ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ କାହିଁକି ଆସିପାରିଲେନି ଶଙ୍କରାଚାର୍ଯ୍ୟ ?
ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି।
ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ କାହିଁକି ଗଲେନି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ? ତାକୁ ନେଇ ଏବେ ଲାଗିରହିଛି ନାନା ଚର୍ଚ୍ଚା। ଗୋବର୍ଦ୍ଧନ ପୀଠର ଲୋକସମ୍ପର୍କ ଅଧିକାରୀ କହିଛନ୍ତି, ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି।
ବର୍ତ୍ତମାନ ପଶ୍ଚିମବଙ୍ଗ ଗଙ୍ଗା ସ୍ନାନ ଉତ୍ସବରେ ଶଙ୍କରାଚାର୍ଯ୍ୟ ମୁଖ୍ୟ ପୁରୋଧା ଭାବେ ସାମିଲ ହୋଇଛନ୍ତି। ପୂର୍ବରୁ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ସକାଳୁ ସକାଳୁ ଉତ୍ସବ ମୁଖରିତ ହୋଇଥିଲା ଶ୍ରୀକ୍ଷେତ୍ର। ତ୍ରିଦିନାତ୍ମକ ଯଜ୍ଞକୁଣ୍ଡରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଘୃତାହୂତି ପ୍ରଦାନ ଚାଲିଥିଲା ତ ଅନ୍ୟପଟେ ନାମ ସଂକୀର୍ତ୍ତନରେ କଂପୁଥିଲା ନବନିର୍ମିତ ପରିକ୍ରମା ମାର୍ଗ। ଧିରେ ଧିରେ ଅତିଥିମାନଙ୍କ ଆଗମନ ଭିତରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ। ଠିକ ପରେ ପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆପାଟ ଦେଇ ସ୍ୱାଗତ କରାଯିବା ପରେ ପାଛୋଟି ନେଇଥିଲେ ଗଜପତି। ସେଠୁ ଉଭୟେ ସିଧା ପରିକ୍ରମା ପ୍ରକଳ୍ପ ଫଳକ ସ୍ଥଳକୁ ଯାଇଥିଲେ। ଗଜପତିଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପ ମାର୍ଗକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। ତା’ପରେ ହୋଇଥିଲା ପ୍ରଦକ୍ଷଣ କାର୍ଯ୍ୟକ୍ରମ। ଗଜପତି ମହାରାଜାଙ୍କ ସହ ମୁଖ୍ୟମନ୍ତ୍ରୀ ନବ ନିର୍ମିତ ପରିକ୍ରମା ମାର୍ଗକୁ ଚାଲି ଚାଲି ପ୍ରଦକ୍ଷଣ କରିଥିଲେ।