ବାଲେଶ୍ବର ସହରରେ କର୍ଫ୍ୟୁ ବଳବତ୍ତର:ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ୱର ଅଫିସ,୧୯/୬(ମାନସ ବିଶ୍ବାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଶାନ୍ତ ହୋଇପଡ଼ିଥିବା ବାଲେଶ୍ୱର ସହରରେ କର୍ଫ୍ୟୁ ବୁଧବାର ବି ବଳବତ୍ତର ରହିଛି। ଏଥିସହିତ ମଙ୍ଗଳବାର ଅପରାହ୍ନରୁ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ସୋମବାର ବିଳମ୍ବିତ ରାତିରୁ କର୍ଫ୍ୟୁ କଟକଣା ଲାଗୁ ହୋଇଥିବାବେଳେ ଆଜି ରାତି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ସହରର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପଇଁତରା ମାରୁଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ […] The post ବାଲେଶ୍ବର ସହରରେ କର୍ଫ୍ୟୁ ବଳବତ୍ତର:ଇଣ୍ଟରନେଟ ସେବା ବନ୍ଦ appeared first on Dharitri Odia News.

ବାଲେଶ୍ବର ସହରରେ କର୍ଫ୍ୟୁ ବଳବତ୍ତର:ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ୱର ଅଫିସ,୧୯/୬(ମାନସ ବିଶ୍ବାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ଅଶାନ୍ତ ହୋଇପଡ଼ିଥିବା ବାଲେଶ୍ୱର ସହରରେ କର୍ଫ୍ୟୁ ବୁଧବାର ବି ବଳବତ୍ତର ରହିଛି। ଏଥିସହିତ ମଙ୍ଗଳବାର ଅପରାହ୍ନରୁ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ସୋମବାର ବିଳମ୍ବିତ ରାତିରୁ କର୍ଫ୍ୟୁ କଟକଣା ଲାଗୁ ହୋଇଥିବାବେଳେ ଆଜି ରାତି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ସହରର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପଇଁତରା ମାରୁଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶା ପୋଲିସର ୪୦ ପ୍ଲାଟୁନ ଫୋର୍ସ ଓ ଅଧିକାରୀ ନିୟୋଜିତ ଥିବା ବେଳେ ୬ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି।
ପୂର୍ବାଞ୍ଚଳ ଜୋନ ଆଇଜି ଦୀପକ କୁମାର ଓ ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କ ସମେତ ଜିଲାସ୍ତରୀୟ ପୋଲିସ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତରା ମାରୁଛି। ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି। କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଗୋଷ୍ଠୀ ବିବାଦ ଜନିତ ହିଂସାକାଣ୍ଡ ଓ ଭଙ୍ଗାରୁଜାକୁ ନେଇ ରୁଜୁ ହୋଇଥିବା ୧୫ଟି ମାମଲାରେ ମୋଟ ୫୦ରୁ ଉଦ୍ଧ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଆସିବାର ନିର୍ଦେଶ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ନାଳରେ ପ୍ରବାହିତ ଲାଲ୍‌ ରଙ୍ଗର ପାଣିକୁ ନେଇ ସୋମବାର ସକାଳ ୧୦ଟା ବେଳେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର ମାଡ଼ ପରେ ବାଲେଶ୍ୱର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ୧୪୪ଧାରା ଜାରି କରିଥିଲା। ରାତି ପ୍ରାୟ ୧୧ଟା ବେଳେ ଟାଉନ ଥାନାକୁ ଉଭୟ ଗୋଷ୍ଠୀ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ଥାନାରୁ ପଳାଇ ଆସିଥିଲେ। ମଧ୍ୟରାତ୍ରରେ ସୋଏଲପୁରସ୍ଥିତ ମସ୍‌ଜିଦ୍‌ ଓ ପାତ୍ରପଡାସ୍ଥିତ ମସ୍‌ଜିଦ୍‌ରେ ଗୋଟିଏ ଗୋଷ୍ଠୀ ପଶି ଭଙ୍ଗାରୁଜା କରିଥିଲେ। ଉକ୍ତ ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ୧୪୪ଜଣ ଲୋକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସ୍‌ପି ସାଗରିକା ନାଥ ଓ ଜିଲାପାଳ ଆଶିଷ ଠାକ୍‌ରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ କର୍ଫ୍ୟୁ ଜାରି କରାଯାଇଥିଲା।

The post ବାଲେଶ୍ବର ସହରରେ କର୍ଫ୍ୟୁ ବଳବତ୍ତର:ଇଣ୍ଟରନେଟ ସେବା ବନ୍ଦ appeared first on Dharitri Odia News.