ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ତୀର୍ଥ ସରୋବରର ନବକଳେବର,୪ ପୁଷ୍କରିଣୀର ହେବ ନବ କଳେବର

ପୁରୀ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଆରମ୍ଭ ହେଉଛି ୪ ପୁଷ୍କରିଣୀର ନବକଳେବର I ଶ୍ରୀକ୍ଷେତ୍ରର ପ୍ରତ୍ୟେକ ତୀର୍ଥ ପୁଷ୍କରିଣୀ ଗୁଡ଼ିକ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ଦେବଦେବୀଙ୍କ ନୀତି ସହ ଜଡ଼ିତ। ସମୟକ୍ରମେ ଏହି ପୁଷ୍କରିଣୀଗୁଡ଼ିକ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିଲା। ଆଉ ଏହା ଉପରେ ନଜର ପଡ଼ିଥିଲା ରାଜ୍ୟ ସରକାରଙ୍କର। ଯେଉଁଥିପାଇଁ ଶ୍ରୀକ୍ଷେତ୍ରର ୪ଟି ତୀର୍ଥ ପୁଷ୍କରିଣୀକୁ ନୂଆ ରୂପ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ […]

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ତୀର୍ଥ ସରୋବରର ନବକଳେବର,୪ ପୁଷ୍କରିଣୀର ହେବ ନବ କଳେବର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ୪ ପୁଷ୍କରିଣୀର ହେବ ନବ କଳେବର

ପୁରୀ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଆରମ୍ଭ ହେଉଛି ୪ ପୁଷ୍କରିଣୀର ନବକଳେବର I ଶ୍ରୀକ୍ଷେତ୍ରର ପ୍ରତ୍ୟେକ ତୀର୍ଥ ପୁଷ୍କରିଣୀ ଗୁଡ଼ିକ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ଦେବଦେବୀଙ୍କ ନୀତି ସହ ଜଡ଼ିତ। ସମୟକ୍ରମେ ଏହି ପୁଷ୍କରିଣୀଗୁଡ଼ିକ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିଲା। ଆଉ ଏହା ଉପରେ ନଜର ପଡ଼ିଥିଲା ରାଜ୍ୟ ସରକାରଙ୍କର। ଯେଉଁଥିପାଇଁ ଶ୍ରୀକ୍ଷେତ୍ରର ୪ଟି ତୀର୍ଥ ପୁଷ୍କରିଣୀକୁ ନୂଆ ରୂପ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ଉଦ୍ୟମ ଜାରି ରଖିଥିବା ବେଳେ ଏଥିରେ ତୀର୍ଥ ପୁଷ୍କରିଣୀକୁ ସାମିଲ କରିଛନ୍ତି। ପଞ୍ଚତୀର୍ଥ ମଧ୍ୟରୁ ଶ୍ୱେତଗଙ୍ଗା, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ ଏବଂ ପୁନରୁଦ୍ଧାର କରାଯାଉଛି। ଏଥିପାଇଁ ‘ଅବଢ଼ା’ ଯୋଜନାରେ ୬୬ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏଠାରେ ଦଶାହ କାର୍ଯ୍ୟ, ଚୁଟି ପକାଇବା ଓ ପିଣ୍ଡଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଖରା, ବର୍ଷା ହେଲେ ବି ଶ୍ରଦ୍ଧାଳୁମାନେ କୌଣସି ପ୍ରକାର ସମସ୍ୟାରେ ପଡ଼ିବେ ନାହିଁ। ଏହା ସହିତ ପୁଷ୍କରିଣୀଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମ୍ପ୍ରସାରଣ ସହ ଚାରିପାଖରେ ଉଜ୍ଜ୍ବଳ ଆଲୋକୀକରଣ ବ୍ୟବସ୍ଥା ହେବ। ସେହିପରି ଚତୁଃପାର୍ଶ୍ବରେ ବିଭିନ୍ନ ପ୍ରକାର ଫୁଲ କୁଣ୍ଡ ଶୋଭାବର୍ଦ୍ଧନ କରିବ। ଏଭଳି ପରିକଳ୍ପନାକୁ ନେଇ ୨୦୨୨ ଜୁନ୍‌‌ରୁ କାମ ଆରମ୍ଭ କରାଯାଇଥିଲା। ଦ୍ରୁତଗତିରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ। ଆଉ ୩/୪ ମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ରୂପ ନେଲେ ତୀର୍ଥଯାତ୍ରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପରିକ୍ରମା ପ୍ରକଳ୍ପ ସହ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧିରେ ପ୍ରମୁଖ ଯୋଗଦାନ ରଖିବ ଏହି ତୀର୍ଥ ପୁଷ୍କରିଣୀ। ମଝିରେ ଖୋଣ୍ଡଲାଇଟ୍‌‌ ପଥରର ଅଭାବ ଯୋଗୁ କାମ ସାମାନ୍ୟ ବିଳମ୍ବ ହୋଇଥିବା ବେଳେ ଏବେ କାମକୁ ତ୍ୱରାନ୍ୱିତ କରିଛି ଓବିସିସି।

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ
ପୁରୁଷୋତ୍ତମ କ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରି କୋଟି କୋଟି ଗୋ-ଦାନ କରିଥିଲେ। ଯଜ୍ଞ ପାଇଁ ଆସିଥିବା ଗୋରୁଙ୍କ ଖୁରାରୁ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଗୋମୂତ୍ର ବା ଗୋମୟର ପବିତ୍ର ଏହି ଗର୍ତ୍ତ ତୀର୍ଥ ପୁଷ୍କରିଣୀ ରୂପେ ରୂପାନ୍ତରିତ ହୋଇଥିଲା। ଏହାର ପୂର୍ବରେ ଶ୍ରୀନୀଳକଣ୍ଠେଶ୍ୱର ମନ୍ଦିର ଓ ଆଉ କିଛି ମନ୍ଦିର ଶୋଭାପାଉଛି। ଏହି ତୀର୍ଥରେ ସ୍ନାନ, ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଉଚିତ ବିଧି ବିଧାନରେ ସମ୍ପାଦିତ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ ହେଉଥିବା ବିଶ୍ୱାସ ରହିଛି। କାର୍ତ୍ତିକ ମାସରେ ବ୍ରତଧାରୀମାନେ ଏହି ପୁଷ୍କରିଣୀରେ ସ୍ନାନ କରି ଦାନ ଦକ୍ଷିଣା ଦେବା ପରେ ଯଜ୍ଞ ନୃସିଂହଙ୍କୁ ଦର୍ଶନ କରିଥାନ୍ତି। ସେହିପରି ପ୍ରତିବର୍ଷ ରଥଯାତ୍ରା ସମୟରେ ନବଦିନାତ୍ମକ ବ୍ରତଧାରୀ ମଧ୍ୟ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ଯଜ୍ଞ ନୃସିଂହଙ୍କ ଦର୍ଶନ କରିବାକୁ ଭିଡ଼ ଜମାନ୍ତି।

ମାର୍କଣ୍ଡେୟ ପୁଷ୍କରିଣୀ
ମାର୍କଣ୍ଡେୟ ପୁଷ୍କରିଣୀ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବରେ ଅବସ୍ଥିତ। ଏହାର କେନ୍ଦ୍ରସ୍ଥଳରେ ଯଜ୍ଞବେଦି ରହିଛି। ଅନ୍ୟ ତୀର୍ଥ ଅପେକ୍ଷା ଏଠାରେ ସର୍ବାଧିକ ତୀର୍ଥଯାତ୍ରୀ ସ୍ନାନ, ଦାନ, ତର୍ପଣ, ଶ୍ରାଦ୍ଧ ଓ ଦଶାହକ୍ରିୟା କରନ୍ତି। ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ କାଳୀୟଦଳନ ନୀତି ଏହି ପୁଷ୍କରିଣୀରେ ଅନୁଷ୍ଠିତ ହୁଏ। ନେତପିଲାମାନେ ଏଠାରେ ବାଲୁକା ଲିଙ୍ଗ ସ୍ଥାପନା କରି ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜା କରିଥା’ନ୍ତି।

ନରେନ୍ଦ୍ର ପୁଷ୍କରିଣୀ
ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚାପ ଖେଳିଥାଆନ୍ତି। ସେଥିପାଇଁ ଏହି ଜଳାଶୟକୁ ଭକ୍ତ ପବିତ୍ର ମଣନ୍ତି। ଏହାର ପୂର୍ବରେ ବାୟାବାବା ମଠ, ପଶ୍ଚିମରେ ବିଶ୍ୱେଶ୍ୱରୀ ଠାକୁରାଣୀ ଓ ଚୁଡ଼ଙ୍ଗ ପୋଖରୀ, ଉତ୍ତରରେ ଜଟିଆ ବାବା ମଠ ଓ ଦକ୍ଷିଣରେ ଜଗନ୍ନାଥ ବଲ୍ଲଭ ମଠ ରହିଛି। ପୁଷ୍କରିଣୀ ମଧ୍ୟଭାଗରେ ଦୀପିଦାଣ୍ଡି ରହିଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ ବଳରାମ ଓ ପଞ୍ଚମହାଦେବ ପ୍ରତିବର୍ଷ ଚନ୍ଦନଯାତ୍ରାରେ ଏଠାକୁ ଆସି ଚାପ ଖେଳନ୍ତି। ଏହି ପବିତ୍ର ଜଳାଶୟରେ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହା ଚନ୍ଦନ ସରୋବର ନାମରେ ଖ୍ୟାତ।