ଭାରତୀୟଙ୍କଠାରେ ଭିଟାମିନ ଡି’ର ଘୋର ଅଭାବ

ICRIER ଦେଇଥିବା ଏହି ରିପୋର୍ଟର ଶୀର୍ଷକ ରହିଛି ‘ରୋଡ୍‌ମ୍ୟାପ୍‌ ଟୁ ଆଡ୍ରେସ ଭିଟାମିନ୍ ଡି ଡେଫିସିଏନ୍ସୀ ଇନ୍ ଇଣ୍ଡିଆ’। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସବୁ ବର୍ଗର ଓ ବୃତ୍ତିର ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖାଯାଇଛି।

ଭାରତୀୟଙ୍କଠାରେ ଭିଟାମିନ ଡି’ର ଘୋର ଅଭାବ

ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଇଣ୍ଡିଆନ କାଉନସିଲ ଫର ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍‌ ରିଲେସନ୍‌ସ (ICRIER) ଦେଇଥିବା ଏକ ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ। ଭାରତୀୟଙ୍କଠାରେ ଭିଟାମିନ ଡି’ର ଘୋର ଅଭାବ ପରିଲକ୍ଷିତ ହେଉଥିବା ଏହି ସଂସ୍ଥା ରିପୋର୍ଟ ଦେଇଛି। ଭାରତରେ ପ୍ରତି ୫ ଜଣରେ ଜଣଙ୍କଠାରେ ଭିଟାମିନ ଡି’ର ଅଭାବ ରହିଛି। ଏହାକୁ ‘ସାଇଲେଣ୍ଟ ଏପିଡେମିକ୍‌’ର ଆଖ୍ୟା ଦେଇ ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ସାରା ଦେଶରେ ଅଭିଯାନ ଚଲାଇବାକୁ ICRIER ପକ୍ଷରୁ ପରାମର୍ଶ ଦିଆଯାଇଛି।

ICRIER ଦେଇଥିବା ଏହି ରିପୋର୍ଟର ଶୀର୍ଷକ ରହିଛି ‘ରୋଡ୍‌ମ୍ୟାପ୍‌ ଟୁ ଆଡ୍ରେସ ଭିଟାମିନ୍ ଡି ଡେଫିସିଏନ୍ସୀ ଇନ୍ ଇଣ୍ଡିଆ’। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସବୁ ବର୍ଗର ଓ ବୃତ୍ତିର ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖାଯାଇଛି। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ଶ୍ରମିକ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କଠାରେ ଦେଖାଦେଇଛି ଭିଟାମିନ୍ ଡି’ର ଅଭାବ। ଶୂନରୁ ଆରମ୍ଭ କରି ୧୦ ବର୍ଷର ଶିଶୁଙ୍କ ମଧ୍ୟରୁ ୪୬% ‘ରିକେଟ୍‌ସ’ ନାମକ ରୋଗରେ ପୀଡ଼ିତ। ଶିଶୁମାନେ ଏହି ରୋଗରେ ପୀଡ଼ିତ ହେବା ପଛରେ ରହିଛି ଭିଟାମିନ ଡି’ର ଅଭାବ। ସେହିଭଳି ବୟସ୍କ ଲୋକଙ୍କ କ୍ଷେତ୍ରରେ ୮୦ରୁ ୯୦% ଭିଟାମିନ ଡି’ ଅଭାବରୁ ‘ଅଷ୍ଟିଓପୋରସିସ୍’ ରୋଗରେ ପୀଡ଼ିତ ହେଉଛନ୍ତି।

ICRIERର ରିପୋର୍ଟ କହୁଛି, ପୂର୍ବ ଭାରତର ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ସବୁଠାରୁ ଅଧିକ। ପୂର୍ବ ଭାରତରେ ୩୯% ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖିବାକୁ ମିଳିଛି। ସହରୀ ଜୀବନ, ପ୍ରଦୂଷଣ, ବନ୍ଦ କଠୋରୀରେ ଅଧିକ ସମୟ କାମ କରିବା ଓ ସୂର୍ଯ୍ୟ କିରଣକୁ ନିରୁତ୍ସାହିତ କରୁଥିବା ସାମାଜିକ ନିୟମାବଳୀ ଭାରତୀୟଙ୍କଠାରେ ଭିଟାମିନ ଡି’ ଅଭାବର କିଛି ପ୍ରମୁଖ କାରଣ। ସେହିଭଳି ଭିଟାମିନ୍ ଡି’ରେ ଭରପୂର ମାଛ, ଅଣ୍ଡା ଓ ଦୁଗ୍ଧ ଏବଂ ଦୁଗ୍ଧଜାତ ଖାଦ୍ୟ ଖାଉ ନଥିବା ଅବା କମ୍ ଖାଉଥିବା ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ପରିଲକ୍ଷିତ ହୋଇଥାଏ।

ଏହି ରିପୋର୍ଟରେ ICRIER ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛି। ଭାରତୀୟ ମହିଳାଙ୍କଠାରେ ଭିଟାମିନ ଡି’ର ଅଭାବ ସବୁଠୁ ଅଧିକ। ମହିଳାଙ୍କ କ୍ଷେତ୍ରରେ ସବୁ ବୟସ ବର୍ଗରେ ଏହି ସମସ୍ୟା ଚିନ୍ତାଜନକ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭିଟାମିନ୍ ଡି’ କେବଳ ହାଡ଼କୁ ସୁସ୍ଥ ରଖେ ନାହିଁ। ଭିଟାମିନ ଡି’ ଅଭାବରୁ ମାଂସପେଶୀ ଦୁର୍ବଳ ହୋଇଯାଏ। ଲୋକେ ଚିନ୍ତାଗ୍ରସ୍ତ ରୁହନ୍ତି। ହୃତପିଣ୍ଡ ସହିତ ଜଡ଼ିତ ରୋଗଗୁଡ଼ିକ ହେବାର ଆଶଙ୍କା ବଢ଼ିଯାଏ। ଟାଇପ ଦୁଇ ଡାଇବେଟିସ୍ ସହିତ ସ୍ତନ ଓ ପ୍ରୋଷ୍ଟେଟ କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଥାଏ।

ଭିଟାମିନ୍ ଡି’ ସପ୍ଲିମେଣ୍ଟଗୁଡ଼ିକର ଦର ୧୦ଟି ଟାବଲେଟ୍‌କୁ ୪୮ରୁ ୧୩୦ ଟଙ୍କା ରହୁଥିବା ବେଳେ ଘରୋଇ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍‌ଗୁଡ଼ିକ ଭିଟାମିନ ଡି’ ଟେଷ୍ଟ୍ କରିବା ପାଇଁ ୧୫୦୦ ଟଙ୍କା ନେଉଛନ୍ତି। ଭିଟାମିନ ଡି’ ଅଭାବ କ୍ଷେତ୍ରରେ Cholecalciferol ସପ୍ଲିମେଣ୍ଟ ଦିଆଯାଏ। ଏହା ଅତ୍ୟାବଶ୍ୟକୀୟ ଔଷଧ ବର୍ଗରେ ଯାଉଛି। ଏହା ସତ୍ତ୍ୱେ National Pharmaceutical Pricing Authority (NPPA) କେବଳ ପ୍ରାଣୀଙ୍କଠାରୁ ପ୍ରସ୍ତୁତ Cholecalciferol ଦରକୁ ନିୟନ୍ତ୍ରଣ କରୁଛି। ତେଣୁ ବୃକ୍ଷରୁ ପ୍ରସ୍ତୁତ Cholecalciferolର ଦର ଅନିୟନ୍ତ୍ରିତ ହୋଇ ଖୁବ୍ ଉଚ୍ଚ ରହୁଛି।

ଭିଟାମିନ୍ ଡି’ ସପ୍ଲିମେଣ୍ଟଗୁଡ଼ିକ ଉପରେ ଲଗାଯାଉଥିବା ଜିଏସ୍‌ଟିକୁ ହ୍ରାସ କରିବା ସହିତ ଭିଟାମିନ୍ ଡି’ ଟେଷ୍ଟିଂ କିଟ୍ ଓ ସପ୍ଲିମେଣ୍ଟ ଉପରେ ଲଗାଯାଉଥିବା ଆମଦାନୀ ଶୁଳ୍କକୁ ୧୦ରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ICRIER ଭାରତ ସରକାରଙ୍କ ନିକଟରେ ଦାବି କରିଛି। ଏହା ସହିତ ଉଭୟ ପ୍ଲାଣ୍ଟ୍ ବେସ୍‌ଡ ଭିଟାମିନ୍‌ ଡି୨ ଓ ଆନିମଲ୍ ବେସ୍‌ଡ ଭିଟାମିନ୍ ଡି୩’ର ଦର ନିୟନ୍ତ୍ରଣ ପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ଏବଂ କମ୍‌ ଖର୍ଚ୍ଚରେ ଯେପରି ଭିଟାମିନ୍ ଡି’ର ଟେଷ୍ଟ କରି ହେବ, ସେ ନେଇ ଘରୋଇ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ICRIER ଦାବି କରିଛି।

ବିଦ୍ୟାଳୟ, ଗଣମାଧ୍ୟମ ଓ ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ସାରା ଦେଶରେ ‘ଭିଟାମିନ ଡି କୁପୋଷଣା ମୁକ୍ତ ଭାରତ’ ଅଭିଯାନ ଚଲାଇବା ପାଇଁ ଆହ୍ୱାନ ଦେଇଛି ICRIER। ବିଶେଷ କରି ଶିଶୁ, ଗର୍ଭବତୀ ମହିଳା ଓ ବୟସ୍କଙ୍କ ପାଇଁ ଏହି ସଚେତନା ଅଭିଯାନ ଚଲାଇବାକୁ ଜୋର ଦେଇଛି ICRIER।