ଭାଜପାର ଗଡ଼ ଦଖଲ, ବିଜେଡି ଧରାଶାୟୀ
କେନ୍ଦୁଝର,୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଦୀର୍ଘ ବହୁବର୍ଷ ପରେ ଭାଜପା ବିଜେଡି ହାତରୁ ଲୋକ ସଭା ସିଟ୍ ଛଡ଼ାଇ ନେଇଛି। ବାଜପେୟୀ ସରକାରରେ ଅନନ୍ତ ନାୟକ ଦୁଇ ଥର ଏମ୍ପି ହେବାର ସୁଯୋଗ ପାଇଥିଲେ। ଏହା ପରେ ସେ କ୍ରମାଗତ ନିର୍ବାଚନରେ ହାରର ସମ୍ମୁଖୀନ ହୋଇଥିଲେ ହେଁ ତାଙ୍କର ଦୃଢ଼ ମନୋବଳ ତାଙ୍କୁ ପୁଣି ଥରେ ଜିତିବାରେ ସହାୟକ ହୋଇଛି। ତାଙ୍କର ସରଳ ସ୍ବଭାବ ଓ ଲୋକଙ୍କ ସହ ସୁସମ୍ପର୍କ ସହିତ ଭୋଟରଙ୍କ ପରିବର୍ତ୍ତନର ସ୍ବର […] The post ଭାଜପାର ଗଡ଼ ଦଖଲ, ବିଜେଡି ଧରାଶାୟୀ appeared first on Dharitri Odia News.
କେନ୍ଦୁଝର,୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଦୀର୍ଘ ବହୁବର୍ଷ ପରେ ଭାଜପା ବିଜେଡି ହାତରୁ ଲୋକ ସଭା ସିଟ୍ ଛଡ଼ାଇ ନେଇଛି।
ବାଜପେୟୀ ସରକାରରେ ଅନନ୍ତ ନାୟକ ଦୁଇ ଥର ଏମ୍ପି ହେବାର ସୁଯୋଗ ପାଇଥିଲେ। ଏହା ପରେ ସେ କ୍ରମାଗତ ନିର୍ବାଚନରେ ହାରର ସମ୍ମୁଖୀନ ହୋଇଥିଲେ ହେଁ ତାଙ୍କର ଦୃଢ଼ ମନୋବଳ ତାଙ୍କୁ ପୁଣି ଥରେ ଜିତିବାରେ ସହାୟକ ହୋଇଛି। ତାଙ୍କର ସରଳ ସ୍ବଭାବ ଓ ଲୋକଙ୍କ ସହ ସୁସମ୍ପର୍କ ସହିତ ଭୋଟରଙ୍କ ପରିବର୍ତ୍ତନର ସ୍ବର ଏବଂ ମୋଦିଙ୍କ ଗ୍ୟାରେଣ୍ଟି ତାଙ୍କ ଜିତାପଟର ବାଟକୁ ସୁଗମ କରିଛି। ସେ ବିଜେଡିର ତଥା ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ହରାଇ ଜିତିଛନ୍ତି। ଭାଜପା ଓ ବିଜେଡି ମେଣ୍ଟ ଭାଙ୍ଗିବା ପରଠାରୁ ଏହି ସିଟ୍ଟି କ୍ରମାଗତ ଭାବେ ବିଜେଡି ହାତରେ ରହିଥିଲା। ସେହିପରି ଭାଜପା ଜିଲାର ଛଅ ବିଧାନସଭା ମଣ୍ଡଳୀରୁ ତିନୋଟିରେ ଜିତ୍ ହାସଲ କରିଛି। ତନ୍ମଧ୍ୟରୁ ବରିଷ୍ଠ ନେତା ମୋହନ ମାଝି ଚତୁର୍ଥଥର ପାଇଁ ଏବଂ କ୍ରମାଗତ ଦୁଇ ଥର ସମ୍ମାନଜନକ କେନ୍ଦୁଝର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମିନା ମାଝିଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ସେହିପରି ନବାଗତ ଭାଜପାର ବରିଷ୍ଠ ନେତା ଡାକ୍ତର ଫକୀର ଚରଣ ନାୟକ ତେଲକୋଇ ନିର୍ବାଚନରୁ ଜିତିଥିବା ବେଳେ ବରିଷ୍ଠ ନେତା ଅଖିଳ ନାୟକ ପାଟଣା ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପାଟଣାରେ ବିଜେଡିର ଗତ ଥରର ବିଧାୟକ ଜଗନ୍ନାଥ ନାୟକଙ୍କୁ ହରାଇ ଅଖିଳ ଗଡ଼ ଦଖଲ କରିଛନ୍ତି। ସେହିପରି ଡାକ୍ତର ଫକୀର ନାୟକ, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍ପି ଓ ବିଜେଡିର ପୂର୍ବତନ ଜିଲା ସଭାପତି ମାଧବ ସର୍ଦ୍ଦାରଙ୍କୁ ହରାଇ ବାଜିମାତ କରିଛନ୍ତି। ପୂର୍ବରୁ ପାଟଣା ଓ ତେଲକୋଇ ସିଟ୍ ବିଜେଡିର ଗଡ଼ ଥିଲା। ଡାକ୍ତର ଚାକିରି ଛାଡ଼ି ବର୍ଷ ତମାମ ଲୋକଙ୍କ ସହିତ ଯୋଡ଼ି ହୋଇ ରହିବା ସହ ଗାଁ ଗାଁ ବୁଲି ଲୋକଙ୍କ ସେବା କରି ଲୋକଙ୍କ ନିକଟତର ହୋଇପାରିଥିଲେ। ତାଙ୍କ ପ୍ରତି ଭୋଟରଙ୍କ ବିଶ୍ୱାସ ଓ ମୋଦିଙ୍କ ଗ୍ୟରେଣ୍ଟି ତାଙ୍କ ଜିତ୍ର ମୁଖ୍ୟ କାରଣ ବୋଲି ମତପ୍ରକାଶ ପାଉଛି।
ଅନ୍ୟପକ୍ଷରେ ବିଜେଡି ଅନ୍ୟ ତିନୋଟିରେ ଜିତି କ୍ରମାଗତ ଜିତ ହାସଲ କରିଆସିଛି। ଘସିପୁରାରେ ଅଭିଜ୍ଞ ସମ୍ପନ୍ନ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପୁଣି ଥରେ ବିଜୟର ଧ୍ୱଜା ଉଡ଼ାଇଛନ୍ତି। ସେ ୮୨୩୦୯ ଖଣ୍ଡ ଭୋଟ୍ ପାଇ ଜିତିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ୧୩,୭୫୧ ଭୋଟ ବ୍ୟବଧାନରେ ହରାଇ ପୁଣିଥରେ ଦୁର୍ଗ ଦଖଲକୁ ଆଣିଛନ୍ତି। ସୌମ୍ୟଙ୍କ ସହିତ ସବୁ ଦଳର ଅସନ୍ତୁଷ୍ଠ ନେତା ଓ କର୍ମୀ ଏବଂ ବଦ୍ରି ବାବୁଙ୍କ ବିରୋଧୀ ଏକଜୁଟ ହୋଇଥିଲେ ହେଁ ବଦ୍ରିଙ୍କ ଗଡ଼ ଭାଙ୍ଗି ପାରନାହାନ୍ତି। ସୌମ୍ୟ ଭାଜପା ଟିକଟରୁ ଲଢ଼ିବା ଆଶା ରଖି ଥିଲେ କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା। ଏଣୁ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିଥିଲେ। ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନବାଗତ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ନିକଟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ମନ୍ତ୍ରୀ ଜୟଦେବ ଜେନାଙ୍କୁ ୧୧୦୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ ପୁଣି ଥରେ ବିଜେଡି ଦୁର୍ଗକୁ ଦଖଲରେ ରଖିଛନ୍ତି। ଏହି ସିଟ୍ଟି ମଧ୍ୟ ମେଣ୍ଟ ସରକାର ଭାଙ୍ଗିବା ଦିନଠାରୁ ବିଜେଡି ଦଖଲରେ ରହିଆସିଛି। ଜିଲାର ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଜେଡି ନିଜ ଦଖଲରେ ରଖିଛି। ଏଠାରେ ବିଜେଡି ପ୍ରାର୍ଥୀ ଭାବରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଲଢ଼ି ଭାଜପା ଦଳର ମୁରଲୀ ମନୋହର ଶର୍ମାଙ୍କୁ ହରାଇ ପୁଣି ଥରେ ବିଜେଡି ବିଜୟର ବାନା ଉଡ଼ାଇଛନ୍ତି।
ଏଭଳି ପରାଜୟକୁ ନେଇ ବିଜେଡି ଜିଲା ସଭାପତି କୁଶ ଆପଟ କହିଛନ୍ତି, ସେ ଏନେଇ ସମୀକ୍ଷା କରୁଛନ୍ତି ଏବଂ କାରଣ ଖୋଜୁଛନ୍ତି। ଅନ୍ୟପକ୍ଷରେ ଏଭଳି ବିଜୟକୁ ନେଇ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମୋହନ ମାଝି କହିଛନ୍ତି ଏହା ନିଶ୍ଚିତ ଭାବରେ ଆମର ଐତିହାସିକ ବିଜୟ। ଆମେ ଯାହା ଭାବିଥିଲୁ ସେଭଳି ଫଳାଫଳ ହୋଇଛି। ଆମେ ସରକାର କରିବୁ ବୋଲି କହିଥିଲୁ ଏବଂ କରିବୁ। ଭୋଟରଙ୍କ ବିଶ୍ୱାସ ଏବଂ ମୋଦିଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଦଳକୁ ବିଜୟରେ ସହାୟକ ହୋଇପାରିଛି।
The post ଭାଜପାର ଗଡ଼ ଦଖଲ, ବିଜେଡି ଧରାଶାୟୀ appeared first on Dharitri Odia News.