୨ ଟି ଦୁର୍ଘଟଣାରେ ୧ ମୃତ,୩ ଗୁରୁତର
ଫୁଲବାଣୀ : ଶନିବାର ସକାଳେ ଫୁଲବାଣୀ ଜିଲ୍ଲାରେ ଘଟିଛି ୨ଟି ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ୩ ରୁ ଉର୍ଧ୍ଵ ଆହତ ହୋଇଛନ୍ତି । ଆଜି ସକାଳେ ଫୁଲବାଣୀ ସଦର ଥାନା ଶଙ୍ଖିକଟା ନିକଟରେ ଏକ ଯାତ୍ରୀବାହୀ ବସ୍ ସହିତ ଏକ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି। ଗୁରୁତର ହୋଇଥିବା ୩ ଜଣ […]

ଫୁଲବାଣୀ : ଶନିବାର ସକାଳେ ଫୁଲବାଣୀ ଜିଲ୍ଲାରେ ଘଟିଛି ୨ଟି ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ୩ ରୁ ଉର୍ଧ୍ଵ ଆହତ ହୋଇଛନ୍ତି । ଆଜି ସକାଳେ ଫୁଲବାଣୀ ସଦର ଥାନା ଶଙ୍ଖିକଟା ନିକଟରେ ଏକ ଯାତ୍ରୀବାହୀ ବସ୍ ସହିତ ଏକ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି। ଗୁରୁତର ହୋଇଥିବା ୩ ଜଣ ବସ୍ର ହେଲପର୍ ସିବିର ପ୍ରଧାନ, ବିଗ୍ନେ ବେହେରା ଓ ପ୍ରତିମା ନାୟକ ବୋଲି ଜଣା ପଡ଼ିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ଏଭଳସି ଘଟଣା ଘଟିଛି ।
ଏସ୍କର୍ଟ ନାମକ ଯାତ୍ରୀବାହୀ ବସ୍ ଦାରିଙ୍ଗବାଡିରୁ ଫୁଲବାଣୀ ଆସୁଥିଲା । ଆସିବା ବାଟରେ ସଦର ଥାନା ଅନ୍ତର୍ଗତ ଶଙ୍ଖିକଟା ବୁଲାଣି ନିକଟରେ ଫୁଲବାଣୀରୁ ଫିରିଙ୍ଗିଆ ଆଡକୁ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ବସ୍ର ହେଲପର୍ ସିବିର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛି ସଦର ପୋଲିସ । ଅନ୍ୟ ଦୁଇ ଗୁରୁତର ବିଗ୍ନେ ବେହେରା ଓ ପ୍ରତିମା ନାୟକ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆହତ ମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ପଠାଯାଇଛି ।
ସେହିପରି ଗତ ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ବିଶିପଡା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣକ ସାରଙ୍ଗଡ ଅଞ୍ଚଳର ଗୌରଚନ୍ଦ୍ର ନାୟକ ବୋଲି ଜଣାପଡିଛି। ଗୌରଚନ୍ଦ୍ର ନାୟକ ଶୁକ୍ରବାର କୌଣସି କାମରେ ଫୁଲବାଣୀ ଆସି ରାତିରେ ବାଇକ୍ ଯୋଗେ ସାରଙ୍ଗଡ ଫେରୁଥିଲେ। ଏହି ସମୟରେ ସଦର ଥାନା ବିଶିପଡା ଛକ ନିକଟରେ ବରଗଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଗୌରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ସଦର ଥାନା ଅଧିକାରୀ ପହଞ୍ଚି ଯାତ୍ରୀମାନଙ୍କୁ ଫୁଲବାଣୀ ବସଷ୍ଟାଣ୍ଡରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ଯାତ୍ରୀମାନେ ଅନ୍ୟ ବସ୍ରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ।ତେବେ ପୋଲିସ ବସ୍କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଛି।