ଉପାନ୍ତରୁ ଉପକୂଳ ସବୁଠି ଛେଚୁଛି ବର୍ଷା; ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର
ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି।
ସାରା ରାଜ୍ୟରେ ଜାରି ବର୍ଷା। ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଛି ବର୍ଷା। ଆଗାମୀ ୪ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ ଉତ୍ତର ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଂଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ଏହା ପ୍ରଭାବରେ ଓଡିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ବାଭାବିକ ରହିଛି ବର୍ଷା ପରିମାଣ। ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର; ୬ ତାରିଖରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ...
ସେପଟେ ଧିରେ ଧିରେ ବିଗୁଡ଼ିଛି ଆସାମରେ ବନ୍ୟା ସ୍ଥିତି। ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ବନ୍ୟା ବିତ୍ପାତ ଯୋଗୁ ୧୯ଟି ଜିଲ୍ଲାରେ ୬ ଲକ୍ଷ ଲୋକେ ପ୍ରଭାବିତ। ନଗାଁଓ ଜିଲ୍ଲାରେ ସ୍ଥିତି ଜଟିଳ ହୋଇଛି। ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ୩୦ ହଜାରରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ ନଦୀର ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ପ୍ରଭାବ ହୋଇଥିବାରୁ ସ୍ଥିତି ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି।
ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ରାସ୍ତାଘାଟ ବୁଡି ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି। ଏମିତିକି ଅନେକ ବିଲ୍ଡଂର ପ୍ରଥମ ମହଲା ଜଳରେ ବୁଡି ରହିଥିବାରୁ ଲୋକେ ଘରଦ୍ବାର ଛାଡି ଅନ୍ୟତ୍ର ମୁଣ୍ଡ ଗୁଞ୍ଜିଛନ୍ତି। ସେପଟେ କାଜିରଙ୍ଗା ଜାତୀୟ ପାର୍କରେ ରହୁଥିବା ପ୍ରାଣୀଙ୍କ ଲାଗି ମଧ୍ୟ ବିପଦ ଦେଖାଦେଇଛି। ଜାତୀୟ ଉଦ୍ୟାନର ଅନେକ ସ୍ଥାନ ପାଣିରେ ବୁଡି ରହିଛି। ଫଳରେ ହାତୀ, ହରିଣ, ଗଣ୍ଡାଠୁ ଆରମ୍ଭ କରି ଅନେକ ପଶୁପକ୍ଷୀ ଏବେ ଜନବସତି ମୁହାଁ।