ଦଳତ୍ୟାଗୀଙ୍କୁ ଆଦର

ସହଦେବ ସାହୁ ସାଧାରଣ ଆଇନରେ କେତେକ ଧାରା ଶେଷରେ ବ୍ୟତିକ୍ରମ/ ସର୍ତ୍ତ (ଏକ୍ସସେପ୍ସନ୍‌/ ପ୍ରୋଭାଇଜୋ) ଥାଏ, ଆଇନରେ ଏହା ଗଳାବାଟ। ସେଗୁଡ଼ିକ ଲିଖିତ ହୋଇଥିବାରୁ ଦୃଶ୍ୟ; କେତେକ ଗଳାବାଟ ଉହ୍ୟ, ବ୍ୟାଖ୍ୟାଗତ, କେବଳ ଲିଖିତ ଶବ୍ଦଗୁଡ଼ିକରୁ ମାନେ କାଢ଼ି ହୁଏ। ଆଗରୁ ମୁଁ ବାରମ୍ବାର କହିଆସିଛି ଯେ ୧୯୮୫ର ଦଳବଦଳ ନିରୋଧ ଆଇନ ଆଣି କଂଗ୍ରେସ ପରିଚାଳିତ ଉପା (ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲାୟାନ୍ସ) ସରକାର ଦଳପତିକୁ ବେଖାତିର୍‌ କରୁଥିବା ବା ଦଳଛାଡୁଥିବା ବ୍ୟକ୍ତିମାନଙ୍କୁ ନିର୍ଦ୍ଦଳୀୟ କରାଇଦେଲେ, ମାନେ […] The post ଦଳତ୍ୟାଗୀଙ୍କୁ ଆଦର appeared first on Dharitri Odia News.

ଦଳତ୍ୟାଗୀଙ୍କୁ ଆଦର

ସହଦେବ ସାହୁ

ସାଧାରଣ ଆଇନରେ କେତେକ ଧାରା ଶେଷରେ ବ୍ୟତିକ୍ରମ/ ସର୍ତ୍ତ (ଏକ୍ସସେପ୍ସନ୍‌/ ପ୍ରୋଭାଇଜୋ) ଥାଏ, ଆଇନରେ ଏହା ଗଳାବାଟ। ସେଗୁଡ଼ିକ ଲିଖିତ ହୋଇଥିବାରୁ ଦୃଶ୍ୟ; କେତେକ ଗଳାବାଟ ଉହ୍ୟ, ବ୍ୟାଖ୍ୟାଗତ, କେବଳ ଲିଖିତ ଶବ୍ଦଗୁଡ଼ିକରୁ ମାନେ କାଢ଼ି ହୁଏ। ଆଗରୁ ମୁଁ ବାରମ୍ବାର କହିଆସିଛି ଯେ ୧୯୮୫ର ଦଳବଦଳ ନିରୋଧ ଆଇନ ଆଣି କଂଗ୍ରେସ ପରିଚାଳିତ ଉପା (ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲାୟାନ୍ସ) ସରକାର ଦଳପତିକୁ ବେଖାତିର୍‌ କରୁଥିବା ବା ଦଳଛାଡୁଥିବା ବ୍ୟକ୍ତିମାନଙ୍କୁ ନିର୍ଦ୍ଦଳୀୟ କରାଇଦେଲେ, ମାନେ ସେ ଦଳ ଭିତରେ ଥାଇ ଯେଉଁସବୁ ସୁବିଧା (ପ୍ରିଭିଲେଜ୍‌) ପାଉଥିଲା ଆଉ ପାଇବ ନାହିଁ। ମାତ୍ର ଏ ବ୍ୟବସ୍ଥା ଦଳ ଭିତରେ ବିଦ୍ରୋହ ବନ୍ଦ କରିପାରିଲା ନାହିଁ। ମନେହେଲା, ସାଂସଦ ବା ବିଧାୟକ ପଦରୁ ତଡ଼ା ହେବା ଡର ହିଁ ବିଶୃଙ୍ଖଳା ବନ୍ଦ ହେବ। ଭାଜପା ପରିଚାଳିତ ଏନ୍‌ଡିଏ (ନ୍ୟାଶନାଲ୍‌ ଡିମୋକ୍ରାଟିକ୍‌ ଆଲାୟାନ୍ସ) ସରକାର ତାହା ହିଁ କଲେ, ୨୦୦୩ର ସମ୍ବିଧାନ ସଂଶୋଧନ ଆଇନ ଆଣିଲେ, ବିଶୃଙ୍ଖଳା ଯୋଗୁ ଦଳରୁ ବହିଷ୍କାର ହୋଇଥିବା ସଦସ୍ୟଙ୍କୁ ତା’ର ବିଧାୟକ ବା ସାଂସଦ ପଦ ପାଇଁ ଅଯୋଗ୍ୟ ଘୋଷଣା କରିହେବ, ଯଦି ଦଳର ସୁପାରିସ୍‌କୁ ବାଚସ୍ପତି ଗ୍ରହଣ କରନ୍ତି। ଉକ୍ତ ବ୍ୟକ୍ତି ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ ବି ସେ ଆସନ ହରାଇବେ। ଦଳର ନିଷ୍ପତ୍ତି ଭୋଟରଙ୍କ ନିଷ୍ପତ୍ତିଠାରୁ ଉଚ୍ଚତର ହେଲା। ଦୁଇଟି ବୃହତ୍ତମ ଜାତୀୟ ଦଳ ଭୋଟରମାନଙ୍କ ମତକୁ ତୁଚ୍ଛ କରିଦେଲେ। ୨୦୨୪ ନିର୍ବାଚନ ଜଣାଇଦେଲା, ଏହି ବୃହତ୍ତମ ଦଳ ଦୁଇଟି ଯେ କୌଣସି ଦଳତ୍ୟାଗୀକୁ କୋଳେଇ ନେବେ, ବସ୍ତୁତଃ ସେହି ଦୁଇ ଦଳ ଆଣିଥିବା ୧୯୮୫ ଓ ୨୦୦୩ ସମ୍ବିଧାନ ସଂଶୋଧନ ଆଇନକୁ ଉପେକ୍ଷା କରି। କାରଣ ନିର୍ବାଚନ ପାଖାପାଖି ଦଳ ବଦଳ କଲେ କୋଣସି ଦଣ୍ଡ ନାହିଁ। ଦଳତ୍ୟାଗୀକୁ ସିନା ମୂଳ ଦଳ ଫେରସ୍ତ ନେଇ ନ ପାରେ, ଅନ୍ୟ ଦଳ ଯେ ନେଇପାରିବେ ନାହିଁ ଏମିତି ପ୍ରାବଧାନ ଆଇନରେ ନାହିଁ; କିମ୍ବା ଦଣ୍ଡିତ ବ୍ୟକ୍ତି ତା’ର ପିଛିଲା ଦରମା ଫେରାଇବ ଓ ପେନ୍‌ସନ୍‌ ହରାଇବ ଏମିତି ଦଣ୍ଡ ନାହିଁ। ଉଭୟ କଂଗ୍ରେସ ଓ ଭାଜପା ନିଜ ନିଜର ସାମ୍ମୁଖ୍ୟ ବା ମେଣ୍ଟ କରିଥିଲେ ବି ଦଳତ୍ୟାଗୀମାନଙ୍କୁ ନିଜ ଦଳରେ ଗ୍ରହଣ କରିଛନ୍ତି। ଏହାର ବଡ଼ କାରଣ ଯେ, ଯେଉଁ ଯେଉଁ ନିର୍ବାଚନମଣ୍ଡଳୀରେ ଦଳତ୍ୟାଗୀର ପ୍ରଭାବ ବା ଜନପ୍ରିୟତା ବେଶି ବୋଲି ଦଳ ଭାବୁଛି ଓ ପରୋକ୍ଷରେ ନିଜର ପଦଚିହ୍ନ (ଫୁଟ୍‌ପ୍ରିଣ୍ଟ) ପ୍ରାୟ ନାହିଁ ବୋଲି ଭାବୁଛି ସେହିଠାରେ ତାକୁ ପ୍ରାର୍ଥୀ କରିନେଇଛି। ସାମ୍ପ୍ରତିକ ନିର୍ବାଚନ ପାଇଁ ଭାଜପା ୩୧ ମାର୍ଚ୍ଚ ସୁଦ୍ଧା ଯେଉଁ ତାଲିକା ପ୍ରକାଶ କରିଥିଲା ତହିଁରେ ୯ଟି କିସ୍ତିରେ ୪୧୭ ଲୋକ ସଭା ପ୍ରାର୍ଥୀ ଭିତରେ ୧୧୬ ଜଣ ବା ୨୮% ଅନ୍ୟ ଦଳରୁ ଆସିଛନ୍ତି – ପ୍ରତି ୪ ଜଣରେ ଜଣେ ଦଳବଦଳି (ଡିଫେକ୍ଟର, ଟର୍ନକୋଟ୍‌) ଅଛନ୍ତି, ସଂଖ୍ୟାଧିକ କଂଗ୍ରେସରୁ ଆସିଛନ୍ତି। କଂଗ୍ରେସରୁ ୩୭, ବିଆର୍‌ଏସ୍‌ ୯, ବିଏସ୍‌ପି ୮, ଟିଏମ୍‌ସି ୭, ବିଜେଡି ୬, ଏନ୍‌ସିପି ୬, ଏସ୍‌ପି ୬ ଓ ଏଆଇଡିଏମ୍‌କେ ୪। ଯେଉଁ ଯେଉଁ ଅଞ୍ଚଳରେ ଦଳ ସାଧାରଣତଃ ଦୁର୍ବଳ ସେଠିକୁ ବ୍ୟାପିବାର ଏ ଏକ ଚେଷ୍ଟା। ବହୁଦିନ ଧରି ଅନୁଗତ ଥିବା ବ୍ୟକ୍ତିମାନେ ଦଳପତିଙ୍କଠାରେ ପ୍ରତିବାଦ କରୁଛନ୍ତି, ବିରୋଧ ବି କରୁଛନ୍ତି, ତଥାପି ଦଳତ୍ୟାଗୀଙ୍କୁ ନିଆଯାଉଛି। ବେଳେ ବେଳେ ଦଳତ୍ୟାଗୀ ପୁରୁଷ ଏମ୍‌ପିକୁ ଟିକଟ ନ ଦେଇ ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି, ଯଥା ଗୁଜରାଟର ସାବରକଣ୍ଟାର ଏମ୍‌ପି ଥିବା ଭିଖାଜି ଠାକ୍‌ରେଙ୍କୁ ନ ଦେଇ ଭାଜପା ଦଳରେ ଏବେ ଯୋଗଦେଇଥିବା ଜଣେ ଭୂତପୂର୍ବ କଂଗ୍ରେସ ବିଧାୟକଙ୍କ ସ୍ତ୍ରୀକୁ ପ୍ରାର୍ଥୀ କରିଥିଲା। ଏମାନେ ଭାଜପାର ମୂଳ ନୀତି ସହ କେବେ ଯୋଡ଼ି ହୋଇ ନ ଥିଲେ। ମୂଳ କାରଣ ନୂଆ କରି ଆସିଥିବା ଏହିମାନଙ୍କ ଅଞ୍ଚଳରେ ଭାଜପାର ନାଁ ନ ଥିଲା। ତେଣୁ ଭାଜପା ପାଦଚିହ୍ନ ନୂଆ ନୂଆ ଜାଗାକୁ ବ୍ୟାପିବ ବୋଲି ସେମାନଙ୍କ ଆଶା। ୧୩ ଦଳବଦଳିଙ୍କ ନଁାରେ କେନ୍ଦ୍ରୀୟ ସଂସ୍ଥା ଯାଞ୍ଚ କରୁଥିଲେ ବି ସେମାନଙ୍କୁ ପ୍ରାର୍ଥୀ କରାଯାଇଛି, (ତା’ ଭିତରୁ ୯ ହାରିଯାଇଛନ୍ତି)। ଓଡ଼ିଶାର ଉଦାହରଣ ଦେବା ଉଚିତ ମନେକରୁନାହିଁ।
ଏଥର ନିର୍ବାଚନ ପରେ ଇଣ୍ଡିଆ ସାମ୍ମୁଖ୍ୟ ସରକାର ଗଢ଼ିପାରିଥିଲେ କଂଗ୍ରେସର ଶାସନ ଚାଲିଥାନ୍ତା, କଂଗ୍ରେସ୍‌ ତା’ର ଆଶାନୁସାରେ ବେଶି ଆସନ ପାଇଥିଲେ ବି ସରକାର ଗଢ଼ିବାର ସଂଖ୍ୟା ହାସଲ କରିବା ପାଇଁ ଆଉ ଆକ୍ରମଣାତ୍ମକ ଉଦ୍ୟମ କରୁନାହିଁ, କାରଣ ୧୯୯୯ର ଶିକ୍ଷା ସୋନିଆ ଗାନ୍ଧୀଙ୍କୁ ଡରାଇଦେଇଛି। ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେଲା ପରେ ସେ ଲୋକ ସଭାରୁ ଇସ୍ତଫା ଦେବା କଥା, ନ ଦେଇଥିଲେ ବି ଏମ୍‌ପି ପଦ ଛାଡ଼ିଛନ୍ତି ବୋଲି ଧରିନେବା କଥା। ମୁଖ୍ୟ ଶାସନ ସଚିବ ହିସାବରେ ମୁଁ ତାଙ୍କର ଦିଲ୍ଲୀଗସ୍ତ ପ୍ରୋଗ୍ରାମ୍‌ ଦେଖି ନ ଯିବାକୁ ପରାମର୍ଶ ଦେଇଥିଲି। ସେ କହିଲେ, କାଲି (୧୭ ଏପ୍ରିଲ୍‌ ୧୯୯୯) ଅଟଳବିହାରୀ ବାଜପେୟୀ ତାଙ୍କ ସରକାର ପାଇଁ ଆସ୍ଥା ଭୋଟ ଲୋଡ଼ିବେ, ମାଡାମ୍‌ କହିଛନ୍ତି ମୁଁ ଏମ୍‌ପି ପଦରୁ ଇସ୍ତଫା ଦେଇ ନ ଥିବାରୁ ଭୋଟ୍‌ ଦେଇପାରିବି। ମାଡାମ୍‌ଙ୍କ କଥା ନ ରଖିଲେ ମୋତେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇପାରନ୍ତି। ସେ ଦିଲ୍ଲୀ ଗଲେ, ଭୋଟ ଦେଲେ, ତାଙ୍କର ଗୋଟିଏ ଭୋଟ ହିଁ (୨୬୯ ହଁ – ୨୭୦ ନା) ବାଜପେୟୀଙ୍କ ସରକାରକୁ ହରାଇଲା। କିନ୍ତୁ ଏପ୍ରିଲ ୨୫ ସୁଦ୍ଧା ସୋନିଆ ସରକାର ଗଢ଼ିପାରିଲେ ନାହିଁ। ପରିସ୍ଥିତି କିପରି ଥିଲା ଜାଣିବା ଦରକାର। ସେତେବେଳକୁ ସୋନିଆ ଗାନ୍ଧୀ କଂଗ୍ରେସରେ ପ୍ରେସିଡେଣ୍ଟ ହେବାର ବର୍ଷେ ହୋଇଥାଏ, ୨୭୨ ଏମ୍‌ପିଙ୍କ ସମର୍ଥନ ଦାବି କରି ସେ ରାଷ୍ଟ୍ରପତି କେ. ଆର୍‌. ନାରାୟଣଙ୍କୁ ଦେଖାକରି ସରକାର ଗଢ଼ିବାର ଦାବି ଉପସ୍ଥାପନ କଲେ। ସୋନିଆ ଗାନ୍ଧୀ ଯେତେବେଳେ ଶୁଣିଲେ ଯେ ମୁଲାୟମ୍‌ ସିଂ ଯାଦବ, ଆର୍‌ଏସ୍‌ପି ଓ ଫର୍‌ଓ୍ବାର୍ଡ ବ୍ଲକ୍‌ କଂଗ୍ରେସ ସରକାରକୁ ସମର୍ଥନ କରିବେ ନାହିଁ। ସେମାନେ ଏକ ତୃତୀୟ ସାମ୍ମୁଖ୍ୟ କରି କଂଗ୍ରେସ ବାହାରୁ ସମର୍ଥନ କରୁ ବୋଲି ଚାହିଁଲେ। ହତାଶ ସୋନିଆ ଏପ୍ରିଲ ୨୫ରେ ନାରାୟଣଙ୍କୁ ଜଣାଇଲେ ଯେ ସେ ସରକାର ଗଢ଼ିପାରିବେ ନାହିଁ। ଏପରି ଭାବେ ଚେଙ୍କ ପାଇଥିବା କଂଗ୍ରେସ ଅପେକ୍ଷା କରିବାକୁ ଚାହୁଁଛି କେତେବେଳେ ଏନ୍‌ଡିଏ ମେଣ୍ଟରେ ଫାଟ ଆସିବ ଆଉ ସେ ଡେଇଁ ପଡ଼ିବେ। ଅନ୍ୟ ଦଳମାନେ, ବିଶେଷତଃ ତୃଣମୂଳ କଂଗ୍ରେସ ଓ ଆପ୍‌, ଏନ୍‌ଡିଏରୁ କିଛି ଅସନ୍ତୁଷ୍ଟଙ୍କୁ ଶିକାର କରିବାକୁ ଚାହୁଁଥିଲେ। ଶୁଣାଯାଏ ନିର୍ବାଚନ ଫଳ ବାହାରୁଥିବା ଦିନ ତୃଣମୂଳର ମମତା ଏସ୍‌ପିର ଅଖିଳେଶ ଯାଦବକୁ କହିଲେ, ୧୯୯୦ଦଶକର ମଧ୍ୟଭାଗର ୟୁନାଇଟେଡ୍‌ ଫ୍ରଣ୍ଟ ଦିନଠାରୁ ତୁମ ବାପା(ମୁଲାୟମ୍‌ ସିଂ ଯାଦବ)ଙ୍କ ସାଙ୍ଗ ଥିବା ଟିଡିପିର ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଏବଂ ଜେଡି(ୟୁ)ର ନୀତୀଶ କୁମାରଙ୍କ ସହ କଥାବାର୍ତ୍ତା କର, ଭାଜପା ସାମ୍ମୁଖ୍ୟରୁ ସେମାନେ ବାହାରି ଆସନ୍ତୁ, ଇଣ୍ଡି ଆଲାୟାନ୍ସରେ ଯୋଗ ଦିଅନ୍ତୁ। ପରେ ମମତାଙ୍କ ପୁତୁରା ଅଭିଷେକ ଓ ଦଳର ସାଙ୍ଗ ଡେରେକ୍‌ ଓବ୍ରାଏନ୍‌ ଦିଲ୍ଲୀରେ ଯାଦବଙ୍କ ସଙ୍ଗେ କଥାବାର୍ତ୍ତା ହୋଇଥିଲେ। କିନ୍ତୁ କଂଗ୍ରେସର ନୀରବତା ଶ୍ରୀ ମୋଦିଙ୍କ ନ୍ୟାଶନାଲ୍‌ ଡିମୋକ୍ରାଟିକ୍‌ ଆଲାୟାନ୍ସକୁ ଦୃଢ଼ କଲା। ଫଳ ଆଜିର ସରକାର।
sahadevas@yahoo.com

The post ଦଳତ୍ୟାଗୀଙ୍କୁ ଆଦର appeared first on Dharitri Odia News.