ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି

ମହାକାଳପଡ଼ା,୨୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁଳ ମାତ୍ରାରେ ଦେଖାଯାଉଥିବା ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବର ଜିଓ ଟ୍ୟାଗିଂ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ। ବାଲେଶ୍ୱର ଜିଲାରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ଓ ବନ ବିଭାଗ ପକ୍ଷରୁ ଏଥିପାଇଁ ମିଳିତ ଉଦ୍ୟମ ଜାରିରହିଛି। ବାଲେଶ୍ୱର ଜିଲାରୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ପରେ କେନ୍ଦ୍ରାପଡ଼ାର ଗହୀରମଥା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସୂଚନା ଅନୁଯାୟୀ, […] The post ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି appeared first on Dharitri Odia News.

ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି

ମହାକାଳପଡ଼ା,୨୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁଳ ମାତ୍ରାରେ ଦେଖାଯାଉଥିବା ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବର ଜିଓ ଟ୍ୟାଗିଂ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ। ବାଲେଶ୍ୱର ଜିଲାରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ଓ ବନ ବିଭାଗ ପକ୍ଷରୁ ଏଥିପାଇଁ ମିଳିତ ଉଦ୍ୟମ ଜାରିରହିଛି। ବାଲେଶ୍ୱର ଜିଲାରୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ପରେ କେନ୍ଦ୍ରାପଡ଼ାର ଗହୀରମଥା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ନୀଳରକ୍ତ କଙ୍କଡ଼ା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ପ୍ରଶାନ୍ତ ମହାସାଗର ଓ ବଙ୍ଗୋପସାଗର କୂଳ ବାଲେଶ୍ୱର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମୁହାଣରେ ଏହି କଙ୍କଡ଼ା ବହୁ ପରିମାଣରେ ଦେଖିବାକୁ ମିଳନ୍ତି। ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପ୍ରଜାତି କଙ୍କଡ଼ାଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ସମୟରେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଟ୍ରଲର ଓ ଇଞ୍ଜିନ ଚାଳିତ ବୋଟ୍‌ ଜାଲରେ ଲାଗି ବହୁ କଙ୍କଡ଼ାଙ୍କ ମୃତ୍ୟୁ ଘଟିଥାଏ। ଏମାନଙ୍କ ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ଓ ହେମସିଆନିନ୍‌ ନାମକ ରାସାୟନିକ ପଦାର୍ଥ ଥିବାରୁ ତାଙ୍କ ରକ୍ତ ନୀଳରଙ୍ଗ ହୋଇଥାଏ। ସେହି ରକ୍ତର ଚାହିଦା ବିଦେଶରେ ରହିଛି। ଲିଟର ପିଛା ୧୧ ଲକ୍ଷ ଟଙ୍କାରେ ନୀଳରକ୍ତ ବିକ୍ରି ହୋଇଥାଏ ବୋଲି ସୂଚନା ମିଳିଛି। କାରଣ ଏହି ରକ୍ତ ରୋଗ ନିଦାନ ପରୀକ୍ଷଣରେ ସହାୟକ ହୋଇଥାଏ। ଜୀବନ୍ତ କଙ୍କଡ଼ାକୁ ସଂଗ୍ରହ କରି ଆମେରିକାର ବୈଜ୍ଞାନିକମାନେ ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଥାନ୍ତି। ମୃତ କଙ୍କଡ଼ାଠାରୁ ରକ୍ତ ସଂଗ୍ରହ କରାଯାଇ ନ ଥାଏ। ଏହି କଙ୍କଡା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସହିତ ମହାନଦୀ ତ୍ରିକୋଣ ଭୂମି ଅବବାହିକାରେ ମାଈ ଅଣ୍ଡିରା ଯୋଡି ହୋଇ ସନ୍ତସନ୍ତିଆ ବାଲିଆ ଦୋରସା ମାଟି ଥିବା ପାଣିରେ ବୁଡ଼ି ରହିଥାନ୍ତି। ବିଶେଷ କରି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସେମାନଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସାମୁଦ୍ରିକ ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବାରେ ଏହି କଙ୍କଡ଼ା ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ଶତ୍ରୁକୁ ଦେଖିଲେ ମୁନିଆ ଲାଞ୍ଜରେ କିଛି ରାସାୟନିକ ପଦାର୍ଥ ପକାଇ ଆଘାତ ଦେବାକୁ ସେମାନେ ପଛାଇ ନ ଥାନ୍ତି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା, ଷୋଳ ମୁହାଣ, ଲାଞ୍ଚ ଖୋଲା, ତଣ୍ଡା, ଅଗରନାଶି, ବରୁଣାଇ ମୁହାଣ ଓ ମହାନଦୀ ଅବବାହିକାରେ ଏହି କଙ୍କଡ଼ା ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି।
୧୯୭୧, ୧୯୮୨,୧୯୯୯ ମହାବାତ୍ୟା ପରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ଧୀରେ ଧୀରେ ଏହି କଙ୍କଡ଼ା ବଂଶ ଲୋପ ପାଇବାକୁ ବସିଛି। ସେଥିପାଇଁ ସେମାନଙ୍କ ଜିଓ ଟ୍ୟାଗିଂ ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଓ ବନ ବିଭାଗର ମିଳିତ ପ୍ରୟାସରେ ପ୍ରଥମେ ବାଲେଶ୍ୱର ଜିଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ବିରଳ ପ୍ରଜାତିର ୭୦ କଙ୍କଡ଼ାର ଜିଓ ଟ୍ୟାଗିଂ ହୋଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ତେବେ କେନ୍ଦ୍ରାପଡ଼ା ଜିଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଏଥିପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଏ ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ। ନିର୍ଦ୍ଦେଶ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

The post ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି appeared first on Dharitri Odia News.