ସବୁଜରୁ ହେଲା କମଳା ରଙ୍ଗ:ଉଦ୍‌ଘାଟନ ଅପେକ୍ଷାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ,୨୮ା୧୨(ସନାତନ ରାଉତ):ଭଦ୍ରକ ଗେଲପୁର ମୌଜାରେ ନିର୍ମାଣ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ପୂର୍ବ ସରକାର ସମୟରୁ ନିର୍ମାଣ ସରିଥିଲେ ମଧ୍ୟ ଅଳ୍ପ କିଛି କାର୍ଯ୍ୟ ବାକି ଥିବାରୁ ସ୍ଥାନାନ୍ତର ନେଇ ସମୟ ଗଡ଼ି ଚାଲିଛି। ଗତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ନୂତନ କୋଠାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବ ବୋଲି ସେତେବେଳର ଜିଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ସେବେଠାରୁ ବାରମ୍ବାର ତାରିଖ ବଦଳି […] The post ସବୁଜରୁ ହେଲା କମଳା ରଙ୍ଗ:ଉଦ୍‌ଘାଟନ ଅପେକ୍ଷାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ appeared first on Dharitri Odia News.

ସବୁଜରୁ ହେଲା କମଳା ରଙ୍ଗ:ଉଦ୍‌ଘାଟନ ଅପେକ୍ଷାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ
ଭଦ୍ରକ,୨୮ା୧୨(ସନାତନ ରାଉତ):ଭଦ୍ରକ ଗେଲପୁର ମୌଜାରେ ନିର୍ମାଣ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ପୂର୍ବ ସରକାର ସମୟରୁ ନିର୍ମାଣ ସରିଥିଲେ ମଧ୍ୟ ଅଳ୍ପ କିଛି କାର୍ଯ୍ୟ ବାକି ଥିବାରୁ ସ୍ଥାନାନ୍ତର ନେଇ ସମୟ ଗଡ଼ି ଚାଲିଛି। ଗତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ନୂତନ କୋଠାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବ ବୋଲି ସେତେବେଳର ଜିଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ସେବେଠାରୁ ବାରମ୍ବାର ତାରିଖ ବଦଳି ଚାଲିଛି। ଏହାମଧ୍ୟରେ ରାଜ୍ୟରେ ସରକାର ବଦଳି ଯିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ସମୟ ଗଡ଼ିଯାଇଛି। ନୂତନ କୋଠାରେ ପୂର୍ବରୁ ଦିଆଯାଇଥିବା ରଙ୍ଗକୁ ବଦଳାଇ ପୁଣିଥରେ ରଙ୍ଗ କରାଯାଇଛି। ସରକାର ବଦଳିବା ପରେ ବିଭିନ୍ନ ସରକାରୀ କୋଠାର ରଙ୍ଗ ବଦଳିବା ପ୍ରକ୍ରିୟା ଚାଲିଥିବା ବେଳେ ଏହି ଡାକ୍ତରଖାନା କୋଠାରେ ପୂର୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଦିଆଯାଇଥିବା ସବୁଜ ରଙ୍ଗ ଉପରେ ଏବେ କମଳା ରଙ୍ଗ ଦିଆଯାଇଛି। ଏହା କୌଣସି ଆବଶ୍ୟକ ନ ଥିବାବେଳେ ରାଜକୋଷରୁ ଅଯଥା ଟଙ୍କା ଖର୍ଚ୍ଚ କରି ରଙ୍ଗ କରାଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
ଆସନ୍ତା ଜାନୁଆରୀରେ ତାରିଖ ଧାର୍ଯ୍ୟ କରାଯାଇ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କରାଯିବ ବୋଲି ଶୁଣିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ତାରିଖ ସ୍ଥିର ହେବ ବୋଲି ଜଣାପଡ଼ିଛି। ଉଦ୍‌ଘାଟନ ପୂର୍ବରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଥିବା ବେଳେ ନିକଟରେ ଜିଲାପାଳ ଦିଲୀପ ରାଉତରାଏ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଡାକ୍ତରଖାନାର ନୂତନ କୋଠା ପରିଦର୍ଶନ କରି ଅନ୍ତିମ ପର୍ଯ୍ୟାୟରେ ଚାଲିଥିବା କାର୍ଯ୍ୟର ତଦାରଖ କରଛନ୍ତି। ୩ ଶହ ଶଯ୍ୟା ବିଶିଷ୍ଟ ଏହି ନୂତନ କୋଠାରେ ବିଭିନ୍ନ ଅତ୍ୟାଧୁନିକ ସୁବିଧା ସହ ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଉପକରଣ ବ୍ୟବସ୍ଥା ହୋଇଥିବା ବେଳେ ଆଇସିୟୁ ଓ ସେମି ଆଇସିୟୁର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

The post ସବୁଜରୁ ହେଲା କମଳା ରଙ୍ଗ:ଉଦ୍‌ଘାଟନ ଅପେକ୍ଷାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ appeared first on Dharitri Odia News.