ବୌଦ୍ଧଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ହୋଇଥିଲେ, ଅକାଟ୍ୟ ପ୍ରମାଣ ଦେଲେ ଗବେଷକ ପ୍ରବୀର ପଟ୍ଟନାୟକ
ନାଳନ୍ଦା(ପାଟଣା) : ସମଗ୍ର ବିଶ୍ବରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ବୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓଡ଼ିଶାର ସମ୍ବଲପୁରରେ ବୋଲି ଦୃଢ଼ ତଥ୍ୟ ଓ ପ୍ରମାଣ ଦର୍ଶାଇଛନ୍ତି, ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର କୁମାର ପଟ୍ଟନାୟକ। ଆଜି ପାଟଣାସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ସେ ଏହି ଅକାଟ୍ୟ ତର୍କ ଉପସ୍ଥାପନ କରିଛନ୍ତି। ବିଭିନ୍ନ ଅଭିଲେଖ, ଗ୍ରନ୍ଥୋଦ୍ଧାର, ତଥ୍ୟ ଓ ବଳିଷ୍ଠ ପ୍ରମାଣ ସହ ସେ ପ୍ରତିପାଦିତ କରିଛନ୍ତି ଯେ […]

ନାଳନ୍ଦା(ପାଟଣା) : ସମଗ୍ର ବିଶ୍ବରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ବୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓଡ଼ିଶାର ସମ୍ବଲପୁରରେ ବୋଲି ଦୃଢ଼ ତଥ୍ୟ ଓ ପ୍ରମାଣ ଦର୍ଶାଇଛନ୍ତି, ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର କୁମାର ପଟ୍ଟନାୟକ। ଆଜି ପାଟଣାସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ସେ ଏହି ଅକାଟ୍ୟ ତର୍କ ଉପସ୍ଥାପନ କରିଛନ୍ତି। ବିଭିନ୍ନ ଅଭିଲେଖ, ଗ୍ରନ୍ଥୋଦ୍ଧାର, ତଥ୍ୟ ଓ ବଳିଷ୍ଠ ପ୍ରମାଣ ସହ ସେ ପ୍ରତିପାଦିତ କରିଛନ୍ତି ଯେ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ “ଉଡ୍ଡୀୟାନ”, ପ୍ରାଚୀନ ଓଡ଼ିଶାର ସମ୍ବଲପୁର ବ୍ୟତୀତ ଆଉ କିଛି ନୁହେଁ।
ଗୁରୁ ପଦ୍ମସମ୍ଭବଙ୍କ ଜୀବନ ଓ ଦର୍ଶନ ବିଷୟରେ ଆଲୋଚନା ପାଇଁ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଓ ନବନାଳନ୍ଦା ମହାବିହାର ଦ୍ବାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀକୁ ଅଗଷ୍ଟ ୨୮ ତାରିଖ ବୁଧବାର ସକାଳେ ଉଦ୍ଘାଟନ କରିଥିଲେ ବିହାରର ରାଜ୍ୟପାଳ ରାଜେନ୍ଦ୍ର ଐରେକର। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବୌଦ୍ଧ ଧର୍ମର ବହୁ ଗବେଷକ ଓ ବିଦ୍ବାନମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଗବେଷକ ପ୍ରବୀର ପଟ୍ଟନାୟକ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଉଡ୍ଡୀୟାନ ପୀଠ ଓଡ଼ିଶା ବୋଲି ଦାବୀ ଉପସ୍ଥାପନ କରିଥିଲେ। ଏହି ଅଧିବେଶନରେ ଓଡ଼ିଶାର ଜିରାଙ୍ଗଠାରେ ଥିବା ‘ପଦ୍ମସମ୍ଭବ ମହାବିହାର’ର ସଭାପତି ଗେଟ୍ରୁଲ୍ ଜିଗ୍ମେ ରିଂପୋଂଚେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।
ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କ ବ୍ୟାଖ୍ୟାନର ମୁଖ୍ୟ ବିନ୍ଦୁ ଥିଲା ଯେ, ବହୁ ସଂଖ୍ୟକ ଐତିହାସିକ ନଥିପତ୍ର ଓ ଅଭିଲେଖ ଆଦିରେ “ଉଡ୍ଡୀୟାନ”ରେ ‘ସମ୍ଭଳ’ (ତତ୍କାଳୀନ ରାଜା ତଥା ସିଦ୍ଧ ବୌଦ୍ଧସନ୍ଥ ଇନ୍ଦ୍ରଭୂତିଙ୍କ ଶାସନାଧୀନ) ଓ ଲଙ୍କାପୁରୀ (ରାଜା ଜଳେନ୍ଦ୍ରଙ୍କ ଶାସନାଧୀନ) ଥିବା କଥା ଉଲ୍ଲେଖ ଅଛି। ଏହି ସ୍ଥାନଗୁଡ଼ିକ ଓଡ଼ିଶାରେ ଥିବା ବର୍ତ୍ତମାନର ସମ୍ବଲପୁର ଓ ସୋନପୁର ରେ ହିଁ ଅବସ୍ଥିତ। ସେ ଆହୁରି କହିଛନ୍ତି ଯେ ଗୁରୁ ପଦ୍ମସମ୍ଭବଙ୍କ ପବିତ୍ର ଦେହାବଶେଷ ଓଡ଼ିଶାର ଉଦୟଗିରିଠାରେ ଥିବା ମାଧବପୁର ମହାବିହାରରେ ଏବେ ମଧ୍ୟ ସଂରକ୍ଷିତ ଅଛି।
ଶ୍ରୀ ପ୍ରବୀର ପଟ୍ଟନାୟକଙ୍କ ଦ୍ଵାରା ଆଜିର ପ୍ରାମାଣିକ ତଥ୍ୟ ଓ ତର୍କ ସମ୍ବଳିତ ଉପସ୍ଥାପନ ପରେ ଦ୍ଵିତୀୟ ବୁଦ୍ଧ ଉଡ୍ଡୀୟାନ ଗୁରୁ ପଦ୍ମସମ୍ଭବ ଙ୍କ ଜନ୍ମସ୍ଥାନକୁ ନେଇ ପୂର୍ବରୁ ଯେଉଁ ଭ୍ରମାତ୍ମକ ସୂଚନା ପ୍ରସାରିତ ହୋଇ ଆସୁଥିଲା ତାହାର ସମାପ୍ତି ଘଟିଵ ବୋଲି ଆଜିର ସମ୍ମିଳନୀରେ ଉପସ୍ଥିତ ବହୁ ବୌଦ୍ଧ ଐତିହାସିକ ଓ ଗବେଷକ ମତ ବ୍ୟକ୍ତ କରିଛନ୍ତି।
ଏହି ଦୁଇଦିନିଆ ସମ୍ମିଳନୀରେ ଓଡ଼ିଶାରୁ ପ୍ରତ୍ନତତ୍ତ୍ଵବିତ୍ ଡ. ସୁନୀଲ ପଟ୍ଟନାୟକ, ଓଡ଼ିଆ ଅସ୍ମିତା-ଯୋଦ୍ଧା ଡ଼. ଅନୀତା ସାବତ, ଗବେଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ ପ୍ରମୁଖ ଅନେକ ଭାରତୀୟ ବୌଦ୍ଧ ଗବେଷକ ଓ ଐତିହାସିକ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କ ଦ୍ବାରା ଇଂରାଜୀ ଭାଷାରେ ଲିଖିତ ପ୍ରାୟ ୫୦୦ ପୃଷ୍ଠା ବିଶିଷ୍ଟ ପ୍ରାମାଣିକ ଗ୍ରନ୍ଥ ‘ଉଡ୍ଡୀୟାନ ଗୁରୁ ପଦ୍ମସମ୍ଭବ – ଦି ସେକେଣ୍ଡ ବୁଦ୍ଧ’ ପ୍ରକାଶିତ ହେବାପରେ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ, ବୌଦ୍ଧତନ୍ତ୍ର ପନ୍ଥା ବଜ୍ରଜାନ ଓ ତିଵତୀୟ ଲାମାଧର୍ମ ପରମ୍ପରାକୁ ତାଙ୍କର ବିଶେଷ ଅବଦାନ ବିଷୟରେ ଜାତୀୟ ଓ ଅନ୍ତର୍ରାଷ୍ତ୍ରୀୟ ସ୍ତରରେ ବିଚାର ଆଲୋଚନା ଅଧିକ ବ୍ୟାପକ ହୋଇଛି।