୨ ପକ୍ଷ କଳିରେ ଚାଇନାର ଲାଭ

ନୂଆଦିଲ୍ଲୀ/ମାଲେ/ବେଜିଂ,୧୦ା୧: ୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମେହାମେଦ ମୁଇଜୁ ମଙ୍ଗଳବାର ନିଜ ଦେଶକୁ ଅଧିକ ପର୍ଯ୍ୟଟକଙ୍କ ପଠାଇବା ପାଇଁ ଚାଇନାକୁ ଅନୁରୋଧ କରିଛନ୍ତି। ଭାରତ ସହ କୂଟନୈତିକ ବିବାଦ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ଚାଇନା ଯାଇଥିବା ମୁଇଜୁ ନିଜ ଗସ୍ତର ଦ୍ୱିତୀୟ ଦିନରେ ଫୁଜିଆନ୍‌ ପ୍ରଦେଶରେ ଆୟୋଜିତ ମାଳଦ୍ୱୀପ ବିଜ୍‌ନେସ୍‌ ଫୋରମ୍‌କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଚାଇନାକୁ ଦ୍ୱୀପରାଷ୍ଟ୍ରର ଘନିଷ୍ଠତମ ସହଯୋଗୀ ଏବଂ ବିକାଶର ସହଭାଗୀ […] The post ୨ ପକ୍ଷ କଳିରେ ଚାଇନାର ଲାଭ appeared first on Dharitri Odia News.

୨ ପକ୍ଷ କଳିରେ ଚାଇନାର ଲାଭ

ନୂଆଦିଲ୍ଲୀ/ମାଲେ/ବେଜିଂ,୧୦ା୧: ୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମେହାମେଦ ମୁଇଜୁ ମଙ୍ଗଳବାର ନିଜ ଦେଶକୁ ଅଧିକ ପର୍ଯ୍ୟଟକଙ୍କ ପଠାଇବା ପାଇଁ ଚାଇନାକୁ ଅନୁରୋଧ କରିଛନ୍ତି। ଭାରତ ସହ କୂଟନୈତିକ ବିବାଦ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ଚାଇନା ଯାଇଥିବା ମୁଇଜୁ ନିଜ ଗସ୍ତର ଦ୍ୱିତୀୟ ଦିନରେ ଫୁଜିଆନ୍‌ ପ୍ରଦେଶରେ ଆୟୋଜିତ ମାଳଦ୍ୱୀପ ବିଜ୍‌ନେସ୍‌ ଫୋରମ୍‌କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଚାଇନାକୁ ଦ୍ୱୀପରାଷ୍ଟ୍ରର ଘନିଷ୍ଠତମ ସହଯୋଗୀ ଏବଂ ବିକାଶର ସହଭାଗୀ ବୋଲି ଅଭିହିତ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୪ରେ ଆରମ୍ଭ ହୋଇଥିବା ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)କୁ ମଧ୍ୟ ମୁଇଜୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ପ୍ରୋଜେକ୍ଟ ମାଳଦ୍ୱୀପ ଇତିହାସରେ ସର୍ବାଧିକ ଭିତ୍ତିଭୂମି ବିକାଶ ସାଧନ କରିଛି। ମାଳଦ୍ୱୀପକୁ ଯେପରି ଚାଇନାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ, ବେଜିଂ ତାହାର ବ୍ୟବସ୍ଥା କରିବା ଉଚିତ ବୋଲି ମୁଇଜୁ ଅନୁରୋଧ କରିଥିବା ବିଷୟ ନିଜ ଅଫିସଆଲ ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଫଳରେ ଭାରତ-ମାଳଦ୍ୱୀପ କଳିରୁ ତୃତୀୟ ପକ୍ଷ ଚାଇନା ଲାଭାନ୍ବିତ ହୋଇପାରେ।
ଗଣମଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ମହାସାଗରର ଏହି ଦ୍ୱୀପରାଷ୍ଟ୍ର ଚାଇନା ସହ ୫୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ପ୍ରକଳ୍ପ ପାଇଁ ଚୁକ୍ତିବଦ୍ଧ ହୋଇଛି। ମାଳଦ୍ୱୀପକୁ ଏକ ବିକଶିତ ପର୍ଯ୍ୟଟନ ଜୋନ୍‌ରେ ପରିଣତ କରିବା ପାଇଁ ଏହା ସହାୟକ ହେବ ବୋଲି ଏଥିରେ କୁହାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଗସ୍ତରେ ଥିବାବେଳେ ସେଠାକାର କେତେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯେଉଁମାନେ ରୋମାଞ୍ଚକୁ ଭଲ ପାଆନ୍ତି, ସେମାନେ ଲାକ୍ଷାଦ୍ୱୀପକୁ ଆସିବା ଉଚିତ ବୋଲି ମୋଦି ଉଲ୍ଲେଖ କରିଥିେଲେ। ଇତିମଧ୍ୟରେ ଗୁଗଲରେ ‘ଲାକ୍ଷାଦ୍ୱୀପ’କୁ ନେଟିଜେନ୍‌ମାନେ ଅଧିକ ସର୍ଚ୍ଚ କରିଛନ୍ତି। ଭାରତୀୟ ସେଲିବ୍ରିଟିମାନେ ମଧ୍ୟ ମାଳଦ୍ୱୀପ ପରିବର୍ତ୍ତେ ଲାକ୍ଷାଦ୍ୱୀପକୁ ଛୁଟି କାଟିବାକୁ ଯିବା ଉଚିତ ବୋଲି ମତ ଦେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପର ୩ ଉପମନ୍ତ୍ରୀ ମରିୟମ୍‌ ଶିଉନା, ମାଲ୍‌ଗା ଶରିଫ ଓ ମହଦୁମ୍‌ ମାଜିଦ୍‌ ଭାରତ ବିରୋଧୀ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିବାବେଳେ ମୁଇଜୁଙ୍କ ଚାଇନା ଗସ୍ତ ବିଶେଷ ଗୁରୁତ୍ୱ ବହନ କରେ।
ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାନୁସାରେ ୨୦୨୩ରେ ଏହି ରାଷ୍ଟ୍ରକୁ ସର୍ବାଧିକ ୨୦୯,୧୯୮ ଭାରତୀୟ ପର୍ଯ୍ୟଟକ ଯାଇଥିଲେ। ଭାରତ ପରେ ମାଳଦ୍ୱୀପ ପର୍ଯ୍ୟଟନକୁ ଅବଦାନ କ୍ଷେତ୍ରରେ ଦ୍ୱିତୀୟ ସର୍ବାଧିକ ରାଷ୍ଟ୍ର ହେଉଛି ରୁଷିଆ। ଗତବର୍ଷ ୨୦୯,୧୪୬ ରୁଷୀୟ ପର୍ଯ୍ୟଟକ ମାଳଦ୍ୱୀପ ଯାଇଥିଲେ। ତୃତୀୟ ସ୍ଥାନରେ ଥିବା ଚାଇନାର ୧୮୭,୧୧୮ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ। ୨୦୨୨ରେ ମଧ୍ୟ ମାଳଦ୍ୱୀପର ପର୍ଯ୍ୟଟନ ବଜାର ପ୍ରତି ଭାରତର ସର୍ବାଧିକ ଅବଦାନ ରହିଥିଲା। ସେହିବର୍ଷ ଭାରତରୁ ୨୪୦,୦୦୦, ରୁଷିଆରୁ ୧୯୮,୦୦୦ ଓ ବ୍ରିଟେନ୍‌ରୁ ୧୭୭,୦୦୦ ପର୍ଯ୍ୟଟକ ମାଳଦ୍ୱୀପ ଯାଇଥିଲେ। କିନ୍ତୁ କୋଭିଡ୍‌-୧୯ ପୂର୍ବରୁ ଏହି କ୍ଷେତ୍ରରେ ଚାଇନା ସବା ଆଗରେ ରହିଥିଲା। ସେଠାରୁ ପ୍ରତିବର୍ଷ ପ୍ରାୟ ୨.୮୦ ଲକ୍ଷ ପର୍ଯ୍ୟଟକ ମାଳଦ୍ୱୀପ ଯାଉଥିଲେ। ଚାଇନା ପର୍ଯ୍ୟଟକମାନେ ପୁଣି ମାଳଦ୍ୱୀପମୁହଁା ହେଲେ ଦ୍ୱୀପରାଷ୍ଟ୍ରର ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଯାହାକି ଭାରତୀୟଙ୍କ ଅନୁପସ୍ଥିତିର ଭରଣା କରିବ। ଏହା ବଦଳରେ ଚାଇନା ସପକ୍ଷବାଦୀ ମୁଇଜୁ ଚାଇନା ସହ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ)କୁ କାର୍ଯ୍ୟକାରୀ କରିବାରେ ତ୍ୱରାନ୍ବିତ ପଦକ୍ଷେପ ନେବେ। ମୁଇଜୁ ଏଫ୍‌ଟିଏକୁ ଦୁଇଦେଶ ମଧ୍ୟରେ ବାଣିଜି୍ୟକ ସମ୍ପର୍କର ପ୍ରତୀକ ବୋଲି ଅଭିହିତ କରିଛନ୍ତି। ପ୍ରକାଶ ଯେ, ୨୦୧୪ ଡିସେମ୍ବରରେ ମାଳଦ୍ୱୀପ ରାଷ୍ଟ୍ରପତି ଅବ୍‌ଦୁଲ୍ଲା ୟାମିନ୍‌ଙ୍କ ପ୍ରଶାସନ ଓ ଚାଇନା ମଧ୍ୟରେ ଏଫ୍‌ଟିଏ ସ୍ବାକ୍ଷରିତ ହୋଇଥିଲା। କିନ୍ତୁ ତାଙ୍କ ଉତ୍ତରାଧିକାରୀ ଇବ୍ରାହିମ୍‌ ମୋହାମେଦ୍‌ ସୋଲିହ ଏହାକୁ କାର୍ଯ୍ୟକାରୀ କରି ନ ଥିଲେ। ୨୦୨୨ରେ ମାଳଦ୍ୱୀପ ଓ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜି୍ୟକ କାରବାର ୪୫୧.୨୯ ନିୟୁତ ଡଲାର ରହିଥିଲା। ଏଥିରୁ ଚାଇନାର ରପ୍ତାନି ୪୫୧.୨୯ ନିୟୁତ ଥିବାବେଳେ ମାଳଦ୍ୱୀପର ରପ୍ତାନି ୬୦,୦୦୦ ଡଲାର ରହିଥିଲା। ଏହାବ୍ୟତୀତ ମୁଇଜୁ ମାଳଦ୍ୱୀପ ଇନ୍‌ଭେଷ୍ଟମେଣ୍ଟ ଫୋରମ୍‌ରେ ୧୧ଟି ପ୍ରକଳ୍ପ ପାଇଁ ଚାଇନା କମ୍ପାନୀଗୁଡ଼ିକୁ ନିବେଶ ସହାୟତା ମଧ୍ୟ ମାଗିଛନ୍ତି।

The post ୨ ପକ୍ଷ କଳିରେ ଚାଇନାର ଲାଭ appeared first on Dharitri Odia News.