ମଦ ଭୋଜିରେ ପେଟରେ ପଶିଲା ବୋତଲ, ASIଙ୍କୁ ପିଟିଲେ

ମହାବିରୋଡ୍‌ର ଫରେଷ୍ଟ ଗାର୍ଡ ହେଉଛନ୍ତି ଡ଼ଙ୍ଗାପାଳ ଗାଁର ବିଜୟ କୁମାର ସିଂହ। ତାଙ୍କ ବନ୍ଧୁ ହେଉଛନ୍ତି ସଦର ଥାନା ଏଏସ୍‌ଆଇ ଅନିଲ କୁମାର ସିଂହ। ଶନିବାର ଅପରାହ୍ନରେ ବିଜୟ, ଅନିଲ ଓ ତାଙ୍କର ୩ ଜଣ ବନ୍ଧୁ ଗଡ଼ପଳାଶୁଣି ଗାଁ ଆମ୍ୱ ତୋଟାରେ ଭୋଜି କରୁଥିଲେ।

ମଦ ଭୋଜିରେ ପେଟରେ ପଶିଲା ବୋତଲ, ASIଙ୍କୁ ପିଟିଲେ

ଫରେଷ୍ଟ ଗାର୍ଡ଼, ଏଏସ୍‌ଆଇ ଓ ତାଙ୍କ ୩ ବନ୍ଧୁ ମିଶି ଆମ୍ୱ ତୋଟାରେ ମଦ ଭୋଜି କରୁଥିଲେ। ମଦ ପିଇବା ପରେ ୫ ସାଙ୍ଗଙ୍କ ଭିତରେ ଲାଗିଥିଲା ପାଟିତୁଣ୍ଡ ଓ ପିଟାପିଟି। ଆଉ ତାହାରି ଭିତରେ କିଏ ଜଣେ ଫରେଷ୍ଟ ଗାର୍ଡ଼ଙ୍କ ପେଟରେ ଭୁଷିଦେଲା ମଦ ବୋତଲ। ଯାହାଫଳରେ ଫରେଷ୍ଟ ଗାର୍ଡ଼ଙ୍କ ପେଟରୁ ଅନ୍ତବୁଜୁଳି ବାହାରି ଆସିଥିଲା। ଗାଁ ଲୋକେ ଏହା ଦେଖି ASIଙ୍କୁ ନିର୍ଧୁମ ପିଟିଥିଲେ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅଞ୍ଚଳରେ ଘଟିଛି।

ମହାବିରୋଡ୍‌ର ଫରେଷ୍ଟ ଗାର୍ଡ ହେଉଛନ୍ତି ଡ଼ଙ୍ଗାପାଳ ଗାଁର ବିଜୟ କୁମାର ସିଂହ। ତାଙ୍କ ବନ୍ଧୁ ହେଉଛନ୍ତି ସଦର ଥାନା ଏଏସ୍‌ଆଇ ଅନିଲ କୁମାର ସିଂହ। ଶନିବାର ଅପରାହ୍ନରେ ବିଜୟ, ଅନିଲ ଓ ତାଙ୍କର ୩ ଜଣ ବନ୍ଧୁ ଗଡ଼ପଳାଶୁଣି ଗାଁ ଆମ୍ୱ ତୋଟାରେ ଭୋଜି କରୁଥିଲେ। ଭୋଜି ପୂର୍ବରୁ ହୋଇଥିଲା ମଦ ଆସର। ୫ ଜଣ ସାଙ୍ଗ ବସି ମଦ ପିଇଥିଲେ। ମଦ ପିଇଲା ପରେ ସମସ୍ତଙ୍କୁ ପ୍ରବଳ ନିଶା ହୋଇଯାଇଥିଲା। ଆଉ ସେହି ସମୟରେ କୌଣସି କଥାକୁ ନେଇ ପରସ୍ପର ଭିତରେ ଯୁକ୍ତିତର୍କ ଲାଗିଥିଲା।

ସେହି ଯୁକ୍ତିତର୍କ ଭିତରେ ଜଣେ କିଏ ନିଶାରେ ଥିବା ବିଜୟଙ୍କ ପେଟରେ ମଦ ବୋତଲ ଭୁଶି ଦେଇଥିଲା। ଯାହାଫଳରେ ତାଙ୍କ ଅନ୍ତବୁଜୁଳି ବାହାରି ଆସିଥିଲା। ଚିତ୍କାର ଶୁଣି ଗାଁ ଲୋକେ ସେଠାକୁ ଧାଇଁ ଆସିଥିଲେ। ବିଜୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ତାତି ଯାଇଥିଲେ। ସମସ୍ତଙ୍କୁ ପିଟିବା ପାଇଁ ଉଦ୍ୟମ କରିଥିଲେ। ଏଏସ୍‌ଆଇ ଅନିଲଙ୍କ ସାଙ୍ଗମାନେ ସେଠାରୁ ଚମ୍ପଟ ମାରିଥିଲେ। ହେଲେ ପ୍ରବଳ ନିଶାରେ ଥିବାରୁ ଅନିଲ୍‌ ଯାଇପାରିନଥିଲେ।

ବିଜୟ ପେଟରେ ଅନିଲ୍‌ ମଦ ବୋତଲ ଭୁଷିଥିବା ସନ୍ଦେହ କରି ତାଙ୍କୁ ବହେ ନାଦିଥିଲେ। ଯିଏ ଯେମତି ପାରିଲା ତାଙ୍କୁ ପିଟିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରେ ଗାଁ ଲୋକ ଉଭୟଙ୍କୁ ଉଦ୍ଧାର କରି ପରଜଙ୍ଗ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ବିଜୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ସେପଟେ ଏଏସ୍‌ଆଇ ମହାଶୟ ପରଜଙ୍ଗ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି। କିନ୍ତୁ ପୁଲିସ୍‌ ନିଜଆଡୁ ଘଟଣାର ତଦନ୍ତ ଚଳାଇଛି। ସେପଟେ ଫରେଷ୍ଟ ଗାର୍ଡ ବିଜୟଙ୍କୁ କିଏ ବୋତଲ ଭୁଷିଲା, ତାହା ଜଣାପଡ଼ି ନାହିଁ। ଅନ୍ୟମାନେ ଫେରାର ଥିବା ବେଳେ ଏହି ଦୁଇ ବନ୍ଧୁ ମେଡ଼ିକାଲ୍‌ରେ। ସେମାନେ ଠିକ୍‌ରେ କଥା ହୋଇପାରୁନାହାନ୍ତି। ସେମାନେ ସୁସ୍ଥ ହେଲେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଜଣାପଡ଼ିଛି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ