୭୫ ବର୍ଷ ପୂର୍ବର ଦୃଷ୍ଟିକୋଣ

କିଛି ଦିନ ପୂର୍ବେ ଆମେ ଜରୁରିକାଳୀନ ପରିସ୍ଥିତିର ୫୦ତମ ବାର୍ଷିକୀ ପାଳନ କରିଥିବାବେଳେ ଭାରତୀୟ ଜନସଂଘର ପ୍ରତିଷ୍ଠା ବାର୍ଷିକୀକୁ ପାସୋରିଗଲୁ। ତେବେ ଜନସଂଘ ଗଠନ ପଛରେ ଅନେକ କାରଣ ରହିଛି। ୫ ମେ ୧୯୫୦ରେ ଏସ୍‌.ପି. ମୁଖାର୍ଜୀ ପାର୍ଟିର ଏଜେଣ୍ଡା ପ୍ରସ୍ତୁତ କରିଥିଲେ ଓ ସେଥିରେ ୮ସୂତ୍ରୀ କାର୍ଯ୍ୟକ୍ରମ ରହିଥିଲା। ସେଗୁଡ଼ିକ ହେଲା, ୧- ଅଖଣ୍ଡ ଭାରତ, ୨- ପାକିସ୍ତାନ ପ୍ରତି ତୁଷ୍ଟୀକରଣ ବଦଳରେ ପାରସ୍ପରିକ ସମ୍ପର୍କ ରକ୍ଷା, ୩- ଏକ ସ୍ବାଧୀନ ବିଦେଶୀ ନୀତି, ୪-ଶରଣାର୍ଥୀ […] The post ୭୫ ବର୍ଷ ପୂର୍ବର ଦୃଷ୍ଟିକୋଣ appeared first on Dharitri Odia News.

୭୫ ବର୍ଷ ପୂର୍ବର ଦୃଷ୍ଟିକୋଣ

କିଛି ଦିନ ପୂର୍ବେ ଆମେ ଜରୁରିକାଳୀନ ପରିସ୍ଥିତିର ୫୦ତମ ବାର୍ଷିକୀ ପାଳନ କରିଥିବାବେଳେ ଭାରତୀୟ ଜନସଂଘର ପ୍ରତିଷ୍ଠା ବାର୍ଷିକୀକୁ ପାସୋରିଗଲୁ। ତେବେ ଜନସଂଘ ଗଠନ ପଛରେ ଅନେକ କାରଣ ରହିଛି। ୫ ମେ ୧୯୫୦ରେ ଏସ୍‌.ପି. ମୁଖାର୍ଜୀ ପାର୍ଟିର ଏଜେଣ୍ଡା ପ୍ରସ୍ତୁତ କରିଥିଲେ ଓ ସେଥିରେ ୮ସୂତ୍ରୀ କାର୍ଯ୍ୟକ୍ରମ ରହିଥିଲା। ସେଗୁଡ଼ିକ ହେଲା, ୧- ଅଖଣ୍ଡ ଭାରତ, ୨- ପାକିସ୍ତାନ ପ୍ରତି ତୁଷ୍ଟୀକରଣ ବଦଳରେ ପାରସ୍ପରିକ ସମ୍ପର୍କ ରକ୍ଷା, ୩- ଏକ ସ୍ବାଧୀନ ବିଦେଶୀ ନୀତି, ୪-ଶରଣାର୍ଥୀ ଥଇଥାନ, ୫- ଶିଳ୍ପର ବିକେନ୍ଦ୍ରୀକରଣ ଓ ସାମଗ୍ରୀ ଉତ୍ପାଦନ ବୃଦ୍ଧି, ୬- ଏକକ ଭାରତୀୟ ସଂସ୍କୃତିର ବିକାଶ, ୭- ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଓ ପଛୁଆବର୍ଗଙ୍କ ବିକାଶ, ୮- ବିହାର ଓ ପଶ୍ଚିମବଙ୍ଗ ସୀମାର ପୁନଃ ବ୍ୟବସ୍ଥାପନ। ମୁଖାର୍ଜୀଙ୍କ ବ୍ୟତୀତ ଜନସଂଘ ଗଠନ ପଛରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ରହିଥିଲା। ଆର୍‌ଏସ୍‌ଏସ୍‌ କାହିଁକି ରାଜନୀତିକୁ ପ୍ରବେଶ କଲା, ତାହାର କାହାଣୀ ରୋଚକପୂର୍ଣ୍ଣ। କିଛି ବର୍ଷ ପୂର୍ବେ ଭାଜପା ପକ୍ଷରୁ ଅଧିକାରୀ ସ୍ତରରେ ପ୍ରକାଶ ପାଇଥିବା ଜନସଂଘର ଇତିହାସକୁ ଦେଖିଲେ ଏହା ବୁଝିହେବ। ଡିସେମ୍ବର ୧୯୪୭ରେ ଦିଲ୍ଲୀରେ ଆରଏସ୍‌ଏସ୍‌ ଦ୍ୱାରା ଆୟୋଜିତ ବିଶାଳ ଜନସମାବେଶ ହିନ୍ଦୁ ରାଜକୁମାର, ବ୍ୟବସାୟୀ ଏବଂ ହିନ୍ଦୁ ସଂଗଠନଗୁଡ଼ିକର ନେତାଙ୍କୁ ଆକର୍ଷିତ କରିଥିଲା। ଆର୍‌ଏସ୍‌ଏସ୍‌ ଅନୁଯାୟୀ, ଏହାର ଲୋକପ୍ରିୟତା କଂଗ୍ରେସ ବିଶେଷକରି ନେହେରୁଙ୍କ ପ୍ରତି ଥିଲା ସତର୍କ ଘଣ୍ଟି। ତେବେ ୩୦ ଜାନୁଆରୀ ୧୯୪୮ରେ ଗାନ୍ଧିଜୀଙ୍କୁ ହତ୍ୟା କରାଯିବାର ୩ ଦିନ ପରେ ଅର୍ଥାତ୍‌ ୨ ଫେବୃଆରୀରେ କଂଗ୍ରେସ ଆର୍‌ଏସ୍‌ଏସ୍‌କୁ ନିଷେଧ କରିବାକୁ ନିଷ୍ପତ୍ତି ନେଲା। ଆର୍‌ଏସ୍‌ଏସ୍‌ ମୁଖ୍ୟ ଗୋଲ୍‌ଓ୍ବାଲକର ଜାଣିଥିଲେ ଯେ, ଗାନ୍ଧିଜୀଙ୍କ ହତ୍ୟା ସମ୍ପର୍କିତ ସବିଶେଷ ରିପୋର୍ଟ ବାହାରିଲେ ଆର୍‌ଏସ୍‌ଏସ୍‌ ସମସ୍ୟାରେ ପଡ଼ିଯିବ। ଏଣୁ ସେ ଗାନ୍ଧିଜୀଙ୍କୁ ହତ୍ୟା କରାଯିବା ଦିନ ହିଁ ଆର୍‌ଏସ୍‌ଏସ୍‌ର ସମସ୍ତ କାର୍ଯ୍ୟକ୍ରମ ୧୩ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ସବୁ ଶାଖାକୁ ଟେଲିଗ୍ରାମ ପଠାଇଥିଲେ। ସେହି ସମାନ ଦିନରେ ସେ ନେହେରୁ, ପଟେଲ ଏବଂ ଦେବଦାସ ଗାନ୍ଧୀଙ୍କ ପାଖକୁ ଟେଲିଗ୍ରାମ କରି ସମବେଦନା ଜଣାଇଥିଲେ। ଏହି ନିଷ୍ଠୁର ତଥା ଘାତକ ଆକ୍ରମଣରେ ସେ ଅତ୍ୟନ୍ତ ମର୍ମାହତ ଓ ଏଥିରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ଦୁଃଖଦ ଅନ୍ତ ଘଟିଲା ବୋଲି କହିଥିଲେ। ତା’ ପରଦିନ ସେ ପୁନର୍ବାର ନେହେରୁଙ୍କ ନିକଟକୁ ଲେଖି ତାଙ୍କର ଦୁଃଖ ଜଣାଇଥିଲେ। ସେଥିରେ ଗଡ୍‌ସେଙ୍କୁ ଜଣେ ବିଚାରହୀନ ବିକୃତ ମାନସିକତାର ବ୍ୟକ୍ତି ଭାବେ ଦର୍ଶାଇବା ସହ ଗୁଳିକରି ପୂଜ୍ୟ ମହାତ୍ମାଙ୍କ ଜୀବନର ହଠାତ୍‌ ଦୁଃଖଦ ଅନ୍ତ ଘଟାଇବା ଭଳି ଜଘନ୍ୟ କାର୍ଯ୍ୟ କରିଥିବା ଉଲ୍ଲେଖ କରିଥିଲେ। ସେ ମଧ୍ୟ ଏହି ହତ୍ୟାକାଣ୍ଡକୁ ଅକ୍ଷମଣୀୟ ଓ ଦେଶଦ୍ରୋହ କାର୍ଯ୍ୟ ବୋଲି କହିଥିଲେ। ସେହିଦିନ ମଧ୍ୟ ସେ ପଟେଲଙ୍କ ପାଖକୁ ଲେଖି ଜଣାଇଥିଲେ, ”ଏହା ତାଙ୍କ ହୃଦୟକୁ ଅତ୍ୟଧିକ ବ୍ୟଥିତ କରିଛି। ଏହି ଅପରାଧ ଘଟାଇଥିବା ବ୍ୟକ୍ତିଙ୍କୁ ନିନ୍ଦା କରିବା ପାଇଁ ତାଙ୍କ ପାଖରେ କୌଣସି ଶବ୍ଦ ନାହିଁ।“
ଆର୍‌ଏସ୍‌ଏସ୍‌କୁ ଅବୈଧ ଘୋଷଣା କରି ସରକାରୀ ବିଜ୍ଞପ୍ତିରେ କୁହାଯାଇଥିଲା, ”ହିନ୍ଦୁମାନଙ୍କ ଶାରୀରିକ, ବୌଦ୍ଧିକ ତଥା ନୈତିକ କଲ୍ୟାଣକୁ ଗୁରୁତ୍ୱ ଦେଇ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱ, ପ୍ରେମ ଏବଂ ସେବା ଭାବ ବୃଦ୍ଧି କରିବା ହେଉଛି ଆର୍‌ଏସ୍‌ଏସ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ସରକାର ଦୁଃଖିତ ଯେ, ଆର୍‌ଏସ୍‌ଏସ୍‌ର ସକ୍ରିୟ ସଦସ୍ୟମାନେ ତଥାକଥିତ ସିଦ୍ଧାନ୍ତକୁ ପାଳନ କରିନାହାନ୍ତି। ସଂଘର ସଦସ୍ୟଙ୍କ ଦ୍ୱାରା ଅବାଞ୍ଛିତ ତଥା ବିପଜ୍ଜନକ କାର୍ଯ୍ୟକଳାପ ଜାରି ରହିଛି, ଯେଉଁମାନେ ହିଂସା ବୃଦ୍ଧି କରିବା ଭଳି କାର୍ଯ୍ୟରେ ଜଡ଼ିତ ହେବା ସହ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସଂଗ୍ରହ କରିଛନ୍ତି।“ ୩ ଫେବୃୃଆରୀରେ ଗୋଲଓ୍ବାଲ୍‌କରଙ୍କ ସମେତ ୨୦,୦୦୦ ସ୍ବୟଂସେବକଙ୍କୁ ଗିରଫ କରାଗଲା। ଏହି ସମୟରେ ଆର୍‌ଏସ୍‌ଏସ୍‌ କହିଥିଲା, କୌଣସି ରାଜନୈତିକ ଦଳ କିମ୍ବା ରାଜନେତା ଏହାକୁ ବିରୋଧ ନ କରିବା କିମ୍ବା କିଛି ନ କହିବା ଦୁଃଖର ବିଷୟ। ଏହି ପ୍ରତିବନ୍ଧକ ପାଖାପାଖି ଦେଢ଼ବର୍ଷ ପର୍ଯ୍ୟନ୍ତ ରହିଲା। ଆର୍‌ଏସ୍‌ଏସ୍‌କୁ ତାହାର ଏକ ସମ୍ବିଧାନ ଲେଖି ଦାଖଲ କରିବାକୁ କୁହାଯାଇଥିଲା ଏବଂ ତାହା କରାଯିବା ଫଳରେ ୧୧ ଜୁଲାଇ ୧୯୪୯ରେ ଆର୍‌ଏସ୍‌ଏସ୍‌ ଉପରୁ ନିଷେଧାଦେଶ ଉଠିଥିଲା। ଏହାର ଠିକ୍‌ ପରେ ପରେ ଆର୍‌ଏସ୍‌ଏସ୍‌ ଦ୍ୱାରା ପ୍ରକାଶିତ ସାପ୍ତାହିକୀ ଦି ଅର୍ଗାନାଇଜରରେ ରାଜନୀତିରେ ପ୍ରବେଶକୁ ନେଇ ଏହା ବିତର୍କ ଆରମ୍ଭ କରିଦେଲା। ଏଥିରେ କେ. ଆର୍‌. ମାଲକାନିଙ୍କ ସମେତ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ପ୍ରବନ୍ଧ ପ୍ରକାଶ ପାଇଲା। ମାଲକାନି ଲେଖିଥିଲେ, ସଂଘ ନିଜକୁ ରକ୍ଷାକରିବା ଏବଂ ଅଣ-ଭାରତୀୟ ଓ ଭାରତୀୟ ବିରୋଧୀ ରାଜନୀତି ବନ୍ଦ କରିବା ସହ ଦେଶର ବ୍ୟବସ୍ଥା ମାଧ୍ୟମରେ ଭାରତୀୟତାକୁ ଆଗକୁ ବଢ଼ାଇବା ଲାଗି ଏହା ରାଜନୀତିରେ ଭାଗ ନେବା ଦରକାର। ଦେଶର ସମସ୍ତ ନାଗରିକଙ୍କ ଜାତୀୟ ସାଂସ୍କୃତିକ ଶିକ୍ଷା ପାଇଁ ସଂଘ ଏକ ଆଶ୍ରମ ଭାବେ କାମ ଜାରି ରଖିବା ଆବଶ୍ୟକ। କିନ୍ତୁ ସିଦ୍ଧାନ୍ତଗୁଡ଼ିକର ତ୍ୱରିତ ସଫଳତା ଏବଂ ଅଧିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସଂଘକୁ ଏକ ରାଜନୈତିକ ଦଳ ଗଢ଼ିବାକୁ ପଡ଼ିବ। ସେ ମଧ୍ୟ କହିଥିଲେ ଯେ, ନୂଆ ଦଳ ପ୍ରାଚୀନ ଧର୍ମୀୟ ଓ ପରମ୍ପରା ମୂଲ୍ୟବୋଧ ଉପରେ କାମ କରିବ ଓ ଏହାର ଲକ୍ଷ୍ୟରେ ଏହା ଭବିଷ୍ୟନ୍ମୁଖୀ ହେବ। ଏହା ବିଦେଶୀ ମୂଲ୍ୟବୋଧ, ପ୍ରବୃତ୍ତି ଓ ଧାରା ଉପରେ ନିର୍ଭର କରିବ ନାହିଁ। ହିନ୍ଦୁସ୍ତାନରେ ଏହି ପୁନଃ ସଂଗଠନର ସିଦ୍ଧାନ୍ତ ହିଁ କେବଳ ହିନ୍ଦୁତ୍ୱ ହେବ। ବଲରାଜ ମାଧୋକ ଲେଖିଥିଲେ, ଦେଶର ରାଜନୈତିକ ଓ ଆର୍ଥିକ ସମସ୍ୟା ପରିପ୍ରେକ୍ଷୀରେ ସଂଘ ଦେଶକୁ ନେତୃତ୍ୱ ଦେବା ଉଚିତ। କାରଣ ସଂଘର ଅସ୍ତିତ୍ୱ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।
୧୯ ଏପ୍ରିଲ ୧୯୫୦ରେ ପାର୍ଲାମେଣ୍ଟରେ ମୁଖାର୍ଜୀ କହିଥିଲେ ଯେ, ବଙ୍ଗ ବିଭାଜନ ସପକ୍ଷରେ ଜନମତ ସୃଷ୍ଟି କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ପୂର୍ବ ବଙ୍ଗ (ପରେ ବାଂଲାଦେଶ ହୋଇଛି)ର ହିନ୍ଦୁମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସେମାନେ ଯଦି ଭବିଷ୍ୟତରେ ପାକିସ୍ତାନ ସରକାର ଦ୍ୱାରା ନିର୍ଯାତିତ ହୁଅନ୍ତି ସ୍ବାଧୀନ ଭାରତ କେବେ ନୀରବଦ୍ରଷ୍ଟା ହୋଇ ରହିବ ନାହିଁ। ଏବେ ୨୦୨୫ରେ ଭାରତରେ ଆମ ଚାରିପାଖରେ କ’ଣ ସବୁ ଘଟୁଛି, ତାହା ଆମେ ପଢ଼ୁଛୁ ଓ ଆକଳନ କରୁଛୁ। ଏସବୁ ସୂଚିତ କରୁଛି ଯେ ୭୫ ବର୍ଷ ପୂର୍ବର ଦୃଷ୍ଟିକୋଣ ଏସବୁ କରିବାକୁ ପ୍ରେରିତ କରୁଛି। ଏହାସହ ଆମେ ମଧ୍ୟ ଜାଣିପାରୁଛୁ ଯେ, ଏହିସବୁ ବିଷୟ ପାଇଁ ଭାଜପା ଗଠନ କରାଯାଇଛି।
Email:aakar.patel@gmail.com

The post ୭୫ ବର୍ଷ ପୂର୍ବର ଦୃଷ୍ଟିକୋଣ appeared first on Dharitri Odia News.