ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଭବାନୀ । ଭବାନୀଙ୍କ ନାମ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି ।

ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି

ତଳସରା ବିଧାୟକ ଭବାନୀ ଭୋଇ ହେବେ ବିଧାନସଭା ଉପବାଚସ୍ପତି । ଆଜି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଭବାନୀ । ବିଧାନସଭା ସଚିବଙ୍କ ପାଖରେ ଭବାନୀ ଭୋଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିନାହିଁ। ବିଜେଡି ଉପ ବାଚସ୍ପତି ପଦ ଲାଗି କୌଣସି ପ୍ରାର୍ଥୀ ନଦେଲେ, ଭବାନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭବାନୀ ଭୋଇ ତଳସରା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

୨୦୧୯ରେ ଭବାନୀ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପ୍ରାୟ ୧୫ ହଜାର ଭୋଟରେ ପରାସ୍ତ କରିଥିବା ବେଳେ ୨୦୨୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କୁ ପ୍ରାୟ ୧୭ ହଜାର ଭୋଟରେ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।