ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ
ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ) ଓ ମଧ୍ୟଏସିଆ ସହିତ ଭାରତ ଯୋଗାଯୋଗ ରଖିପାରିଥିଲା। ସମୁଦ୍ର ପଥରେ ଏହା ପାରସ୍ୟ, ଆରବ ଏବଂ ଲୋହିତସାଗର ଦେଇ ରୋମ୍ ସାମ୍ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା। ପୂର୍ବ ଉପକୂଳରେ ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ, କାମ୍ବୋଡ଼ିଆ ଏବଂ ବର୍ମା ସହିତ ଭାରତ ସମ୍ପର୍କ ସ୍ଥାପନ କରିପାରିଥିଲା। ଭାରତରୁ ସ୍ଥଳଭାଗରେ ପାହାଡ଼ ଦେଇ ତିବ୍ଦତକୁ […] The post ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ appeared first on Dharitri Odia News.
ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ) ଓ ମଧ୍ୟଏସିଆ ସହିତ ଭାରତ ଯୋଗାଯୋଗ ରଖିପାରିଥିଲା। ସମୁଦ୍ର ପଥରେ ଏହା ପାରସ୍ୟ, ଆରବ ଏବଂ ଲୋହିତସାଗର ଦେଇ ରୋମ୍ ସାମ୍ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା। ପୂର୍ବ ଉପକୂଳରେ ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ, କାମ୍ବୋଡ଼ିଆ ଏବଂ ବର୍ମା ସହିତ ଭାରତ ସମ୍ପର୍କ ସ୍ଥାପନ କରିପାରିଥିଲା। ଭାରତରୁ ସ୍ଥଳଭାଗରେ ପାହାଡ଼ ଦେଇ ତିବ୍ଦତକୁ ଯୋଗାଯୋଗ ଥିଲା। ସମୁଦ୍ରପଥରେ ଭାରତୀୟମାନେ ମୌସୁମୀ ପବନର ସୁଯୋଗ ନେଇ ଜାହାଜଗୁଡ଼ିକୁ ୬ ସପ୍ତାହ ମଧ୍ୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ସକ୍ଷମ ହେଉଥିଲେ, ଯାହାକି ସ୍ଥଳଭାଗରେ ୬ମାସ ଲାଗି ଯାଉଥିଲା। ଏହି ପଥରେ ଭାରତ ବିଶ୍ୱକୁ ଅନେକ ଜିନିଷ ଦେଇଥିଲା। ଖ୍ରୀଷ୍ଟପୂର୍ବ ୩୨୬ରେ ଆଲେକଜାଣ୍ଡାର୍ ଦି ଗ୍ରେଟ୍ ଉତ୍ତର-ପଶ୍ଚିମ ଭାରତୀୟ ଉପମହାଦେଶ ଉପରେ ଆକ୍ରମଣ କଲାବେଳେ ସ୍ଥଳ ମାର୍ଗ ଖୋଲିଲା। ସେ ସମୟରେ ଭାରତ ଘୋଡ଼ା ଆଣି ହାତୀ ରପ୍ତାନି କରିଥିଲା। ପରେ କୁଶାଣ ରାଜତ୍ୱରେ ପାରସ୍ୟ ଏବଂ ରୋମ୍ ସହିତ ସମ୍ପର୍କ ପ୍ରତିଷ୍ଠା କରାଯାଇଥିଲା। ଗୁପ୍ତବଂଶ ଶାସନ ପରେ ଦକ୍ଷିଣ ପୂର୍ବ ଏସିଆ ସହିତ ସମ୍ପର୍କରେ ଉନ୍ନତି ଘଟିଥିଲା, ଯେଉଁଠାରେ ଭାରତକୁ ‘ସ୍ବର୍ଣ୍ଣଭୂମି’ ବା ସୁନାର ଦେଶ ବୋଲି କୁହାଯାଉଥିଲା।
ଭାରତ ମୁଖ୍ୟତଃ ଉଦ୍ଭିଦଜାତ ସାମଗ୍ରୀ (କପା ବା ମସଲା), ପ୍ରାଣୀଜ ସାମଗ୍ରୀ (ହାତୀଦାନ୍ତ ଓ ପକ୍ଷୀ), ଖଣିଜ ପଦାର୍ଥ (ରତ୍ନ ପଥର ଓ ମୂଲ୍ୟବାନ ଧାତୁ) ଏବଂ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ (ପୋଷାକ) ଆଦି ରତ୍ପାନି କରୁଥିଲା। ଏହା ସହ ବୌଦ୍ଧିକ, ସାହିତି୍ୟକ, ଗାଣିତିକ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଆଦାନ ପ୍ରଦାନ ହେଉଥିଲା। କପା, ମସଲା ଏବଂ ଚିନି (ଏପରିକି ଆଖୁ) ସର୍ବାଧିକ ରପ୍ତାନି କରାଯାଉଥିଲା। ଭାରତରେ ଅତ୍ୟଧିକ ଉପତ୍ାଦନ ହେଉଥିବା କ୍ରିଷ୍ଟାଲାଇଜ୍ଡ ସୁଗାର ବା ଦାନା ଆକାରର ସ୍ବଚ୍ଛ ଚିନି ସାରା ବିଶ୍ୱକୁ ରପ୍ତାନି କରାଯାଉଥିଲା। ଏହାର ବୈଶ୍ୱିକ ବାଣିଜ୍ୟକୁ ନେଇ କିଛି ରୋଚକ କଥା ରହିଛି। ଉଦାହରଣସ୍ବରୂପ ଚାଇନାରୁ ଚିନି ଶବ୍ଦ ଏବଂ ଇଜିପ୍ଟରୁ ମିଶ୍ରି ଶବ୍ଦ ଆସିଥିବା କୁହାଯାଉଛି। ଭାରତର କପଡ଼ା ଏବଂ ହସ୍ତତନ୍ତ ସାମଗ୍ରୀଗୁଡ଼ିକର ସାରା ବିଶ୍ୱରେ ଆଦୃତି ଲାଭ କରିଥିଲା। ଅଧିକାଂଶ ଦକ୍ଷିଣ ପୂର୍ବ ଏସୀୟ ଦେଶର ବ୍ୟବସାୟୀମାନେ କେବଳ ଭାରତୀୟ ବସ୍ତ୍ର ନେଇ ମସଲା ଦେଉଥିଲେ। ତେଣୁ ଭାରତୀୟ ପୋଷାକ ମୁଦ୍ରା ଭାବରେ କାର୍ଯ୍ୟ କରୁଥିଲା।
ହାତୀ, ମୟୂର ଏବଂ ମାଙ୍କଡ଼ ମଧ୍ୟ ବାଣିଜ୍ୟର ଅଂଶ ଥିଲେ। ପାରସ୍ୟର ରାଜାମାନେ ଭାରତୀୟ ମୟୂର, କୁକୁର, ମଇଁଷି ଏବଂ ହାତୀକୁ ଭଲ ପାଉଥିଲେ। ଗୁଜରାଟ ଏବଂ ଆଫଗାନିସ୍ତାନ (ସେତେବେଳେ ଭାରତର ଅଂଶ ଥିଲା)ରୁ ଉପତ୍ାଦିତ ରଙ୍ଗିନ ତଥା ମଧ୍ୟମ ମୂଲ୍ୟର ପଥର ଭାରତରୁ ବିଦେଶକୁ ରପ୍ତାନି ହେଉଥିଲା। ପରେ ଅନେକ ଶତାବ୍ଦୀ ଧରି ଭାରତ ଏକମାତ୍ର ଦେଶ ଭାବେ ବିଶ୍ୱକୁ ହୀରା ଯୋଗାଉଥିଲା। ଦକ୍ଷିଣ ପଶ୍ଚିମାଞ୍ଚଳରେ ଥିବା ଗୋଲକୋଣ୍ଡା ଖଣି ବିଶ୍ୱର ସବୁଠୁ ଭଲ ହୀରା ଉତ୍ପାଦନ କରୁଥିଲା। ଏଥିସହ ଭାରତରୁ ବଡ଼ ଲୁହା ଖଣ୍ଡ ପଶ୍ଚିମ ଏସିଆକୁ ଯାଉଥିଲା ଏବଂ ସେଠାରେ ସେଥିରୁ ଉନ୍ନତଧରଣର ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା। ଅଶ୍ୱାରୋହୀ ଯେଉଁଥିରେ ପାଦ ରଖନ୍ତି (ଷ୍ଟିରପ) ତାହା ମଧ୍ୟ ଭାରତରୁ ବିଭିନ୍ନ ଦେଶକୁ ଯାଉଥିଲା। ଫଳରେ ଅଶ୍ୱବାହିନୀର ବିକାଶ ଘଟିଥିଲା। ପୁରାତନ ଷ୍ଟିରପର ଚିତ୍ରଗୁଡ଼ିକ ଭାରତର ବୌଦ୍ଧସ୍ଥଳରୁ ମିଳିିଥିଲା।
ଗାଣିତିକ ଧାରଣା, ବିଶେଷକରି ସଂଖ୍ୟା ଗଣିତ ମଧ୍ୟ ଭାରତରୁ ପ୍ରସାର ଲାଭ କରିଥିଲା। ସ୍ଥାନାଙ୍କ ଭାବେ ଶୂନର ଧାରଣା ଏବଂ ଦଶମିକ ପ୍ରଣାଳୀ ଭାରତରୁ ଆରବ ଦେଇ ୟୁରୋପରେ ପହଞ୍ଚିଥିଲା। ଗଣନ, ବୀଜଗଣିତ ଏବଂ ତ୍ରିକୋଣମିତି ଧାରଣା ଭାରତରୁ ସୃଷ୍ଟି ହୋଇ ଅନ୍ୟ ଦେଶକୁ ଯାଇଥିଲା। ଭାରତରୁ ବିତ୍ତୀୟ ନେଣଦେଣର ରେକର୍ଡ ପ୍ରସ୍ତୁତ କରିବା ଏବଂ ବ୍ୟାଙ୍କିଙ୍ଗ ଚିନ୍ତାଧାରା ବିଶ୍ୱକୁ ବ୍ୟାପିଥିଲା ଏବଂ ଏଗୁଡ଼ିକରେ ଗୁଜରାଟ ଉପକୂଳ ବାସିନ୍ଦା ତଥା ଜୈନ ବଣିକମାନେ ନିପୁଣ ଥିଲେ।
ଭାରତ ସାହିତ୍ୟ ଏବଂ ସାଂସ୍କୃତିକ କ୍ଷେତ୍ରରେ ବିଶ୍ୱକୁ ପ୍ରଭାବିତ କରିଥିଲା। ଭାରତୀୟ ଲିପି ଦକ୍ଷିଣ ପୂର୍ବ ଏସିଆକୁ ବ୍ୟାପିଥିଲା। ୩୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଥିବା ସଂସ୍କୃତ ଆଫଗାନିସ୍ତାନରୁ ଆରମ୍ଭକରି ଭିଏତନାମ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ସାହିତ୍ୟ ଭାଷା ଭାବରେ ବ୍ୟବହାର କରାଯାଉଥିଲା। ଅନେକ ଧର୍ମୀୟ ଧାରଣା ଭାରତରୁ ବାହାରକୁ ଯାଇଛି । ବୌଦ୍ଧଧର୍ମ, ବିଶେଷକରି ଉତ୍ତର-ପୂର୍ବ ଭାରତରେ ବ୍ୟାପିଥିବା ମହାଯାନ ବୌଦ୍ଧଧର୍ମ ଏବଂ ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ବଜ୍ରଯାନ ବୌଦ୍ଧଧର୍ମ ତିବ୍ଦତକୁ ପ୍ରସାର ଲାଭ କରିଥିଲା। ପାଲିଭାଷାରେ ଲିଖିତ ବୌଦ୍ଧଧର୍ମ ସିଦ୍ଧାନ୍ତ ଦକ୍ଷିଣ ଦିଗରେ ଶ୍ରୀଲଙ୍କାରେ ପହଞ୍ଚିବା ପରେ ସେଠାରୁ ଦକ୍ଷିଣ ପୂର୍ବ ଏସୀୟ ଦେଶକୁ ବ୍ୟାପିଥିଲା।
ହିନ୍ଦୁଧର୍ମ ଏବଂ ହର ରୂପରେ ଶିବଙ୍କ ପୂଜା ଓ ବିଷ୍ଣୁଙ୍କୁ ହରି ଭାବେ ଆରାଧନା କରିବା ଧାରଣା ଭିଏତନାମରେ ପହଞ୍ଚିଥିଲା। ଚାଇନାର ଏକ ଲିଖିତ ତଥ୍ୟରୁ ଜଣାପଡ଼ିଛି ଯେ, ଖ୍ରୀଷ୍ଟାବ୍ଦ ୩୦୦ ସୁଦ୍ଧା ଚମ୍ପା ଏବଂ ଫୁନାନ୍ (ବର୍ତ୍ତମାନର ଭିଏତନାମ ଏବଂ କାମ୍ବୋଡିଆ)ରେ ହିନ୍ଦୁ ନୃତ୍ୟଶିଳ୍ପୀ ଏବଂ ହିନ୍ଦୁ ଗ୍ରନ୍ଥ ରହିଥିଲା। ଗଣେଶ, ସରସ୍ବତୀ ଏବଂ ଲକ୍ଷ୍ମୀ ଭଳି ଦେବଦେବୀ ଚାଇନାରୁ ମିଳିଛି।
ରାଜମଣ୍ଡଳ (ରାଜ ଶାସନର ପ୍ରମୁଖ ବିଷୟ ଏବଂ ଅଧିକାର) ଧାରଣା ମଧ୍ୟ ଭାରତରେ ସୃଷ୍ଟି ହୋଇଥିଲା। ଏହା ଚାଣକ୍ୟ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରାଯାଇଥିଲା, ଯାହା କାମ୍ବୋଡିଆ ଓ ଦକ୍ଷିଣ ପୂର୍ବ ଏସୀୟ ରାଜାମାନଙ୍କୁ ଆକର୍ଷିତ କରିଥିଲା । ଏଥିସହ ଥାଇଲାଣ୍ଡ ଏବଂ ଜାଭା ରାଜାମାନଙ୍କ ମଧ୍ୟରେ ପ୍ରାଚୀନ ଭାରତୀୟ ଆଇନ ମନୁସ୍ମୃତି ଅତ୍ୟନ୍ତ ଲୋକପ୍ରିୟ ଥିଲା। ବୁଦ୍ଧଙ୍କ କାହାଣୀ ସହିତ ରାମାୟଣ ଓ ମହାଭାରତ ଭାରତରୁ ବ୍ୟାପିଥିଲା ଏବଂ ଇଣ୍ଡୋନେସିଆର ବୋରୋବୁଦୁର ଏବଂ ପ୍ରମ୍ବାନାନ ପରି ସ୍ଥାନରେ କାନ୍ଥରେ ଖୋଦିତ ହୋଇଥିଲା। ଏହି କାହାଣୀଗୁଡ଼ିକ ଭିଏତନାମ୍ର ମାଇଁ-ସୋନ ମନ୍ଦିରରେ, କାମ୍ବୋଡିଆର ଅଙ୍ଗକୋର ୱାଟର କାନ୍ଥରେ, ବର୍ମାର ବାଗାନର ପାଗୋଡ଼ା ସହରରେ ଏବଂ ଥାଇଲାଣ୍ଡର ଆୟୁଥୟାଠାରେ ମଧ୍ୟ ମିଳିପାରିବ। ଏହିସବୁ ଉପହାର ଭାରତ ବିଶ୍ୱକୁ ଦେଇଥିଲା।
-devduttofficial@gmail.com
The post ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ appeared first on Dharitri Odia News.