କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଗିରଫ
ଭୁବନେଶ୍ୱର : ଗିରଫ ହେଲେ ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆଜି ସେ ଚାକିରିରୁ ଅବସର ନେଇଥାନ୍ତେ । ତେବେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅବସର ଗୋଟିଏ ଦିନ ପୂର୍ବରୁ ଘରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ବୈକୁଣ୍ଠଙ୍କର ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ, ୭ଟି ବହୁମୂଲ୍ୟ ପ୍ଲଟ,ସହ ଅନୁଗୁଳ ଏବଂ ଭୁବନେଶ୍ୱର ଘରୁ […]

ଭୁବନେଶ୍ୱର : ଗିରଫ ହେଲେ ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆଜି ସେ ଚାକିରିରୁ ଅବସର ନେଇଥାନ୍ତେ । ତେବେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅବସର ଗୋଟିଏ ଦିନ ପୂର୍ବରୁ ଘରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ବୈକୁଣ୍ଠଙ୍କର ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ, ୭ଟି ବହୁମୂଲ୍ୟ ପ୍ଲଟ,ସହ ଅନୁଗୁଳ ଏବଂ ଭୁବନେଶ୍ୱର ଘରୁ ଦୁଇ କୋଟିରୁ ଅଧିକ ଟଙ୍କାର ଜମାରାଶି ମିଳିଥିଲା । ସେହିପରି ସେୟାର ଓ ମ୍ୟୁଚୁଆଲ ଫଣ୍ଡରେ ୨କୋଟି ୭୦ ଲକ୍ଷ ଟଙ୍କାର ନିବେଶ ରହିଥିବା ବେଳେ ଘରୁ ଏକ କିଲୋ ୪୦୦ ଗ୍ରାମ ସୁନା ଏବଂ ୧୫ଟି ବିଦେଶୀ ଦାମୀ ଘଣ୍ଟା ର ସନ୍ଧାନ ମିଳିଥିଲା । ରୋଚକ କଥା ହେଉଛି, ଭିଜିଲାନ୍ସ ଟିମ୍ ଗତକାଲି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍ ବଜାଇବାବେଳେ ଘର ଲୋକ କବାଟ ନ ଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍ ସବୁକୁ ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଚାଲିଥିଲେ।
ସୂଚନାନୁସାରେ,୧୯୯୧ ସେପ୍ଟେମ୍ବର ୩୦ ତାରିଖରେ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ଷ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ ପ୍ରଥମେ ଅନୁଗୁଳ ଜିଲ୍ଲା କଣିହା ବ୍ଲକର ପଞ୍ଚାୟତିରାଜ ବିଭାଗରେ ଯୋଗ ଦେଇଥିଲେ । ୧୯୯୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚାକିରି କରିବା ପରେ ୧୯୯୯ ଅକ୍ଟୋବର ୧୫ ତାରିଖରେ ଚାକିରି ନିୟମିତ ହୋଇଥିଲା । ଆସିଷ୍ଟାଣ୍ଡ ଇଞ୍ଜିନିୟର ଭାବେ ପିଡବଲ୍ୟୁଡିରେ ପୋଷ୍ଟିଂ ହୋଇଥିଲା । ୨୦୧୨ ପର୍ଯ୍ୟନ୍ତ ସେ ତାଳଚେରରେ ରହିଥିଲେ । ୨୦୧୪ରେ ପଦୋନ୍ନତି ସହ ଆସିଷ୍ଟାଣ୍ଡ ଏକଜ୍ୟୁକ୍ୟୁଟିଭ ଇଞ୍ଜିନିୟର ଭାବେ ଆଠମଲ୍ଲିକ ଆରଡି ସବଡିଭିଜନକୁ ବଦଳି ହୋଇଥିଲା । ୨୦୧୬ ଅକ୍ଟୋବରରେ ଏକଜ୍ୟୁକ୍ୟୁଟିଭ ଇଞ୍ଜିନିୟର ପୋଷ୍ଟକୁ ପଦୋନ୍ନତି ହୋଇଥିଲା । ୨୦୨୩ ଜାନୁଆରୀରେ ଆଡିସିନାଲ ଚିଫ ଇଞ୍ଜିନିୟର ଓ ଚଳିତବର୍ଷ ଫେବୃଆରୀ ମାସରୁ ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ।
ଅନ୍ୟପଟେ ମୁଖ୍ୟଯନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ ହୋଇଥିବା ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଏବଂ କେଉଁଥିରେ ଦୁର୍ନୀତି ହୋଇଛି, ସମସ୍ତ ଦିଗକୁ ନେଇ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି। ଗତକାଲିର ଚଢ଼ଉରେ ୮ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର, ୬ ଜଣ ଏସ୍ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।