ମନେ ପଡ଼ନ୍ତି ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି

ତାଙ୍କ ଗୀତର ଫଗୁଣ କେବେ ଯାଇନି କି କେବେ ରଙ୍ଗ ହରାଇନି ତାଙ୍କ ସଙ୍ଗୀତର କୃଷ୍ଣଚୂଡା। ଓଡ଼ିଆ ସଙ୍ଗୀତର ସେ ଥିଲେ କାଳଜୟୀ ସ୍ରଷ୍ଟା । ସେ ଆଉ କେହି ନୁହଁନ୍ତି, ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତି। ଆଜି ତାଙ୍କର ଜନ୍ମଦିନ । ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ସଙ୍ଗୀତ ଦୁନିଆର ଏକ ଅନୁଷ୍ଠାନ। ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା […]

ମନେ ପଡ଼ନ୍ତି ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି
tribute to legendary music maestro Akshaya Mohanty on his birth anniversary

ତାଙ୍କ ଗୀତର ଫଗୁଣ କେବେ ଯାଇନି କି କେବେ ରଙ୍ଗ ହରାଇନି ତାଙ୍କ ସଙ୍ଗୀତର କୃଷ୍ଣଚୂଡା। ଓଡ଼ିଆ ସଙ୍ଗୀତର ସେ ଥିଲେ କାଳଜୟୀ ସ୍ରଷ୍ଟା । ସେ ଆଉ କେହି ନୁହଁନ୍ତି, ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତି। ଆଜି ତାଙ୍କର ଜନ୍ମଦିନ । ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ସଙ୍ଗୀତ ଦୁନିଆର ଏକ ଅନୁଷ୍ଠାନ। ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ କରିଥିଲେ ପରୀକ୍ଷାନିରୀକ୍ଷା । ଅକ୍ଷୟ ମହାନ୍ତିଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସ୍ରୋତାଙ୍କ ରୁଚିକୁ ବୁଝି ଅନେକ ମନଛୁଆ ଗୀତ ଭେଟି ଦେଇଛନ୍ତି ଅକ୍ଷୟ। ସଙ୍ଗୀତ ସଂଯୋଜନା ହେଉ କି, ଗୀତ ରଚନା ଅବା କଣ୍ଠଦାନ ସବୁଥିରେ ସେ ଥିଲେ ପ୍ରବୀଣ । ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଅଦ୍ଭୁତ ସୃଜନଶୀଳତାର ଅଧିକାରୀ ଅକ୍ଷୟ ।

ଓଡ଼ିଆ ସଙ୍ଗୀତ ଦୁନିଆର ସେହି ଅପ୍ରତିଦ୍ୱନ୍ଦ୍ବୀ ତଥା ସର୍ବକାଳୀନ ଲୋକପ୍ରିୟ ଗାୟକ ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମଦିନ। ଯେକୌଣସି ବୟସର ଶ୍ରୋତାଙ୍କୁ କିମିଆ କରିଦେବା ପରି ଅକ୍ଷୟଙ୍କ ସୁମଧୁର କଣ୍ଠସ୍ୱର ଆଜି ମଧ୍ୟ ବେଶ୍ ଜନପ୍ରିୟତା ହାସଲ କରିପାରିଛି। ସେ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ। ‘କିଛି ଲୁହ ପୋଛା ହୁଏ ପଣତ କାନିରେ, କିଛି ଲୁହ ପିଇଯାଏ ଓଠ…’  ‘ନିଶିବିଜନେ ଭାବେ ମନେ, ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି, ‘ପୁଣ୍ୟର ନଦୀ ତୀରେ’, ‘ନଦୀର ନାମ ଅଳସ କନ୍ୟା’, ‘ଏ ଫଗୁଣ ତୁମେ ଗଲା ପରେ’ ଏଭଳି ଅନେକ କାଳଜୟୀ ଗୀତରେ ନିଜର ଛାପ ଛାଡ଼ି ଯାଇଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା ଅକ୍ଷୟ ମହାନ୍ତି। ଜନମାନସରେ ସେ ଖୋକା ଭାଇ ନାଁରେ ପରିଚିତ। ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ କରିଥିଲେ ପରୀକ୍ଷାନିରୀକ୍ଷା। ସଙ୍ଗୀତରେ ସେ ବ୍ୟାକରଣ ଅପେକ୍ଷା ଭାବକୁ ଅଧିକ ଗୁରୁତ୍ବ ଦେଉଥିଲେ। ଅକ୍ଷୟ ମହାନ୍ତିଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ।

୧୯୩୬ ମସିହା ଆଜିର ଦିନରେ ଅବିଭକ୍ତ କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଏବଂ ମା’ଙ୍କ ନାଁ ସୁବର୍ଣ୍ଣ ମଞ୍ଜରୀ ଦେବୀ। ଷ୍ଟୁଆର୍ଟ ସାଇନ୍ସ କଲେଜରୁ ଆଇ.ଏସ.ସି ଏବଂ ରେଭେନ୍ସା କଲେଜରୁ ବି.ଏ ପାସ୍ କରିଥିଲେ। କେବଳ ସେତିକି ନୁହେଁ, ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି ଅକ୍ଷୟ। କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନ ଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୂରା ସମୟ ସଙ୍ଗୀତ ପାଇଁ ହିଁ ଦେଇଥିଲେ। ଖୋକା ଭାଇଙ୍କ ଗୀତ ସେତେବେଳେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଖୋକା ଭାଇଙ୍କ ଲୋକପ୍ରିୟ ଗୀତ ତାଲିକାର ଖୁବ୍‌ ଲମ୍ବା। ତାଙ୍କର ଲୋକପ୍ରିୟ ଗୀତର କେତୋଟି ପାଖୁଡା-‘ରଜାଝିଅ ସାଙ୍ଗେ…’, ‘ଯାଯାବର…’ ‘ଯା’ରେ ଭାସି ଭାସି ଯା…’, ‘ଗାଈଆଳ ଭାଇ ଗାଉଛି ଗୀତ…’, ‘ସ୍ମୃତି ତୁମେ…’‘ ବୟସର କୃଷ୍ଣଚୂଡ଼ା…’।  କେବଳ ସଙ୍ଗୀତ ନୁହେଁ, ସେ ମଧ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଥିଲେ। ଜୟଦେବ ପୁରସ୍କାର, ବିଭିନ୍ନ ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତକାର ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ ପୁରସ୍କାରରେ ମଣ୍ଡିତ ହୋଇଥିଲେ ଏହି ମହାନ ଗାୟକ। ୨୦୦୨ ମସିହା ନଭେମ୍ବର ୧୭ ତାରିଖରେ ଏହି ମହାନ ସଙ୍ଗୀତଜ୍ଞଙ୍କର ପରଲୋକ ଘଟିଥିଲା। ଆଜି ଖୋକା ଭାଇ ନାହାନ୍ତି ସତ ହେଲେ ତାଙ୍କର ସଙ୍ଗୀତ ଆଜି ବି ଅଗଣିତ ଓଡିଆଙ୍କ ହୃଦୟରେ ସାଇତି ରହିଛି ।