ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ ତ କିଏ ସମାଜବାଦ, ନ ହେଲେ ସାମ୍ୟବାଦ। ଭାରତ ସ୍ବାଧୀନ ହେଲାପରେ ଯେଉଁ ଗଣତାନ୍ତ୍ରିକ ସମାଜବାଦ ଆପଣାଇଲା ସେଥିରେ ଦେଶର ବିକାଶ ନିମନ୍ତେ ମିଶ୍ର ଅର୍ଥନୀତି ଗ୍ରହଣ କରାଗଲା। ଏଥିରେ ରାଷ୍ଟ୍ର ତଥା ଘରୋଇ ଉନ୍ନୟନକୁ ପ୍ରାଧାନ୍ୟ ଦିଆଗଲା। କେତେକ ସ୍ଥଳେ ରାଷ୍ଟ୍ର ଉନ୍ନୟନକୁ ଗୁରୁତ୍ୱ ଦେଲେ ଆଉ କେତେକ […] The post ସମବାୟରେ ଅର୍ଥନୈତିକ ସମାନତା appeared first on Dharitri Odia News.

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ ତ କିଏ ସମାଜବାଦ, ନ ହେଲେ ସାମ୍ୟବାଦ। ଭାରତ ସ୍ବାଧୀନ ହେଲାପରେ ଯେଉଁ ଗଣତାନ୍ତ୍ରିକ ସମାଜବାଦ ଆପଣାଇଲା ସେଥିରେ ଦେଶର ବିକାଶ ନିମନ୍ତେ ମିଶ୍ର ଅର୍ଥନୀତି ଗ୍ରହଣ କରାଗଲା। ଏଥିରେ ରାଷ୍ଟ୍ର ତଥା ଘରୋଇ ଉନ୍ନୟନକୁ ପ୍ରାଧାନ୍ୟ ଦିଆଗଲା। କେତେକ ସ୍ଥଳେ ରାଷ୍ଟ୍ର ଉନ୍ନୟନକୁ ଗୁରୁତ୍ୱ ଦେଲେ ଆଉ କେତେକ କ୍ଷେତ୍ରରେ ଘରୋଇ ସଂସ୍ଥା ଉନ୍ନୟନକୁ ଆଗେଇ ନେଲେ। ଆବଶ୍ୟକ ହେଲେ ରାଷ୍ଟ୍ର ଓ ଘରୋଇ ମିଶି ଉଦ୍ୟୋଗ କରିବେ ବୋଲି ସ୍ଥିର ହେଲା। ୧୯୫୫ ମସିହାରେ ଶିଳ୍ପୋଦ୍ୟୋଗୀ ସଂଘକୁ ସୂଚନା ଦେଇ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ କହିଥିଲେ ଯେ, ଦେଶର ଆଶୁ ବିକାଶ ପାଇଁ ଉଭୟ ଯୋଗଦାନ ଅବଶ୍ୟମ୍ଭାବୀ, ଏଥିପାଇଁ ଏକ ଯୋଜନା ଆବଶ୍ୟକ। ତଦନୁସାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ଯୋଜନା ବୋର୍ଡ ଗଠିତ ହୋଇ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଦେଶର ଅର୍ଥନୈତିକ ବିକାଶ ଆରମ୍ଭ କରାଯାଇଥିଲା। ସମ୍ବିଧାନର ଏହି ନୀତି ବ୍ୟବସ୍ଥା କଲାବେଳେ ସମବାୟ ମାଧ୍ୟମରେ ଅର୍ଥନୈତିକ ବିକାଶ ଘଟାଯାଇ ପାରିବ ବୋଲି ଚିନ୍ତା କରାଯାଇ ସମବାୟକୁ ଏହି ମିଶ୍ର ଅର୍ଥନୀତିରେ ସ୍ଥାନ ଦିଆଗଲା।
ତଦନୁସାରେ ଭାରି, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ଏମାନଙ୍କ ମଧ୍ୟରେ ଉନ୍ନୟନ ଦାୟିତ୍ୱ ବଣ୍ଟାଯାଇ ସରକାରଙ୍କ ନିୟନ୍ତ୍ରଣରେ ରଖାଗଲା। ଯୋଜନାବଦ୍ଧ ଅର୍ଥନୀତିରେ ଦେଶର ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳ ସହିତ ଉପତ୍ାଦନ ଓ ବଣ୍ଟନର ସଦ୍‌ ବିନିଯୋଗ ହୋଇଥାଏ; ଯାହା ସମସ୍ତଙ୍କୁ ସୁଫଳ ଦେଇ ସମାନ ଅର୍ଥନୈତିକ ବିକାଶ ଘଟାଇଥାଏ ବୋଲି ପ୍ରଫେସର ‘ମଲାନବିଶ୍‌’ କହନ୍ତି। ଡରବିନ୍‌ଙ୍କ ମତରେ ଯୋଜନା ଦ୍ୱାରା କେବଳ ପୁଞ୍ଜିବାଦର କୁଫଳକୁ ରୋକାଯାଇପାରିବ। ଆଉ ପାଦେ ଆଗକୁ ଯାଇ ପ୍ରଫେସର ଡାଲ୍‌ଟନ୍‌ କହିଛନ୍ତି ଯେ, ଯୋଜନାର ଠିକ୍‌ ରୂପାୟନ ପାଇଁ ସତର୍କତା ଅବଲମ୍ବନ ବିଧେୟ। ବିଭିନ୍ନ ଉନ୍ନୟନ ପାଇଁ ପୁଞ୍ଜି ଯୋଗାଡ଼ ସହିତ ଅଧିକ ଉପତ୍ାଦନ, ସେବା ଓ ବଜାର ସୃଷ୍ଟିହେବା ଉଚିତ। କୃଷି, ଶିଳ୍ପ, ଗମନାଗମନ, ଜଳ, ଶକ୍ତି, ଶିକ୍ଷା, ସ୍ବାସ୍ଥ୍ୟ ସାଙ୍ଗକୁ ସଞ୍ଚାର ଓ ପ୍ରସାର ବିଭିନ୍ନ ପଞ୍ଚବାର୍ଷିକ ଯୋଜନା ଜରିଆରେ ବିକଶିତ ହେବାକୁ ଲାଗିଲାବେଳେ ରାଜନୀତି, ହିଂସା, ଅସ୍ବଚ୍ଛ କାର୍ଯ୍ୟକଳାପ ଓ ପ୍ରାକୃତିକ ଦୁର୍ବିପାକ ଯୋଗୁ ସପ୍ତମ ପଞ୍ଚବାର୍ଷିକ ଯୋଜନା ପର୍ଯ୍ୟନ୍ତ ଦେଶର ଉନ୍ନୟନ ଗତି ମନ୍ଥର ରହିଲା। ବିଶ୍ୱ ଅର୍ଥନୀତି ସହ ଯୋଡ଼ିହୋଇ ବିକାଶକୁ ଆହୁରି ବ୍ୟାପକ କରିବାକୁ ଆମ ଦେଶରେ ଅଷ୍ଟମ ପଞ୍ଚବାର୍ଷିକ ଯୋଜନାଠାରୁ ଅର୍ଥନୈତିକ ସଂସ୍କାର ଆରମ୍ଭ କରାଗଲା। ଏଥିରେ ରାଷ୍ଟ୍ରର ଗୁରୁତ୍ୱକୁ ସଙ୍କୁଚିତ କରାଯାଇ ଘରୋଇ ଓ ସମବାୟ ସଂସ୍ଥାକୁ ବିକେନ୍ଦ୍ରିତ ଜନଶାସନକୁ ବିକାଶ କ୍ଷେତ୍ରରେ ଦାୟିତ୍ୱ ଦିଆଗଲା। ଲାଇସେନ୍ସ କଟକଣା ଉଠାଇ ଦିଆଗଲା। ଦେଶଜ ଉନ୍ନୟନ ଓ ବହିର୍ବ୍ୟାପାର ନିମନ୍ତେ ଶୁଳ୍କ ଟିକସ କୋହଳ କରିଦିଆଗଲା। ଅଧିକ ପୁଞ୍ଜି ଉଭୟ ସରକାରୀ, ଘରୋଇ ତଥା ସମବାୟ କ୍ଷେତ୍ରରେ ବିନିଯୋଗ ହୋଇ ଉପତ୍ାଦନ ଓ ମୁକ୍ତ ବଜାରଭିତ୍ତିକ ବଣ୍ଟନ ସୁବିଧା ଦିଆଗଲା।
ଏହି ପରିପ୍ରେକ୍ଷୀରେ ଅର୍ଥନୀତିବିତ୍‌ ଜି.ଆର୍‌. ପଞ୍ଚମୁଖୀ କହନ୍ତି, ବିକାଶମୁଖୀ ଦେଶଗୁଡ଼ିକ ମଧ୍ୟରେ ଉପତ୍ାଦନ ବାଣିଜ୍ୟକୁ ସୁଦୃଢ଼ ଓ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବିଶ୍ୱ ଅର୍ଥନୈତିକ ପ୍ରଗତି ସହ ସମ୍ପର୍କ ରଖିବା ଅର୍ଥନୈତିକ ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ଅଷ୍ଟମରୁ ଏକାଦଶ ଯୋଜନା ମଧ୍ୟରେ ମୁକ୍ତ ଅର୍ଥନୀତି ଘଟି ବିକାଶ ତ୍ୱରାନ୍ବିତ କରାଗଲା ବେଳେ ଦେଖାଗଲା ଯେ ଉପତ୍ାଦନ ତଥା ବାଣିଜ୍ୟ ପ୍ରତି ଧ୍ୟାନ ନ ଦେଇ ଘରୋଇ ଉଦ୍ୟୋଗ ଶତାଂଶ କିମ୍ବା ଅର୍ଦ୍ଧାଧିକ ଅଂଶ ଓ ଭିତ୍ତିଭୂମି ଇତ୍ୟାଦିରେ ଦଖଲ ତଥା ରିହାତି ସୁବିଧା ଏବଂ ସର୍ବୋପରି ନିଜ ନିଜର ସ୍ବାର୍ଥ ହାସଲରେ ଲାଗିପଡ଼ିଲେ। ଏପରି କି ସରକାରୀ ପୁଞ୍ଜି ତଥା ଗ୍ୟାରେଣ୍ଟି ଘରୋଇ ଉଦ୍ୟୋଗରେ ବିନିଯୋଗ ହେବା ଫଳରେ ଏସବୁ ଯୋଗୁ ଘରୋଇ ଅର୍ଥନୀତି ଦୁର୍ବଳ ହୋଇଗଲା। ସେବା କ୍ଷେତ୍ରରେ ଅବହେଳା କରାଗଲା। ଗ୍ରାମାଞ୍ଚଳକୁ ପୁଞ୍ଜି, ଶ୍ରମ, ଜ୍ଞାନ ଓ କୌଶଳ ବାଟମାରଣା ହେଲା। ସରକାର ତାଙ୍କର କୋହଳ ନୀତିରେ ନିୟନ୍ତ୍ରଣ ରଖିଲେ ନାହିଁ। ବର୍ତ୍ତମାନ କୃତ୍ରିମ ପୁଞ୍ଜି ଓ ଦ୍ରବ୍ୟ ଅଭାବ ସାଧାରଣରେ ଦେଖାଦେଇଛି। ଏଣୁ ଯୋଜନାର ପ୍ରକୃତ ଅର୍ଥ ଋଣ ଓ ସ୍ବପାଣ୍ଠିରୁ ବିନିଯୁକ୍ତ ହେଲେ ମଧ୍ୟ ଯୋଗାଣ ଓ ଚାହିଦାର ଅଭାବ ଦୃଷ୍ଟିରୁ ଅର୍ଥନୈତିକ ବିଷମତା ଆମ ସମାଜରେ ଦେଖାଦେଇଛି। ଦରଦାମ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ଘଟୁଛି। ଉପତ୍ାଦନ ଅଭାବ ଓ ଦ୍ରବ୍ୟ ହଡ଼ପ ଯୋଗୁ ବହୁ ଜିନିଷ ଆମଦାନୀ କରିବାକୁ ପଡୁଛି। ରପ୍ତାନି କମିଯାଉଛି। ଏଣେ ବିକେନ୍ଦ୍ରିତ ଶାସନ ସହ ବିକେନ୍ଦ୍ରିତ ଉନ୍ନୟନ କ୍ଷେତ୍ରରେ ରାଜନୀତି ଓ ଦଲାଲମାନଙ୍କ ପ୍ରାଦୁର୍ଭାବ ଯୋଗୁ ଗ୍ରାମ୍ୟ ଅର୍ଥନୀତି ବିକଶିତ ହେଉନାହିଁ। ଆଦର୍ଶ ଓ ଆଭିମୁଖ୍ୟରେ ଅର୍ଥାତ୍‌ ନ୍ୟାୟଯୁକ୍ତ ବିକାଶ କୁହାଯାଉଥିଲେ ମଧ୍ୟ ଅର୍ଥନୈତିକ ସଂସ୍କାର ତାହା କରିବାରେ ସକ୍ଷମ ହୋଇପାରୁ ନାହିଁ।
ଦ୍ୱିତୀୟ ଧାଡ଼ି ହିସାବରେ ସ୍ବୟଂ ସହାୟକ ଗୋଷ୍ଠୀ, ସମବାୟ, ମଧ୍ୟବର୍ତ୍ତୀ ବିକାଶପନ୍ଥୀ, ଶ୍ରମିକ ଗୋଷ୍ଠୀ ଓ ନିମ୍ନ ଜନପ୍ରତିନିଧି ସଂସ୍ଥା ଥିଲେ ମଧ୍ୟ ଏମାନେ ଅର୍ଥନୈତିକ, ସାମାଜିକ ବିକାଶ ଘଟାଇବା ନିମନ୍ତେ ଉଚିତ ବ୍ୟବସ୍ଥା ପାଉନାହାନ୍ତି। ମାଇକ୍ରୋ ବିକାଶ କାର୍ଯ୍ୟକ୍ରମ ବୃହତ୍‌ ଗୋଷ୍ଠୀ ବା ସରକାର ଗ୍ରହଣ କଲାବେଳେ ମାଇକ୍ରୋ ବିକାଶ ଉପରେ ସୂଚିତ ଦ୍ୱିତୀୟ ଧାଡ଼ିଙ୍କ ହାତରେ ଦିଆଗଲା ଓ ସବୁଥିରେ ସରକାରୀ ନିୟନ୍ତ୍ରଣ ରଖାଗଲା। ଖାଲି ଅର୍ଥନୈତିକ ସ୍ବାଧୀନତା ଘରୋଇ ସର୍ବସ୍ବ କରିଦେଲେ ଅର୍ଥନୈତିକ ସମାନତା ବିପନ୍ନ ହେବ। ଅର୍ଥନୀତି କ୍ଷେତ୍ରରେ ଅରାଜକତା, ସ୍ବେଚ୍ଛାଚାର ଓ ଭ୍ରଷ୍ଟାଚାର ଲାଗିରହୁଛି। ଆଗରୁ ରାଜନୀତି ଓ ସମାଜ କ୍ଷେତ୍ରରେ ଏହା ରହିଛି। ପୁଣି ଅର୍ଥନୀତିରେ ଏହା ଦେଖାଯିବାରୁ ଖୁବ୍‌ଶୀଘ୍ର ଦେଶ, ବିଦେଶୀ ଓ ଘରୋଇ ନିକଟରେ ବନ୍ଧା ପଡ଼ିବ। ଲୋକେ ହନ୍ତସନ୍ତ ହେବେ।
ଆଜିର ଏ ସନ୍ଧିକ୍ଷଣରେ ସମବାୟ ଅନୁଷ୍ଠାନଗୁଡ଼ିକ ଅଣ୍ଟାଭିଡ଼ିବା ଉଚିତ। ଏହାଦ୍ୱାରା ଉପତ୍ାଦନ ଓ ବଣ୍ଟନ ଜରିଆରେ ଅର୍ଥନୈତିକ ସମାନତା ସମାଜରେ ଆଣିବାରେ ସହାୟକ ହେବ। ଏବେ କେତେକ ରାଜ୍ୟରେ ଯୋଗାଣ ଦାୟିତ୍ୱ ସମବାୟକୁ ଦିଆଯାଇଛି। ଉଚିତ ମୂଲ୍ୟ ତଥା ପର୍ଯ୍ୟାପ୍ତ ଯୋଗାଣ ଆବଶ୍ୟକ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଅନେକ ଦାୟିତ୍ୱ ନେଲେଣି। କେତେକ ବିଦେଶୀ ରାଷ୍ଟ୍ର ସମବାୟ ହାତରେ ଅର୍ଥନୈତିକ ବିକାଶ ଦାୟିତ୍ୱ ଦେଇ ଭାରସାମ୍ୟ ରକ୍ଷା କଲେଣି। ଏଣୁ ସମବାୟ ପୁଞ୍ଜି ଓ ଦ୍ରବ୍ୟ ସଂଗ୍ରହ ଲଗାଣ ସହ ଯୋଜନାରେ ସକ୍ରିୟ ଅଂଶ ଗ୍ରହଣ କଲେ ଦେଶ ଅର୍ଥନୈତିକ ସ୍ବାଧୀନତା ପରିବର୍ତ୍ତେ ସମାନତା ଆଣି ଅର୍ଥନୈତିକ ବୈଷମ୍ୟ ଦୂରକରି ସମାଜରେ ଶାନ୍ତି ଆଣିବାରେ ସହାୟକ ହୋଇପାରିବ। ଯୋଜନା କାର୍ଯ୍ୟକାରିତାରେ ଜନସମ୍ପର୍କ ରଖିବାକୁ ପଡ଼ିବ। ଏହା ଆଜିର ଆବଶ୍ୟକତା। ଏ ଦିଗରେ ମଧ୍ୟ ସରକାର ସୁଚିନ୍ତିତ ପଦକ୍ଷେପ ନେବା ପାଇଁ ଅର୍ଥ ବିଶାରଦ ଓ ତଳ ସ୍ତରରେ ଥିବା କାର୍ଯ୍ୟକାରିତାରେ ଯୋଗଦାନ କରିଥିବା ଲୋକମାନଙ୍କ ମତାମତକୁ ଯଥେଷ୍ଟ ସମ୍ମାନ ଦେବା ଆବଶ୍ୟକ। ଏହାର ସଫଳତା ପାଇଁ ଅର୍ଥନୈତିକ ସମାନତା ନିତାନ୍ତ ଆବଶ୍ୟକ।

ପ୍ରତାପ ଚନ୍ଦ୍ର ସାମଲ

ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨

The post ସମବାୟରେ ଅର୍ଥନୈତିକ ସମାନତା appeared first on Dharitri Odia News.