ଶମ୍ଭୁ ଏବଂ ଖନୌରୀ ସୀମାରୁ ଆନ୍ଦୋଳନରତ କୃଷକଙ୍କୁ ହଟାଇବାକୁ ପୁଲିସର ଅଭିଯାନ
ନୂଆଦିଲ୍ଲୀ: ଶମ୍ଭୁ ଏବଂ ଖନୌରୀ ସୀମାରେ ବର୍ଷେରୁ ଅଧିକ ସମୟ ଧରି ଆନ୍ଦୋଳନ ଚଳାଇଥିବା କୃଷକ ଏବଂ ସେମାନଙ୍କ ଅସ୍ଥାୟୀ ଶିବିରକୁ ଭାଙ୍ଗିବା ଏବଂ ରାସ୍ତା ସଫା ପାଇଁ ପଞ୍ଜାବ ପୁଲିସ ଅଭିଯାନ ଆରମ୍ଭ କରିଛି। ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବଢ଼ାଯାଇଛି। ଡିଆଇଜି ମନଦୀପ ସିଂହ ସିଦ୍ଧୁଙ୍କ ନେତୃତ୍ବରେ ୩ ହଜାର ପୁଲିସ ଖନୌରୀ ସୀମାରେ ମୁତୟନ ହୋଇଛନ୍ତି। ସେହିପରି ଶମ୍ଭୁ ସୀମାରେ ରାସ୍ତା ସଫା କରିବା ପାଇଁ ପୁଲିସ ପହଞ୍ଚିଛି। ଆନ୍ଦୋଳନରତ କୃଷକମାନେ ଖନୌରୀ ଏବଂ […]

ନୂଆଦିଲ୍ଲୀ: ଶମ୍ଭୁ ଏବଂ ଖନୌରୀ ସୀମାରେ ବର୍ଷେରୁ ଅଧିକ ସମୟ ଧରି ଆନ୍ଦୋଳନ ଚଳାଇଥିବା କୃଷକ ଏବଂ ସେମାନଙ୍କ ଅସ୍ଥାୟୀ ଶିବିରକୁ ଭାଙ୍ଗିବା ଏବଂ ରାସ୍ତା ସଫା ପାଇଁ ପଞ୍ଜାବ ପୁଲିସ ଅଭିଯାନ ଆରମ୍ଭ କରିଛି। ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବଢ଼ାଯାଇଛି। ଡିଆଇଜି ମନଦୀପ ସିଂହ ସିଦ୍ଧୁଙ୍କ ନେତୃତ୍ବରେ ୩ ହଜାର ପୁଲିସ ଖନୌରୀ ସୀମାରେ ମୁତୟନ ହୋଇଛନ୍ତି। ସେହିପରି ଶମ୍ଭୁ ସୀମାରେ ରାସ୍ତା ସଫା କରିବା ପାଇଁ ପୁଲିସ ପହଞ୍ଚିଛି। ଆନ୍ଦୋଳନରତ କୃଷକମାନେ ଖନୌରୀ ଏବଂ ଶମ୍ଭୁ ସୀମାକୁ ଯାଉଥିବାବେଳେ ପୁଲିସ ସହ ସେମାନଙ୍କ ସଂଘର୍ଷ ହୋଇଛି। ପୁଲିସ ଏହି ଘଟଣାରେ ୨୦୦ରୁ ଅଧିକ କୃଷକଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ କୃଷକ ନେତା ଜଗଜିତ ସିଂହ ଦଲେୱାଲ ଏବଂ ସରୱନ ସିଂହ ପାନ୍ଧେର ଆଦି ରହିଛନ୍ତି। ଆନ୍ଦୋଳନକାରୀଙ୍କୁ ବସ୍ରେ ନେବା ଓ ଅଟକ ରଖିବା ପୂର୍ବରୁ ସେମାନଙ୍କୁ ମାତ୍ର ୧୦ ମିନିଟ୍ ସମୟ ଦିଆଯାଇଥିଲା।
ଖନୌରୀ ସୀମାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ତେବେ କୃଷକଙ୍କ ବିରୋଧରେ ପଞ୍ଜାବ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ନେତାମାନେ କଡ଼ା ସମାଲୋଚନା କରିଥିବାବେଳେ ପଞ୍ଜାବ ଅର୍ଥ ମନ୍ତ୍ରୀ ହରପାଲ୍ ସିଂହ ଚିମା ପୁଲିସ କାର୍ଯ୍ୟାନୁଷ୍ଠାନକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି। ସେ କହିଛନ୍ତି, ଉକ୍ତ ୨ ରାଜପଥ ବନ୍ଦ ହେବା ଫଳରେ ଶିଳ୍ପ ଏବଂ ବ୍ୟବସାୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ପଟିଆଲା ଏସ୍ଏସ୍ପି ନାନକ ସିଂହ ଉଚ୍ଛେଦ ଅଭିଯାନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ଉଚ୍ଛେଦ ଆରମ୍ଭ ହୋଇଛି।ତେବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲେ ସୁଦ୍ଧା କେନ୍ଦ୍ର ସରକାର କୃଷକ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, କୃଷକଙ୍କ ସହ ପରବର୍ତ୍ତୀ କଥାବାର୍ତ୍ତା ମେ’ ୪ ତାରିଖରେ ହେବ।