ଓଡ଼ିଆ ଅଫିସରଙ୍କୁ ଲୁଟିଥିବା ୫ ଠକଙ୍କ ନାଁରେ ସମଗ୍ର ଦେଶରେ ରହିଛି ୩୧୩ ମାମଲା

ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା କମିଶନରେଟ ପୁଲିସ୍‌। ଜେରା ବେଳେ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଅଭିଯୁକ୍ତମାନେ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତରେ ଲୁଟିଛନ୍ତି। ୨୪ଟି ରାଜ୍ୟରେ ସାଇବର ଲୁଟ୍‌ କରିଛନ୍ତି।

ଓଡ଼ିଆ ଅଫିସରଙ୍କୁ ଲୁଟିଥିବା ୫ ଠକଙ୍କ ନାଁରେ ସମଗ୍ର ଦେଶରେ ରହିଛି ୩୧୩ ମାମଲା

ଓଡ଼ିଆ ସରକାରୀ ଅଫିସରଙ୍କୁ ଲୁଟିଥିବା ୫ ଠକଙ୍କ ନାଁରେ ସମଗ୍ର ଦେଶରେ ରହିଛି ୩୧୩ ମାମଲା। ସେମାନେ ୨୪ଟି ରାଜ୍ୟରେ ୨୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆହୁରି ଅନେକ ରାଜ୍ୟର ପୁଲିସ୍‌ ମାମଲାରେ ତଦନ୍ତ କରିବା ପାଇଁ ସହଯୋଗ ଲୋଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା।

ଗତ ୧୮ ତାରିଖରେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ତ୍ରିପୁରାର ଡେନ୍‌ଜୋ ଓରଫ ବସ୍‌, ଆନ୍ଧ୍ରପ୍ରଦେଶର ମଚ୍ଚୁମାରୀ ଚିଣ୍ଟିବାବୁ, ଆନ୍ଧ୍ରପ୍ରଦେଶର ସେକ୍‌ ତେଜୁଦ୍ଦିନ, ଆସାମର ଜେମ୍ସ ଓ ତ୍ରିପୁରାର ଜିତେନ କୈପେଙ୍ଗଙ୍କୁ ଗିରଫ କରିଥିଲା। ରାଜଧାନୀ ଭୁବନେଶ୍ୱରରେ ଜଣେ ସରକାରୀ ଅଫିସରଙ୍କୁ ଲୁଟିବା ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ଏଥିସହ ସେମାନଙ୍କ ୧୨ ଲକ୍ଷ ଟଙ୍କା ଓ ୧୭୦୦ କ୍ରିଟ୍ଟୋ ଡଲାର ଫ୍ରିଜ୍‌ କରିଥିଲା ପୁଲିସ୍‌।

ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା କମିଶନରେଟ ପୁଲିସ୍‌। ଜେରା ବେଳେ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଅଭିଯୁକ୍ତମାନେ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତରେ ଲୁଟିଛନ୍ତି। ୨୪ଟି ରାଜ୍ୟରେ ସାଇବର ଲୁଟ୍‌ କରିଛନ୍ତି। ସମଗ୍ର ଦେଶରେ ସେମାନଙ୍କ ନାଁରେ ୩୧୩ଟି ମାମଲା ରୁଜୁ ହୋଇଛି। ସବୁଠାରୁ ଅଧିକ ମାମଲା କର୍ଣ୍ଣାଟକରେ ରୁଜୁ ହୋଇଛି। ଏଠାରେ ସେମାନଙ୍କ ନାଁରେ ୪୯ଟି ମାମଲା ହୋଇଛି। ସେହିପରି ତାମିଲ୍‌ନାଡୁରେ ୩୨ଟି, ତେଲେଙ୍ଗାନାରେ ୩୮ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଏମାନେ ୨୫ କୋଟିରୁ ଅଧିକ ଟଙ୍କା ଠକିଛନ୍ତି।

ଗିରଫ ହୋଇଥିବା ସାଇବର ଠକଙ୍କ ସମ୍ପର୍କରେ ଦେଶର ବିଭିନ୍ନ ରାଜ୍ୟକୁ ସୂଚନା ଦିଆଯାଇଥିଲା। ୯ଟି ରାଜ୍ୟର ପୁଲିସ୍‌ ଓଡ଼ିଶା ଆସି ଓ ଭର୍ଚୁଆଲ୍‌ରେ ସେମାନଙ୍କୁ ଜେରା କରିଛନ୍ତି। ଆଉ କିଛି ରାଜ୍ୟର ପୁଲିସ୍‌ ତଦନ୍ତ କରିବା ପାଇଁ ଆସିବେ ବୋଲି କହିଛନ୍ତି। ବର୍ତ୍ତମାନ ରିମାଣ୍ଡ ଅବଧି ସରିଥିବାରୁ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ସେମାନଙ୍କୁ ଜେଲ୍‌ ଭିତରେ କେମିତି ଜେରା କରାଯାଇପାରିବ, ସେନେଇ ବ୍ୟବସ୍ଥା କରାଯିବ ବୋଲି ପୁଲିସ୍‌ କମିଶନର କହିଛନ୍ତି।