ବିଜେଡିରୁ ଭାଜପା, ଭାଜପାରୁ ବିଜେଡି

ଯାଜପୁର,୨୬/୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରାଜନୀତି ବେଶ୍‌ ରୋଚକ ରହିଆସିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଭାଜପା ନେତା ବିଜେଡିରେ ଏବଂ ଏବେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାଜପା ଶିବିରାର୍ଥୀ ହୋଇଛନ୍ତି। ଦଳୀୟ ଟିକେଟ ପାଇବା ସର୍ତ୍ତରେ ଉଭୟ ଭାଜପା ଓ ବିଜେଡି ନେତା ବିରୋଧୀ ଶିବିରକୁ ଲମ୍ଫ ମାରୁଛନ୍ତି। କରୋନା ପରେ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକ ବିଜେଡିରେ ଯୋଗଦେଇଥିବାବେଳେ ଏବେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦେବାଶିଷ […] The post ବିଜେଡିରୁ ଭାଜପା, ଭାଜପାରୁ ବିଜେଡି appeared first on Dharitri Odia News.

ବିଜେଡିରୁ ଭାଜପା, ଭାଜପାରୁ ବିଜେଡି

ଯାଜପୁର,୨୬/୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରାଜନୀତି ବେଶ୍‌ ରୋଚକ ରହିଆସିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଭାଜପା ନେତା ବିଜେଡିରେ ଏବଂ ଏବେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାଜପା ଶିବିରାର୍ଥୀ ହୋଇଛନ୍ତି। ଦଳୀୟ ଟିକେଟ ପାଇବା ସର୍ତ୍ତରେ ଉଭୟ ଭାଜପା ଓ ବିଜେଡି ନେତା ବିରୋଧୀ ଶିବିରକୁ ଲମ୍ଫ ମାରୁଛନ୍ତି। କରୋନା ପରେ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକ ବିଜେଡିରେ ଯୋଗଦେଇଥିବାବେଳେ ଏବେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ଭାଜପାରେ।
୨୦୦୯ରେ ବରୀ ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହୋଇଥିଲା। ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ୧୮ ପଞ୍ଚାୟତ ଏଥିରେ ସାମିଲ ହୋଇଥିଲା। ପୁନର୍ଗଠନ ପରେ ଯାଜପୁର ଜିଲା ବରୀ ବ୍ଲକର ସମସ୍ତ ୨୯ ପଞ୍ଚାୟତ, ରସୁଲପୁରର ୧୦ ଏବଂ ଯାଜପୁର ବ୍ଲକର ୮ ପଞ୍ଚାୟତ ଏହି ନିର୍ବାଚନମଣ୍ଡଳୀରେ ରହିଛି। ୨୦୧୪ଠାରୁ ଏଠାରେ ବିଜେଡି କଡ଼ା ଟକ୍କରର ସମ୍ମୁଖୀନ ହୋଇଆସୁଛି। ଏହି ବର୍ଷ ବିଜେଡିର ଦେବାଶିଷ ନାୟକ ୭,୧୭୩ ଭୋଟ ବ୍ୟବଧାନରେ ସ୍ବାଧୀନ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇଥିଲେ। ଏହାପରେ ୨୦୧୯ରେ ଦେବାଶିଷଙ୍କୁ ଆଉ ବିଜେଡିରୁ ଟିକେଟ ମିଳି ନ ଥିଲା। ତଥାପି ଦେବାଶିଷ ବିଜେଡିର ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବିଶ୍ୱରଞ୍ଜନ ସ୍ବାଧୀନରୁ ଭାଜପାରେ ଯୋଗଦେଇ ୨୦୧୯ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ଭାଜପା ନେତ୍ରୀ ସୁନନ୍ଦା ଦାସ ବିଜେଡିରେ ମିଶିବା ସହ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିଲେ। ସେହି ନିର୍ବାଚନରେ ବି ଭାଜପା ସହ ବିଜେଡିର କଡ଼ା ଟକ୍କର ହୋଇଥିଲା। ବିଶ୍ୱରଞ୍ଜନ ୪,୦୬୨ ଭୋଟ ବ୍ୟବଧାନରେ ସୁନନ୍ଦାଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଦଳୀୟ ଟିକେଟର ଆଶ୍ୱାସନା ପାଇ ବିଶ୍ୱରଞ୍ଜନ ଭାଜପା ଛାଡ଼ିଥିଲେ। ସେବେଠାରୁ ବିଧାୟିକା ଓ ବିଶ୍ୱରଞ୍ଜନ ବିଜେଡିର ସମାନ୍ତରାଳ ପ୍ରଚାରରେ ମାତିଛନ୍ତି।
ଭାଜପାରେ ଦେବାଶିଷ ଯୋଗଦେବା ପରେ ଦଳୀୟ ନେତୃତ୍ୱ ଭିନ୍ନ ଦିଗକୁ ଗତି କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଭଳିସ୍ଥଳେ କଂଗ୍ରେସ ଛାଡ଼ି ୨ ବର୍ଷ ତଳୁ ଭାଜପାରେ ଯୋଗଦେଇଥିବା ଉମେଶ ଜେନାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି ବୋଲି ଆଲୋଚନା ହେଲାଣି। ଭାଜପାରେ ଉମେଶ ଯୋଗଦେବା ପରେ ତୃଣମୃଳସ୍ତରରୁ ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ସ୍ଥାନୀୟ ନେତୃତ୍ୱକୁ ସଶକ୍ତ କରିବାରେ ସକ୍ଷମ ହୋଇଛନ୍ତି। ବରୀରେ ଭାଜପା କର୍ମୀମାନେ ଉମେଶଙ୍କୁ ଆଗାମୀ ପ୍ରାର୍ଥୀ ଭାବେ ଗ୍ରହଣ କରି ନେଇଥିବାବେଳେ ଦେବାଶିଷଙ୍କ ଆଗମନ ବରୀ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାକୁ ଯାଉଛି ବୋଲି ମତପ୍ରକାଶ ପାଉଛି। ଏହି ୫ ବର୍ଷ ମଧ୍ୟରେ ବରୀରେ ବିଭିନ୍ନ ଦଳୀୟ ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଛି। ସାଙ୍ଗଠନିକ ଦକ୍ଷତା ଓ ଅର୍ଥବଳକୁ ବିଜେଡି ଏଠାରେ ଗୁରୁତ୍ୱ ଦେଉଥିବା କୁହାଯାଉଛି। ତେବେ ଜିତି ପାରିବାର ସାମର୍ଥ୍ୟ ଥିବା ନେତାଙ୍କୁ ବିଜେଡି ଟିକେଟ ମିଳିବ ବୋଲି ଗୋପନ ରଣନୀତି ଚାଲିଥିବା ଚର୍ଚ୍ଚା ହେଉଛି। ଏହିକ୍ରମରେ ବିଶ୍ୱରଞ୍ଜନ ଓ ସୁନନ୍ଦା ଆଗରେ ରହିଥିବାବେଳେ ଦେବାଶିଷଙ୍କ ନାମ ପ୍ରାୟତଃ ନ ଥିଲା ବୋଲି କହିଲେ ଚଳେ। ତାହାକୁ ଅନୁଭବ କରି ଦେବାଶିଷ ଭାଜପା ଉପରେ ଭରସା କରିଛନ୍ତି। ଦଳମତ ନିର୍ବିଶେଷରେ ଏଠାରେ ଶକ୍ତିଶାଳୀ ଚାଷୀ ସଂଗଠନ ଗଢ଼ିଉଠିଛି। ଚାଷୀ ସଂଗଠନ ଯଦିଓ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପକ୍ଷଧର ହୋଇନାହିଁ, ତଥାପି ସଂଗଠନ ଓ ଏହାର ଆନ୍ଦୋଳନରେ ସାମିଲ ହୋଇଥିବା ନେତାଙ୍କ ପ୍ରତି ଚାଷୀ ମହଲରେ ସମର୍ଥନ ରହିଛି। ଦେବାଶିଷ ୨୦୧୯ ପରଠାରୁ ଲୋକଙ୍କ ସହ ସୁସମ୍ପର୍କ ରଖିବାରେ ବିଫଳ ହୋଇଥିବା କୁହାଯାଉଥିବାବେଳେ ବିଶ୍ୱରଞ୍ଜନ ବିଜେଡିରେ ଯୋଗଦେବା ପରେ ଭାଜପାର ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇଥିବା ମନେହେଉଛି। ତେଣୁ ଦେବାଶିଷ ଓ ଉମେଶ ଏକ ହୋଇ ଭାଜପାର ସାଙ୍ଗଠନିକ ସ୍ଥିତିକୁ ଆଗେଇ ନେଲେ ବିଜେଡିକୁ ଟକ୍କର ଦିଆଯାଇପାରିବ ବୋଲି କର୍ମୀମାନେ ଆଶା କରୁଛନ୍ତି।
ଯାଜପୁର ଜିଲାର ଭୋଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁକୁ ଦେଖି ବିଧାନସଭା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଓ୍ବାରେ ଲୋକ ସଭା ଭୋଟ ଦେଉଥିବା ଦେଖିବାକୁ ମିଳିଛି। ୨୦୧୯ ଲୋକ ସଭା ନିର୍ବାଚନ ତୁଳନାରେ ୨୦୨୪ରେ ଅଧିକ ମୋଦି ହାଓ୍ବା ରହିବା ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଆଧାର କରି ବିଜେଡିର ବହୁ କୋଣଠେସା ନେତା ଏବେ ଭାଜପାମୁହଁା ହେଉଥିବା ଚର୍ଚ୍ଚା ହେଉଛି। ତେଣୁ ଭାଜପାରୁ ବିଜେଡି ଓ ବିଜେଡିରୁ ଭାଜପାକୁ ଆଦରିଥିବା ନେତାମାନେ କେତେଦୂର ନିଜ ଚେଷ୍ଟାରେ ସଫଳ ହେବେ ତାହା ସମୟ ହିଁ କହିବ ।

The post ବିଜେଡିରୁ ଭାଜପା, ଭାଜପାରୁ ବିଜେଡି appeared first on Dharitri Odia News.