ଶତ୍ରୁ କିଏ?

କାର୍ଯ୍ୟ ପକାଇ ରଖିବା କେତେଜଣଙ୍କର ବଦଭ୍ୟାସ। ଯେଉଁ କାମ ପାଇଁ ବିଳମ୍ବ କରିବାରେ କୌଣସି ଯଥାର୍ଥତା ନାହିଁ ତାକୁ ସେମାନେ ଡେରି କରନ୍ତି ଏବଂ ଗଡ଼ାଇଚାଲନ୍ତି। ଏହାକୁ ଦୀର୍ଘସୂତ୍ରୀତା କୁହାଯାଏ ଏବଂ ଯେଉଁ ବ୍ୟକ୍ତିର ଏହା ଅଭ୍ୟାସରେ ପଡ଼ିଯାଏ ସେ ଦୀର୍ଘସୂତ୍ରୀ ବୋଲାଏ। ଏହାକୁ ଆଳସ୍ୟପରାୟଣତା ଏବଂ କାମ କରିବାକୁ ଅନିଚ୍ଛୁକତା ନାମ ଦିଆଯାଇପାରେ। ଏପ୍ରକାରର ଅଳସୁଆମି ବା ଶ୍ରମ କାତରତା ପାଇଁ କେତେଜଣ ନିଜ ମନେ ମନେ ବିଳମ୍ବର କାରଣ, ଯଥାର୍ଥତା ବା ଔଚିତ୍ୟ – […]

ଶତ୍ରୁ କିଏ?
sakala article

କାର୍ଯ୍ୟ ପକାଇ ରଖିବା କେତେଜଣଙ୍କର ବଦଭ୍ୟାସ। ଯେଉଁ କାମ ପାଇଁ ବିଳମ୍ବ କରିବାରେ କୌଣସି ଯଥାର୍ଥତା ନାହିଁ ତାକୁ ସେମାନେ ଡେରି କରନ୍ତି ଏବଂ ଗଡ଼ାଇଚାଲନ୍ତି। ଏହାକୁ ଦୀର୍ଘସୂତ୍ରୀତା କୁହାଯାଏ ଏବଂ ଯେଉଁ ବ୍ୟକ୍ତିର ଏହା ଅଭ୍ୟାସରେ ପଡ଼ିଯାଏ ସେ ଦୀର୍ଘସୂତ୍ରୀ ବୋଲାଏ। ଏହାକୁ ଆଳସ୍ୟପରାୟଣତା ଏବଂ କାମ କରିବାକୁ ଅନିଚ୍ଛୁକତା ନାମ ଦିଆଯାଇପାରେ। ଏପ୍ରକାରର ଅଳସୁଆମି ବା ଶ୍ରମ କାତରତା ପାଇଁ କେତେଜଣ ନିଜ ମନେ ମନେ ବିଳମ୍ବର କାରଣ, ଯଥାର୍ଥତା ବା ଔଚିତ୍ୟ – ଏସବୁ ଠିକ୍‌‌ କରି ରଖିଥା’ନ୍ତି। ଏହାର ଅନ୍ୟନାମ କାଳକ୍ଷେପଣ ଅଟେ। ପରବର୍ତ୍ତୀ ସମୟ ପାଇଁ କାମକୁ ଘୁଞ୍ଚାଇବା ଯେତେବେଳେ ଅଭ୍ୟାସରେ ପଡ଼ିଯାଏ ସେତେବେଳେ ତାହା ନିନ୍ଦନୀୟ ଓ ଦଣ୍ଡଯୋଗ୍ୟ ହୋଇଯାଏ। ଏହି ଅଭ୍ୟାସ ସମୟର ବଡ଼ ଚୋର ଏବଂ ଯେକୌଣସି କାମ ଆରମ୍ଭ କରିବାର ସାମର୍ଥ୍ୟର ବଡ଼ ଶତ୍ରୁ। ଯେକୌଣସି ସାଧୁ ଉଦ୍ୟମର ପ୍ରାରମ୍ଭିକ ପଦକ୍ଷେପକୁ ମଧ୍ୟ ଏହି ଅଭ୍ୟାସ ଅକାରଣେ ବିଳମ୍ବ କରିଦିଏ। କିଛିଦିନ ପରେ ଆମର ନୂଆ କାମ ଆରମ୍ଭ କରିବାର ଶକ୍ତି ଲୋପ ପାଏ। ନିଜ ଉଦ୍ୟମରେ ଘଟଣାବଳୀ ନିୟନ୍ତ୍ରଣ କରିବା ଅବସ୍ଥାରେ ଆମେ ଥିଲେ ମଧ୍ୟ ଆମେ ସେଭଳି ପଦକ୍ଷେପ ନେବାରେ ଆଗୁଆ ହେଉନାହିଁ କିମ୍ବା ନେତୃତ୍ୱ ନେଉ ନାହିଁ। ତେଣୁ ଏହା ଆମର ଆତ୍ମୋନ୍ନତିର ବାଧକ ହୋଇଯାଏ।

ଯାହା ଆଜି ସକାଳେ କରିପାରିବ ତାକୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପକାଇ ରଖନାହିଁ। ଯାହା ଆଜି କରିପାରିବ ତାକୁ କାଲିକୁ ପକାଇ ରଖ ନାହିଁ। ଏପରି ପକାଇ ରଖିବା ଏକପ୍ରକାରର ଭୀରୁତା ଓ ସାହସହୀନତା। ସହଜରେ ଭୟଭୀତ ହେବା ବ୍ୟକ୍ତି ବା କାପୁରୁଷର ଶୌର୍ଯ୍ୟ, ବୀରତ୍ୱ ବା ନିର୍ଭୀକତା ନଥାଏ। ଉଚିତ କାର୍ଯ୍ୟ କରିବା ପାଇଁ ସାହସ ବାନ୍ଧିବା ଯାହାପକ୍ଷରେ ଅସମ୍ଭବ ହୁଏ ସେ ସବୁ କାମ ପଛକୁ ପକାଇ ରଖେ। ସେ ଡର ଆଗରେ ମୁଣ୍ଡ ନୁଆଁଇ ଦିଏ। ଏଭଳି ଭୀରୁ ବିପଦର ସାମାନ୍ୟତମ ଆଶଙ୍କାରେ ଭୟଭୀତ ହୋଇଯାଏ ଏବଂ ତା’ର ହୃଦୟର ସ୍ପଦନ ବଢ଼଼ିଯାଏ। ସେ ଅସ୍ଥିର ହୁଏ ଏବଂ ଅସ୍ଥିର ଭାବେ କାର୍ଯ୍ୟ ସମ୍ପାଦନ କରେ। ସେ ସାହସ ହରାଏ ଏବଂ ଥଙ୍ଗ ଥଙ୍ଗ ହୋଇ କଥା କହେ। ଅତି ଭୟଭୀତ ହେଲେ ତା’ର ପାଟି ଖୋଲେ ନାହିଁ। ତା’ର ଶରୀରଠାରୁ ଆତ୍ମା, ମନ ଓ ଆବେଗ ଆଦି ପୃଥକ ଜଣାପଡ଼େ ଏବଂ ତା’ର ସାହସ ପରିଲକ୍ଷିତ ହୁଏ ନାହିଁ। ଭୀରୁତା ଏପରି ଏକ ମହାପାପ ଯେ ଏଥିରେ ତା’ର ପୁଣ୍ୟ କ୍ଷୟ ହୁଏ। ଜଣେ ଭୀରୁ କେବେହେଲେ ଈଶ୍ୱର ପ୍ରାପ୍ତି କରିପାରେ ନାହିଁ। ତେଣୁ ଭୀରୁତା ଆମର ଦ୍ୱିତୀୟ ଶତ୍ରୁ। ଏପରି ଅନେକ ଲୋକ ଥାଆନ୍ତି ଯେଉଁମାନଙ୍କର ଆତ୍ମପ୍ରତ୍ୟୟ ନଥାଏ। ସେମାନେ ଆତ୍ମସନ୍ଦେହୀ ହୋଇଥା’ନ୍ତି। ଏମାନଙ୍କର ଆତ୍ମସନ୍ଦେହ ଏତେ ଯେ ଏମାନେ ଅତ୍ୟନ୍ତ ବିନମ୍ର ଜଣାପଡ଼ନ୍ତି ଓ କୁନ୍ଥୁ କୁନ୍ଥୁ ହୋଇ କଥାବାର୍ତ୍ତା କରନ୍ତି। ଆତ୍ମସନ୍ଦେହ ହେଉଛି ଭୀରୁତାର ଯାଆଁଳା ଭାଇ। ଆତ୍ମସନ୍ଦେହ ଥିଲେ କାହାର ମଧ୍ୟ ଦୃଢ଼ବିଶ୍ୱାସ ଓ ସାହସିକତା ରହିପାରେ ନାହିଁ। କୌଣସି କାର୍ଯ୍ୟରେ ତା’ର ନିଶ୍ଚିତତା ବା ନିର୍ଭରତା ଭାବର ଅନୁଭୂତି ଆସିପାରେ ନାହିିଁ। ଆତ୍ମନିର୍ଭର ଭାବ ଏପରି ଏକ ଶକ୍ତି ଯାହା ଆମକୁ ସଫଳତାର ଅର୍ଦ୍ଧେକ ହାସଲ କରାଏ। ଯେଉଁଠି ଏ ଭାବ ନଥାଏ ସେଠି ବିଫଳତା ସମ୍ପୂର୍ଣ୍ଣ ହୋଇଥାଏ।

ଭୟ ହେଲା ଆସନ୍ନ ବିପଦ ବା ଯନ୍ତ୍ରଣା ଜନିତ ଭୟ କିମ୍ବା ଦୁର୍ଦ୍ଦଶା। ଏହା ବେଳେବେଳେ ଆତଙ୍କାବସ୍ଥାକୁ ନେଇଯାଏ। ଭୟ ଲାଗି ରହିଲେ ଉଦ୍‌‌ବିଗ୍ନ ଅବସ୍ଥା ଜାତ ହୁଏ। ଏହା ଆସନ୍ନ ବିପଦ ଓ ଅନିଷ୍ଟ ଅବସ୍ଥାର ଆଶଙ୍କା ଜାତ କରାଏ। ଏପରି ଆଶଙ୍କା ଶକ୍ତିହୀନତା ଏବଂ ଅବସନ୍ନତାକୁ ନିମନ୍ତ୍ରଣ କରେ। ଭୟରୁ କେହି ସମ୍ପୂର୍ଣ୍ଣ ମୁକ୍ତ ନୁହନ୍ତି। ଭୟ ଯେତେବେଳେ ଭୟାନକ ରୂପ ଧାରଣ କରେ ସେତେବେଳେ ଆମେ ଅତ୍ୟଧିକ ଭୟଭୀତ ହୋଇଯାଉ। ପିଲାଦିନୁ ଆମେ ଭୟକୁ ଭୟ ନକରିବା ଶିଖିବା ଦରକାର। ପିଲାଦିନୁ ଯିଏ ଡରୁଆ ରହିଯାଏ ସେ ବଡ଼ ହେଲେ ମଧ୍ୟ ଡରୁଆ ହୋଇଥାଏ। ପିଲାଙ୍କ ମନରୁ ଭୟ ଛଡ଼ାଇବା ପିତାମାତା ଓ ଶିକ୍ଷକଙ୍କର କର୍ତ୍ତବ୍ୟ।

ଆଜିକାଲି ସଂସାରରେ ଘୃଣାର ମାତ୍ରା ବୃଦ୍ଧି ପାଉଛି ଓ ପ୍ରେମର ମାତ୍ରା କମିଯାଉଛି। ମଣିଷ ଯଦି ମଣିଷକୁ ଭଲ ନପାଇବ ତେବେ ସ୍ୱାର୍ଥପରତା ବୃଦ୍ଧିପାଇବା ସ୍ୱାଭାବିକ ଏବଂ ମାନବ ଦ୍ୱାରା ନିଃସ୍ୱାର୍ଥପର ମାନବସେବାର ଉଦାହରଣ କମିଯିବା ମଧ୍ୟ ସ୍ୱାଭାବିକ। ଏହି ସ୍ୱାର୍ଥପରତା ହିଁ ମନୁଷ୍ୟର ଶତ୍ରୁ। ମଣିଷ ମଣିଷ ମଧ୍ୟରେ ପ୍ରେମ ବଢ଼଼ାଇ ଘୃଣାର ମୂଳୋତ୍ପାଟନ କରିବାକୁ ହେବ। ଘୃଣା, ସ୍ୱାର୍ଥପରତା, ଅସହିଷ୍ଣୁତା ଓ ଈର୍ଷା ଉପରେ ଜୟ କରିବାର ଏକମାତ୍ର ଉପାୟ ହେଲା ପ୍ରେମର ବୃଦ୍ଧି କରିବା। ସମସ୍ତ ନୀଚ ମନୋଭାବ ତ୍ୟାଗ କରି ତୁମେ ଯଦି ଉଦାରତା, ବଦାନ୍ୟତା ଓ ମହାନୁଭବତା ଭଳି ଦୈବୀଗୁଣଗୁଡ଼ିକ ହାସଲ କରିବ ତେବେ ସମାଜରେ ପ୍ରେମ, କ୍ଷମାଶୀଳତା ଓ ସେବା ମନୋଭାବ ବୃଦ୍ଧିପାଇବ ଏବଂ ନୈରାଶ୍ୟବାଦ ବଦଳରେ ଆଶାବାଦ ଓ ଆଶାପ୍ରବଣତା ରାଜତ୍ୱ କରିବ। ଏଭଳି ଆଶାରୁ ହିଁ ଆନନ୍ଦ ଓ ଶାନ୍ତି।

ଡ. ଅଜିତ କୁମାର ତ୍ରିପାଠୀ
ଭୁବନେଶ୍ୱର, ମୋ: ୯୯୩୭୮୪୪୩୪୭