଛିବା ଦରକାର। ସେ କହିଥିଲେ, “ମୋର କହିବାର ଅର୍ଥ ସେମାନେ ଷ୍ଟାଡିୟମ ଫି’ ଦେଉଛନ୍ତି। ଆଇପିଏଲ ପାଇଁ ସବୁ ଖର୍ଚ୍ଚ କରୁଛନ୍ତି। ତଥାପି ଯଦି କ୍ୟୁରୋଟର ହୋମ ଟିମର ଆବଶ୍ୟକତା ପୂରଣ ନ କରିବେ, ତା’ହେଲେ ସେମାନେ ଆଉ ଏକ ସହରକୁ ନିଜ ହୋମ ଗ୍ରାଉଣ୍ଡ ଭାବେ ବାଛିବା ଦରକାର। କ୍ୟୁରୋଟରଙ୍କ କମ ଖେଳ ଉପରେ ନିଜର ମତାମତ ପାସ କରିବା ନୁହେଁ, ମତାମତ ଦେବାକୁ ପ୍ରାଞ୍ଚାଇଜ ସେମାନଙ୍କୁ ଟଙ୍କା ଦେଉ ନାହିଁ।”

ହର୍ଷ ଭୋଗଲେ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, “ଯଦି କୌଣସି ଟିମ ନିଜ ହୋମ ଗ୍ରାଉଣ୍ଡରେ ଖେଳୁଛି, ତା’ହେଲେ ପିଚ୍‌ ସେମାନଙ୍କ ବୋଲରଙ୍କୁ ସୁହାଇଲା ଭଳି ହେବା ଦରକାର। କେକେଆର କ୍ୟୁରୋଟର ଦେଇଥିବା ଅଜବ ଉତ୍ତରକୁ ମୁଁ ଦେଖିଛି।” ସିଏବିର କହିବା କଥା ଯେ ଇଡେନର କ୍ୟୁରୋଟର କୌଣସି ଭୁଲ କରି ନାହାନ୍ତି। ସେ କେବଳ ବିସିସିଆଇ ନିୟମକୁ ଅନୁସରଣ କରିଛନ୍ତି। କୌଣସି ପ୍ରାଞ୍ଚାଇଜ୍‌ ନିଜ ଇଚ୍ଛାରେ ପିଚ୍‌ ପ୍ରସ୍ତୁତ କରିବାକୁ କହିପାରିବେ ନାହିଁ ବୋଲି ନିୟମରେ କୁହାଯାଇଛି।

କେକେଆର ଅଧିନାୟକ ରାହାଣେ ନିକଟରେ ଇଡେନ କ୍ୟୁରୋଟରଙ୍କୁ ପିଚକୁ ସ୍ପିନରଙ୍କୁ ସୁହାଇଲା ଭଳି ପ୍ରସ୍ତୁତ କରିବାକୁ କହିଥିଲେ। ହେଲେ କ୍ୟୁରୋଟର ଏଯାଏ ପିଚ୍‌କୁ ପେସ୍‌ ବୋଲରଙ୍କୁ ଅଧିକ ସୁହାଇଲା ଭଳି କରିଛନ୍ତି। ଫଳରେ ମ୍ୟାଚ୍‌ ହାଇସ୍କୋରିଂ ରହୁଛି। ସିଏବିର କହିବା କଥା ଯେ କ୍ୟୁରୋଟର ୱିକେଟ କେମିତି ପ୍ରସ୍ତୁତ ହେବ, ତା’ର ଗାଇଡଲାଇନକୁ ଅନୁସରଣ କରୁଛନ୍ତି। ସିଏବି ଚିଠି ଉପରେ ବିସିସିଆଇ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ରଖି ନାହିଁ।

ଆଇପିଏଲରେ ପିଚ୍‌ର ପ୍ରସ୍ତୁତି କାହା ନିୟନ୍ତ୍ରଣରେ ରହିଥାଏ?

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଗାଇଡଲାଇନରେ କୁହାଯାଇଛି ଯେ ଗ୍ରାଉଣ୍ଡ ଅଧିକାରୀଙ୍କ ପାଖରେ ପିଚ୍‌ ପ୍ରସ୍ତୁତ କରିବାର ସଂପୂର୍ଣ୍ଣ ନିୟନ୍ତ୍ରଣ ବା ଅଧିକାର ରହିଛି। ମ୍ୟାଚ୍‌ ପୂର୍ବରୁ ଗ୍ରାଉଣ୍ଡ ଅଥୋରିଟୀ ପିଚ୍‌ର ଚୟନ ଓ ପ୍ରସ୍ତୁତର ଦାୟିତ୍ୱ ନିର୍ବାହ କରିବେ। ମ୍ୟାଚ୍‌ ବେଳେ ପିଚ୍‌ର ନିୟନ୍ତ୍ରଣ ଓ ଏହାର ରକ୍ଷାଣବେକ୍ଷଣ ଦାୟିତ୍ୱ ଅମ୍ପାୟାରଙ୍କ ପାଖରେ ରହିବ। ଏଠାରେ ଗ୍ରାଉଣ୍ଡ ଅଥୋରିଟୀର ଅର୍ଥ ରାଜ୍ୟ କ୍ରିକେଟ ଆସୋସିଏସନ। ରାଜ୍ୟ କ୍ରିକେଟ ଆସୋସିଏସନର କ୍ୟୁରେଟର ହିଁ ପିଚ୍‌ ପ୍ରସ୍ତୁତ କରିବାର ପୂରା ଅଧିକାର ପାଇଛନ୍ତି ବୋଲି ଗାଇଡଲାଇନରେ କୁହାଯାଇଛି।

ସମାନ କଥା କୋଲାକାତାର ଇଡେନ ଗାର୍ଡେନ୍ସ ପିଚ କ୍ୟୁରେଟର ସୂଜନ ମୁଖାର୍ଜୀ କହିଥିଲେ। ସେ କହିଥିଲେ ଯେ “ ଆଇପିଏଲର ନିୟମ ଅନୁସାରେ ପ୍ରାଞ୍ଚାଇଜ ପିଚ୍‌ ପ୍ରସ୍ତୁତିକୁ ନେଇ କିଛି ବି କହି ପାରିବେ ନାହିଁ। ମୁଁ ଇଡେନର କ୍ୟୁରେଟର ଦାୟିତ୍ୱ ପାଇବା ଦିନ ଠାରୁ ପିଚ୍‌ଗୁଡ଼ିକ ସବୁବେଳେ ସମାନ ଢଙ୍ଗରେ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ପିଚ୍‌ ଯାହା ଥିଲା, ଏବେ ବି ସେଇଆ ଅଛି ଓ ଭବିଷ୍ୟତରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।”

ଗୋଟିଏ ବାକ୍ୟରେ କହିବାକୁ ଗଲେ ପିଚ୍‌ ପ୍ରସ୍ତୁତି ଉପରେ ଆଇପିଏଲ ପ୍ରାଞ୍ଚାଇଜମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ ଓ ସେମାନେ ନିଜ ଇଚ୍ଛା ଅନୁସାରେ ଏହାକୁ ପ୍ରସ୍ତୁତ କରିବାକୁ ଦାବି କରିପାରିବେ ନାହିଁ। ସେମାନେ ଘରୋଇ ପିଚ୍‌ରେ ସୁହାଇବା ଭଳି ଖେଳାଳିଙ୍କୁ ଚୟନ କରିପାରିଲେ ଭଲ।

ପଚ୍‌ କ୍ୟୁରେଟର୍ସମାନଙ୍କୁ ମଧ୍ୟ ଗୋଟିଏ କଥା ମନେ ରଖିବାକୁ ପଡ଼ିବ। ସେମାନଙ୍କ ପାଖରେ ପିଚ୍‌ ବର୍ଷକ ମଧ୍ୟରୁ ୧୦ ମାସ ରହୁଛି। ଆଇପିଏଲ ୨ ମାସ ଅନୁଷ୍ଠିତ ହେଉଛି। ଆଇପିଏଲରେ ସେମାନେ ଘରୋଇ ଟିମର ଚାହିଦା ଅନୁସାରେ ପିଚ୍‌ ପ୍ରସ୍ତୁତ କଲେ ଭଲ। କାରଣ ପ୍ରାଞ୍ଚାଇଜମାନେ ଉକ୍ତ ପିଚ୍‌କୁ ନିଜ ଘର ଭାବେ ବିବେଚନା କରି ଟଙ୍କା ଓ ସମୟ ଦେଉଛନ୍ତି। ପିଚ୍‌ ସେମାନଙ୍କ ଅନୁସାରେ ପ୍ରସ୍ତୁତ ହେଲେ, ଏହା ଘରୋଇ ଟିମକୁ ବେଶ ଲାଭ ଦେବାରେ ସକ୍ଷମ ହେବ।