ପେଜର୍‌ ବ୍ଲାଷ୍ଟ ପଛରେ ମୋସାଦ, ଆଖି ହରାଇଲେ ଇରାନ୍‌ ରାଷ୍ଟ୍ରଦୂତ

ପେଜର ବିସ୍ଫୋରଣରେ ଇରାନର ରାଷ୍ଟ୍ରଦୂତ ମୋଜତବା ଆମାଇଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଅନ୍ୟ ଏକ ଆଖିରେ ବି ଗୁରୁତର ଆଘାତ ଲାଗିଛି। ତାଙ୍କୁ ତେହରାନର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପେଜର୍‌ ବ୍ଲାଷ୍ଟ ପଛରେ ମୋସାଦ, ଆଖି ହରାଇଲେ ଇରାନ୍‌ ରାଷ୍ଟ୍ରଦୂତ

ବିପ୍‌…ବିପ୍‌…ବିପ୍ ଶବ୍ଦ ହେଲା। ତା'ପରେ ହେଲା ଜୋରଦାର ବିସ୍ଫୋରଣ। ଲେବାନନ ଓ ସିରିଆରେ ହୋଇଥିବା ପେଜର ବିସ୍ଫୋରଣରେ କିଏ ନିଜ ଗୋଡ଼ ହରାଇଛି ତ ଆଉ କିଏ ହାତ। ସେହିପରି ଅନେକ ପ୍ରାଣ ହରାଇଛନ୍ତି। ଏହି ପେଜର୍ ବିସ୍ଫୋରଣରେ ଲେବାନନରେ ଇରାନର ରାଷ୍ଟ୍ରଦୂତ ଗୋଟିଏ ଆଖି ହରାଇଥିବାବେଳେ ଲେବାନନ୍ ସାଂସଦଙ୍କ ପୁଅର ମୃତ୍ୟୁ ଘଟିଛି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ, ପେଜର ବିସ୍ଫୋରଣରେ ଇରାନର ରାଷ୍ଟ୍ରଦୂତ ମୋଜତବା ଆମାଇଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଅନ୍ୟ ଏକ ଆଖିରେ ବି ଗୁରୁତର ଆଘାତ ଲାଗିଛି। ତାଙ୍କୁ ତେହରାନର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଇରାନର ରାଷ୍ଟ୍ରଦୂତ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ତାଙ୍କ ଡ୍ରେସ୍‌ ପୂରା ରକ୍ତରେ ଭିଜି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କର ଗୋଟିଏ ଆଖି ମଧ୍ୟ ନଷ୍ଟ ହୋଇଥିବା ନଜର ଆସିଛି।

ସେପଟେ ଏହି ଆକ୍ରମଣ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ସୂତ୍ରରୁ ଜଣାପଡିଛି। ଲେବାନନ ଦାବି କରିଛି ଯେ, ହିଜବୁଲ୍ଲା ଆତଙ୍କବାଦୀମାନେ ଏହି ପେଜରକୁ କିଣିବା ସମୟରେ ହିଁ ଏଥିରେ ମୋସାଦ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା। ପ୍ରତିଟି ପେଜର୍‌ରେ ତିନି ଗ୍ରାମ ବିସ୍ଫୋରକ ସାମଗ୍ରୀ ଖଞ୍ଜା ଯାଇଥିଲା।

ଇସ୍ରାଏଲୀ ଶତ୍ରୁ ତଥା ମୋସାଦର ନଜରରୁ ବର୍ତ୍ତିବା ପାଇଁ ହିଜବୁଲ୍ଲା ତା'ର ଯୁବକମାନଙ୍କ ପାଇଁ ୫ ହଜାର ପେଜର୍ କିଣିଥିଲା। ତାଇୱାନର ଗୋଲ୍ଡ ଆପୋଲୋ ଅନୁଯାୟୀ, ଏହାକୁ ହିଜବୁଲ୍ଲାର ନିର୍ଦ୍ଦେଶରେ BAC କମ୍ପାନୀ ପ୍ରସ୍ତୁତ କରିଥିଲା। ହିଜବୁଲ୍ଲା ପୂର୍ବରୁ ଭୟ କରୁଥିଲେ ଯେ ଯଦି ସେମାନଙ୍କ ଯୁବକମାନେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି, ତେବେ ମୋସାଦ ସେମାନଙ୍କୁ ହ୍ୟାକ୍ କରି ହତ୍ୟା କରିବ। ସେଥିପାଇଁ ସମସ୍ତଙ୍କ ପାଇଁ ପେଜର୍ ଅର୍ଡର କରାଯାଇଥିଲା। କିନ୍ତୁ ଏଥିରେ ବି ଏବେ ବିସ୍ଫୋରଣ ହୋଇଛି। ଏହି କାରଣରୁ ହିଜବୁଲ୍ଲା ଆତଙ୍କବାଦୀମାନେ ଭୟଭୀତ ହୋଇପଡିଛନ୍ତି।

କହିରଖୁ ଯେ, ଗତକାଲି ଲେବାନନରେ ସିରିଏଲ୍ ପେଜର୍‌ ବ୍ଲାଷ୍ଟ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୩୦୦୦ରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।