ଆଇନଜୀବୀଙ୍କୁ ଏସିଡ୍ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଜଙ୍ଗମ ସାହିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ୍ ମାଡ଼ ଘଟଣାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୨ଜଣଙ୍କୁ ଗିରଫ କରିଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରୁ ଉଭୟଙ୍କୁ ଗିରଫ କରି ପୋଲିସ ପାରଳାଖେମୁଣ୍ଡି ଆଣିଛି। ସେମାନେ ହେଲେ ଜଣେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଡି. ଭେଙ୍କେଟ ରାଓ ଏବଂ ଡି. ସତୀଶ। ଭେଙ୍କେଟ ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ସତୀଶ ଓ ଅନ୍ୟ ଜଣେ ତାଙ୍କଠାରୁ ସୁପାରି […] The post ଆଇନଜୀବୀଙ୍କୁ ଏସିଡ୍ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ appeared first on Dharitri Odia News.
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଜଙ୍ଗମ ସାହିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ୍ ମାଡ଼ ଘଟଣାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୨ଜଣଙ୍କୁ ଗିରଫ କରିଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରୁ ଉଭୟଙ୍କୁ ଗିରଫ କରି ପୋଲିସ ପାରଳାଖେମୁଣ୍ଡି ଆଣିଛି। ସେମାନେ ହେଲେ ଜଣେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଡି. ଭେଙ୍କେଟ ରାଓ ଏବଂ ଡି. ସତୀଶ। ଭେଙ୍କେଟ ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ସତୀଶ ଓ ଅନ୍ୟ ଜଣେ ତାଙ୍କଠାରୁ ସୁପାରି ନେଇ ରାମା ରାଓଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଏକ ଖବରଦାତା ସମ୍ମିଳନୀରେ ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।
ଖବରରୁ ଜଣାପଡିିଛି, ଘଟଣାର ଷଡ଼ଯନ୍ତ୍ରକାରୀ ଭେଙ୍କେଟ ପୁରୁଣାପାଟଣା ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବାବେଳେ ପାରଳାଖେମୁଣ୍ଡିର ଜଣେ ବସ୍ ମାଲିକ ଇଞ୍ଜା ଭେଙ୍କେଟ ରାମଣାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ସେହି ସମୟରେ ଭେଙ୍କେଟ ୨୦୦୫ରେ ରାମଣାଙ୍କୁ ବାର ଓ ରେଷ୍ଟୁରାଣ୍ଟ କରିବା ପାଇଁ ବ୍ୟକ୍ତିଗତ ଭାବେ ୩୧ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ପରବର୍ତ୍ତୀ ସମୟରେ ରାମଣା ଏହି ଋଣ ଶୁଝି ପାରି ନ ଥିଲେ।
ଭେଙ୍କେଟ ନିଜ ଟଙ୍କା ପାଇବା ପାଇଁ ରାମଣାଙ୍କ ନାମରେ ଷ୍ଟେଟ ବ୍ୟାଙ୍କରୁ ୫୫ ଲକ୍ଷ ଟଙ୍କା ଲୋନ୍ କରାଇ ଦେଇଥିଲେ। ମାତ୍ର ସେ ତାଙ୍କଠାରୁ ନେଇଥିବା ୩୧ ଲକ୍ଷ ମୂଳଟଙ୍କା ନ ଦେଇ କେବଳ ସୁଧ ଦେଇ ଆସୁଥିଲେ। ଫଳରେ ନିଜ ମୂଳ ଟଙ୍କା ନ ପାଇବା ଏବଂ ୩୧ ଲକ୍ଷ ଟଙ୍କା ଦେବାବେଳେ ମଧ୍ୟସ୍ଥ ଥିବା ଆଇନଜୀବୀ ରାମା ରାଓଙ୍କ ପାଖରେ ଏହି ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ସିକ୍ୟୁରିଟି ଆକାରରେ ରାମଣା ସେତେବେଳେ ଦେଇଥିବା ଚେକ୍ ଆଦି ଥିଲା। ଏହାକୁ ନେଇ ଆଇନଗତ ପଦକ୍ଷେପ ନେବାକୁ ଭେଙ୍କେଟ ରାମାରାଓଙ୍କୁ ସେସବୁ କାଗଜପତ୍ର ବାରମ୍ବାର ମାଗିଥିଲେ ମଧ୍ୟ ସେ ଦେଇ ନ ଥିଲେ। ଫଳରେ ସେ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଏସିଡ୍ ମାଡ ଯୋଜନା କରିଥିଲେ। ଦୁଇଜଣଙ୍କୁ ୨ ଲକ୍ଷ ଟଙ୍କା ସୁପାରି ଦେବାକୁ ତୁଟାଇ ପ୍ରଥମେ ଅଗ୍ରୀମ ଆକାରରେ ୧ ଲକ୍ଷ ଟଙ୍କା ଭେଙ୍କେଟ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁପାରି ନେଇଥିବା ସତୀଶଙ୍କ ସହ ଅନ୍ୟ ଜଣେ ପାରଳାଖେମୁଣ୍ଡିରେ ପହଞ୍ଚି ନିକଟସ୍ଥ ଏକ ମଦ ଦୋକାନରେ ବିୟର ପିଇ ପରେ ବିୟର କେନରେ ଏସିଡ୍ ରଖି ଆଇନଜୀବୀ ରାମାରାଓଙ୍କ ଘରକୁ ଯାଇଥିଲେ। ପାର୍ସଲ ଦେବା ଆଳରେ ତାଙ୍କ ଘର କବାଟ ପିଟି ଡାକିଥିଲେ। ରାମାରାଓ କବାଟ ଖୋଲିବା ମାତ୍ରେ ତାଙ୍କ ମୁହଁକୁ ଏସିଡ ମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ରାମାରାଓ ବିଶାଖାପଟଣାରେ ଚିକିତ୍ସାଧୀନ ଥିବା ଏସ୍ପି କହିଛନ୍ତି। ଏହି ଘଟଣାରେ ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ଏବଂ ଉକ୍ତ ଅର୍ଥ କାରବାରରେ ଲିପ୍ତ ଥିବା ବସ୍ ମାଲିକଙ୍କ ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ତା’ର ତଦନ୍ତ ଜାରି ରଖିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
The post ଆଇନଜୀବୀଙ୍କୁ ଏସିଡ୍ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ appeared first on Dharitri Odia News.