ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ବସ୍‌

ଭୁବନେଶ୍ୱର/ ପୁରୀ/ ଗୋପାଳପୁର,୧୨ା୭(ରବିନାରାୟଣ ଜେନା/ ଅଜିତ୍‌ କୁମାର ମହାନ୍ତି/ ନବୀନ ରାଜ ଆଚାରୀ): ରାଜ୍ୟରେ ଶନିବାରଠାରୁ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍‌ରେ ଘରୋଇ ବସ୍‌ ଗଡ଼ିବ। ଏନେଇ ଶୁକ୍ରବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୁରୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସରକାର ଲିଖିତ ପ୍ରତିଶ୍ରୁତି […] The post ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ବସ୍‌ appeared first on Dharitri Odia News.

ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ବସ୍‌

ଭୁବନେଶ୍ୱର/ ପୁରୀ/ ଗୋପାଳପୁର,୧୨ା୭(ରବିନାରାୟଣ ଜେନା/ ଅଜିତ୍‌ କୁମାର ମହାନ୍ତି/ ନବୀନ ରାଜ ଆଚାରୀ): ରାଜ୍ୟରେ ଶନିବାରଠାରୁ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍‌ରେ ଘରୋଇ ବସ୍‌ ଗଡ଼ିବ। ଏନେଇ ଶୁକ୍ରବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୁରୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଳି କହିଛନ୍ତି।
ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ସାହୁ କହିଛନ୍ତି, ଗତ ୮ତାରିଖଠାରୁ ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ଘରୋଇ ବସ୍‌ ଚଳାଚଳ ପ୍ରାୟତଃ ବନ୍ଦ ରହିଛି। ଜନସାଧାରଣଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ଅନୁଷ୍ଠିତ ବୈଠକରେ ୧୨ ତାରିଖ ଶନିବାରଠାରୁ ବସ୍‌ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ୧୪ ହଜାର ବସ୍‌ ଗଡ଼ିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସହିତ ୫୨ଟି ଆଞ୍ଚଳିକ ସଂଘ ମିଶି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଆନ୍ଦୋଳନ ସମୟରେ ବସ୍‌ ଅଟକାଯାଉଥିବାରୁ ସୁରକ୍ଷା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ୧୧ ତାରିଖରେ ଡ୍ରାଇଭର ମହାସଂଘ ସଭାପତି ବିବୃତି ଦେଇ କହିଥିଲେ ଯେ, କୌଣସି ବସ୍‌କୁ ବାଟରେ ଅଟକା ଯାଇନାହିଁ। କିନ୍ତୁ ପରିତାପର ବିଷୟ, ଗୁରୁବାର ସମ୍ବଲପୁର ଦେଇ ଆସୁଥିବା କେତେକ ବସ୍‌କୁ ରେଢ଼ାଖୋଲ ଏବଂ ଅନୁଗୋଳ ଆର୍‌ଟିଓ ଅଫିସ ପାଖରେ ଆକ୍ରମଣ କରାଯାଇଛି। କେନ୍ଦ୍ରାପଡ଼ା ରୁଟ୍‌ରେ ରାଜକନିକା ଓ ଦୁହୁରିଆ ନିକଟରେ ଗାଡ଼ିକୁ ଛଡ଼ାଯାଉନାହିଁ। ପାରାଦୀପ ରାସ୍ତାର ଭୂତମୁଣ୍ଡାଇ, ବଲାଙ୍ଗୀର-ଖଡ଼ିଆଳ-ଭୁବନେଶ୍ୱର ରାସ୍ତାରେ ଦଶପଲ୍ଲା ଓ ନୟାଗଡ଼ଠାରେ ବସ୍‌ ଅଟକାଯାଉଛି। ଭୁବନେଶ୍ୱର-ପୁରୀ ରାସ୍ତାରେ ପିପିଲି ଟୋଲଗେଟ୍‌, ସାକ୍ଷୀଗୋପାଳ ବ୍ଲକ ଛକ ଓ ମାଳତିପାଟପୁରରେ ବସ୍‌ଗୁଡିକୁ ଅଟକାଯାଉଛି। ତେଣୁ ଯାତ୍ରୀ ପରିବହନ କ୍ଷେତ୍ରରେ ଅଚଳାବସ୍ଥା ଦେଖାଦେଇଛି। ଯାତ୍ରୀବାହୀ ବସ୍‌ଗୁଡ଼ିକୁ କୌଣସି ସ୍ଥାନରେ ହଇରାଣ ନ କରିବାକୁ ଡ୍ରାଇଭର ମହାସଂଘକୁ ଅନୁରୋଧ କରାଯାଉଛି। ସରକାର ଯାତ୍ରୀ ଓ ବସ୍‌ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ଏହାସହ ଡ୍ରାଇଭର ମହାସଂଘ ଏବଂ ସରକାରଙ୍କ ମଧ୍ୟରେ ଯଦି ଆଲୋଚନା ହୋଇ କିଛି ନିଷ୍ପତ୍ତି ନିଆଯାଇଛି, ତାହାକୁ ସାର୍ବଜନୀନ କରାଯିବାକୁ ବସ୍‌ ମାଲିକ ସଂଘ ଦାବି କରିଛି।
ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଡ୍ରାଇଭର ମହାସଂଘ କଂଗ୍ରେସ ପ୍ରତି ଅଚାନକ ଦରଦ ଦେଖାଇଛି। ଏହା ପଛରେ ରାଜନୀତି ରହିଛି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପାଇଁ ପିସିସି ସଭାପତି ଅନୁରୋଧ କଲେ, ମହାସଂଘ ତାଙ୍କ କଥାରେ ରାଜି ହେଲା। ଏସବୁ ରାଜନୀତି ନୁହେଁ ତ, ଆଉ କ’ଣ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଗଞ୍ଜାମ ଜିଲାର ଗୋଳନ୍ଥରାସ୍ଥିତ ବନ୍ଦେ ମାତରଂ କାର୍ଯ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ଜେନା କହିଛନ୍ତି, ଡ୍ରାଇଭରମାନେ ଆନ୍ଦୋଳନ ନାଁରେ ଅଯଥା କାହା କଥାରେ ପରିଚାଳିତ ନ ହୁଅନ୍ତୁ। ସେମାନେ ଶୀଘ୍ର ଆନ୍ଦୋଳନରୁ ଓହରି ଯାଆନ୍ତୁ ଓ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ମନ୍ତ୍ରୀ ଜେନା ମହାସଂଘକୁ ଅନୁରୋଧ କରିଛନ୍ତି। ଆନ୍ଦୋଳନ ଯୋଗୁ ସାମଗ୍ରୀ ପରିବହନରେ ସମସ୍ୟା ଉପୁଜୁଛି। ମହାସଂଘ ଦାବିକୁ ନେଇ ଇତିମଧ୍ୟରେ ସଫଳ ଆଲୋଚନା ହୋଇସାରିଛି। ସମସ୍ତ ଦାବିର ସମାଧାନ କରାଯିବା ନେଇ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି। ଜାତୀୟ ଓ ରାଜ୍ୟ ରାଜପଥରେ ପ୍ରତି ୧୦୦ କିଲୋମିଟର ଦୂରରେ ଡ୍ରାଇଭରମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଆଲୋଚନା ସଫଳ ପରେ ମଧ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ ଜେନା କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ଯେଉଁ ଗାଡ଼ି ଚାଳକଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡ୍ରାଇଭରମାନେ ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବା ସରକାର ଗ୍ରହଣ କରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

The post ଆଜିଠୁ ସବୁ ରୁଟ୍‌ରେ ଗଡ଼ିବ ବସ୍‌ appeared first on Dharitri Odia News.