ଗଛରେ ଝୁଲିଥିଲା ୨ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

ଜଣଙ୍କ ବୟସ ୧୬ ବର୍ଷ ଓ ଆଉ ଜଣଙ୍କ ବୟସ ୧୪ ବର୍ଷ। ସେମାନଙ୍କୁ ବଳପୂର୍ବକ ମଦ ପିଆଇବା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଗଛରେ ଝୁଲିଥିଲା ୨ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

ଉତ୍ତର ପ୍ରଦେଶର କାନପୁର ଜିଲ୍ଲା କୋଟୱାଲି ଅଞ୍ଚଳରେ ଥିବା ଗୋଟିଏ ଗାଁରେ ବଡ଼ ଘଟଣା ଘଟିଛି। ଗାଁର ଗୋଟିଏ ଗଛରୁ ଦୁଇ ଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିଛି।

ଜଣଙ୍କ ବୟସ ୧୬ ବର୍ଷ ଓ ଆଉ ଜଣଙ୍କ ବୟସ ୧୪ ବର୍ଷ। ସେମାନଙ୍କୁ ବଳପୂର୍ବକ ମଦ ପିଆଇବା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ କଣ୍ଟ୍ରାକ୍ଟର ଭାବେ କାମ କରୁଥିବା ବ୍ୟକ୍ତିଙ୍କର ୧୮ ବର୍ଷୀୟ ପୁଅ ଓ ୧୯ ବର୍ଷୀୟ ପୁତୁରା ପୂରା ଘଟଣାରେ ସାମିଲ ଥିବା ପରିବାର ଲୋକ କହିଛନ୍ତି।

ପୁଲିସ୍‌ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ କଣ୍ଟ୍ରାକ୍ଟରଙ୍କ ସମେତ ତାଙ୍କ ପୁଅ ଓ ପୁତୁରାଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଗଣଦୁଷ୍କର୍ମ, ଆତ୍ମହତ୍ୟା ପାଇଁ ଉସକାଇବା ଓ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ଅତିରିକ୍ତ ପୁଲିସ୍‌ କମିଶନର(ଆଇନ ଶୃଙ୍ଖଳା) ହରିଶ ଚାନ୍ଦ୍ରେ କହିଛନ୍ତି, “ଗତ ରାତିରେ ୨ ଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ଖବର ପାଇଥିଲୁ। ଏହାପରେ ପୁଲିସ୍‌ ଟିମ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦୁଇ ଝିଅଙ୍କ ୩ ଜଣ ଦୂର ସମ୍ପର୍କୀୟଙ୍କୁ ଗିରଫ କରାଯାଇଛି। ଦୁଇ ନାବାଳିକାଙ୍କୁ ମାଡ଼ ମରାଯାଇଥିଲା। ସେମାନଙ୍କୁ ଯୌନ ନିର୍ଯାତନା ମଧ୍ୟ ଦିଆଯାଇଥିଲା। ଏହାପରେ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା। ଫରେନ୍ସିକ ଟିମ ଘଟଣା ସ୍ଥଳରେ ଯାଞ୍ଚ କରି ବିଭିନ୍ନ ପ୍ରମାଣ ଯୋଗାଡ଼ କରିଛି।”

ଦୁଇ ଝିଅଙ୍କ ପରିବାର ଲୋକଙ୍କ କହିବା କଥା ଯେ ସନ୍ଧ୍ୟା ସମୟରେ ୨ ଝିଅ ସ୍ଥାନୀୟ ପଡ଼ିଆକୁ ବୁଲାବୁଲି କରିବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ଯାଇ ରାତି ହୋଇଥିଲେ ହେଁ ସେମାନେ ଘରକୁ ଫେରି ନଥିଲେ।

ତେଣୁ ପରିବାର ଲୋକ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଏତିକି ବେଳେ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଗୋଟିଏ ଗଛରୁ ମିଳିଥିଲା। ସେମାନଙ୍କୁ ପ୍ରଥମେ ମଦ ପିଆଇ ଦିଆଯାଇଥିଲା। ଏହାପରେ ଦୁଷ୍କର୍ମ କରାଯାଇଥିଲା।

ଅଭିଯୁକ୍ତମାନେ ଦୁଇ ଝିଅଙ୍କୁ ମାଡ଼ ମାରିବା ସହ କିଛି ଆପତ୍ତିଜନକ ଭିଡିଓ ରେକର୍ଡ କରି ସେମାନଙ୍କୁ ବ୍ଲାକମେଲ କରୁଥିଲେ। ଏହି ନିର୍ଯାତନା ସହି ନ ପାରି ଉଭୟ ଆତ୍ମହତ୍ୟା କରିବାର ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ୍‌ ଜଣେ ଅଭିଯୁକ୍ତର ମୋବାଇଲରୁ ଭିଡିଓ ଓ କିଛି ଫଟୋ ଜବତ କରିଛି। ସେଗୁଡ଼ିକୁ ଏବେ ପରୀକ୍ଷା କରାଯାଉଛି।

ଦୁଇ ନାବାଳିକା ଓ ସେମାନଙ୍କ ପରିବାର ଲୋକ ଗୋଟିଏ ଇଟା ଭାଟିରେ କାମ କରନ୍ତି। ଇଟା ଭାଟି ଠାରୁ ୪୦୦ ମିଟର ଦୂରରୁ ହିଁ ଉଭୟଙ୍କ ମୃତଦେହ ଜବତ ହୋଇଛି।