ଟୋକନ ଆସିଲା, ଧାନ ଉଠିଲାନି

ବଲାଙ୍ଗୀର,୭ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଡିସେମ୍ବର ୨ ତାରିଖରୁ ଧାନକିଣା ଆରମ୍ଭ ହେବ ବୋଲି ଜିଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ କୌଣସି ମଣ୍ଡିରେ ଚାଷୀଙ୍କ ଧାନ କିଣାଯାଇ ନ ଥିବା ଜଣାପଡିଛି। ମଣ୍ଡି ଗୁଡିକ ସହ ରାଇସ୍‌ ମିଲର୍ସଙ୍କ ଟ୍ୟାଗିଂ ହୋଇପାରି ନ ଥିବାରୁ ଧାନ କିଣାରେ ବିଳମ୍ବ ହେଉଥିବା କୁହାଯାଉଛି। ଧାନକିଣା ବିଳମ୍ବ ହେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲା ପ୍ରଶାସନ କୌଣସି ପ୍ରସ୍ତୁତି ନ […] The post ଟୋକନ ଆସିଲା, ଧାନ ଉଠିଲାନି appeared first on Dharitri Odia News.

ଟୋକନ ଆସିଲା, ଧାନ ଉଠିଲାନି

ବଲାଙ୍ଗୀର,୭ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଡିସେମ୍ବର ୨ ତାରିଖରୁ ଧାନକିଣା ଆରମ୍ଭ ହେବ ବୋଲି ଜିଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ କୌଣସି ମଣ୍ଡିରେ ଚାଷୀଙ୍କ ଧାନ କିଣାଯାଇ ନ ଥିବା ଜଣାପଡିଛି। ମଣ୍ଡି ଗୁଡିକ ସହ ରାଇସ୍‌ ମିଲର୍ସଙ୍କ ଟ୍ୟାଗିଂ ହୋଇପାରି ନ ଥିବାରୁ ଧାନ କିଣାରେ ବିଳମ୍ବ ହେଉଥିବା କୁହାଯାଉଛି। ଧାନକିଣା ବିଳମ୍ବ ହେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲା ପ୍ରଶାସନ କୌଣସି ପ୍ରସ୍ତୁତି ନ କରି କିଭଳି ଭାବେ ଧାନକିଣା ତାରିଖ ଘୋଷଣା କଲେ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ଏହାସହିତ ଚାଷୀମାନେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଗତ ୨ ତାରିଖରେ ମଣ୍ଡିରେ କୌଣସି ସୁବ୍ୟବସ୍ଥା ନ ହେବା ସତ୍ତ୍ୱେ ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ବେଲପଡା ବ୍ଲକ ମଣ୍ଡଳ ଗାଁସ୍ଥିତ ମଣ୍ଡିରେ ଧାନକିଣା ଆରମ୍ଭ ହେଲା ବୋଲି କହିଥିଲେ। ସେତେବେଳେ ଯାଏ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିନଥିଲା। ଏହାପରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ୪ ତାରିଖ ଦିନ ଧାନକିଣା ଆରମ୍ଭ ହେବ ବୋଲି କୁହାଯାଇଥିଲା। ହେଲେ ଆଜି ଯାଏ ଧାନକିଣା ଆରମ୍ଭ ହୋଇ ନ ଥିବା ଜଣାପଡିଛି। ବଲାଙ୍ଗୀର ସହର ଉପକଣ୍ଠ ସଦର ବ୍ଲକର ସଦାଇପାଲି ମଣ୍ଡିରେ ଶୁକ୍ରବାର ଜଣେ ବି ଚାଷୀଙ୍କ ଠାରୁ ଧାନକିଣା ହୋଇନଥିବା ଜଣାପଡିଥିଲା। ମଣ୍ଡିକୁ ମିଲର୍ସଙ୍କ ସହ ଟ୍ୟାଗିଂ କରାଯାଇ ନ ଥିବାରୁ ଧାନକିଣା ଆରମ୍ଭ ହୋଇନାହିଁ ବୋଲି ମଣ୍ଡି ସଭାପତି ସନାତନ ସାଏ ସୂଚନା ଦେଇଛନ୍ତି। ସଦାଇପାଲି ମଣ୍ଡିରେ ଗୋଟିଏ ବି ଚାଷୀ ଧାନ ଆଣିନଥିଲେ। ଏନେଇ ଜିଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କୁ ପଚରାଯିବାରୁ, ଜିଲାର ଅନେକ ଅଞ୍ଚଳର ଚାଷୀଙ୍କୁ ଟୋକନ ଦିଆସରିଛି। ମିଲର୍ସ ଟ୍ୟାଗିଂ ମଧ୍ୟ ସରିଛି। ଶନିବାରଠାରୁ ଧାନକିଣା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଚଳିତ ଖରିଫ ଋତୁରେ ବଲାଙ୍ଗୀର ଜିଲାର ୯୫,୦୮୭ ପଞ୍ଜୀକୃତ ଚାଷୀଙ୍କଠାରୁ ୧୭୬ଟି ମଣ୍ଡି (୧୫୮ ପେକ୍ସ ଏବଂ ୧୮ ଏସଏଚଜି ) ଜରିଆରେ ୩୪ ଲକ୍ଷ ୯ ହଜାର ୭୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆରମ୍ଭରୁ ଧାନକିଣା ଅବ୍ୟବସ୍ଥା ଦେଖାଦେଇଥିବାରୁ ଚାଷୀ ମହଲରେ ଚିନ୍ତା ପ୍ରକଟ ପାଇଛି।

The post ଟୋକନ ଆସିଲା, ଧାନ ଉଠିଲାନି appeared first on Dharitri Odia News.