ସରକାରଙ୍କ ଅବହେଳା ଯୋଗୁ ମହାମାରୀ ରୂପନେଲା ଝାଡ଼ାବାନ୍ତି : କଂଗ୍ରେସ

ଭୁବନେଶ୍ୱର,୨୬।୧(ଅନିଲ ଦାସ): ସରକାର ବିଶେଷକରି ପୁରୀ ଜିଲା ପ୍ରଶାସନର ଅବହେଳା ଯୋଗୁ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ମହାମାରୀର ରୂପ ନେଇଛି ବୋଲି ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳ ମୁଖ୍ୟ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି। କଂଗ୍ରେସ ଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀରେ ସେ ସେଠାକାର ସ୍ଥିତିର ଗମ୍ଭୀରତା ବିଷୟରେ ଉଲ୍ଲେଖ କରିବା ସହିତ ଜିଲା ପ୍ରଶାସନ ଅଧିକାରୀ ଓ ସରକାରଙ୍କ ଚରମ ଅବହେଳା ଏଭଳି ଘଟଣା ପାଇଁ ଦାୟୀ ବୋଲି […] The post ସରକାରଙ୍କ ଅବହେଳା ଯୋଗୁ ମହାମାରୀ ରୂପନେଲା ଝାଡ଼ାବାନ୍ତି : କଂଗ୍ରେସ appeared first on Dharitri Odia News.

ସରକାରଙ୍କ ଅବହେଳା ଯୋଗୁ ମହାମାରୀ ରୂପନେଲା ଝାଡ଼ାବାନ୍ତି : କଂଗ୍ରେସ

ଭୁବନେଶ୍ୱର,୨୬।୧(ଅନିଲ ଦାସ): ସରକାର ବିଶେଷକରି ପୁରୀ ଜିଲା ପ୍ରଶାସନର ଅବହେଳା ଯୋଗୁ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ମହାମାରୀର ରୂପ ନେଇଛି ବୋଲି ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳ ମୁଖ୍ୟ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି। କଂଗ୍ରେସ ଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀରେ ସେ ସେଠାକାର ସ୍ଥିତିର ଗମ୍ଭୀରତା ବିଷୟରେ ଉଲ୍ଲେଖ କରିବା ସହିତ ଜିଲା ପ୍ରଶାସନ ଅଧିକାରୀ ଓ ସରକାରଙ୍କ ଚରମ ଅବହେଳା ଏଭଳି ଘଟଣା ପାଇଁ ଦାୟୀ ବୋଲି କହିଛନ୍ତି l
ଏଥିସହିତ ସରକାର ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ ବୋଲି କାଡାମ ଦାବି କରିଛନ୍ତି l
ପ୍ରଦୂଷିତ ପାଣି ବ୍ୟବହାର କରି ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଓ ଶତାଧିକ ଆକ୍ରାନ୍ତ ହୋଇଥିବା ପୁରୀର କଣାସ ଅଞ୍ଚଳକୁ ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି। କାଡାମଙ୍କ ନେତୃତ୍ୱରେ ଯାଇଥିବା ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଓଡ଼ିଶା ମେଡିକାଲ ଆସୋସିଏଶନର ପୂର୍ବତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର, ଓଡ଼ିଶା ହାଇକୋର୍ଟର ଓକିଲ ଜିଆଉଲ୍‌ ହକ୍‌, କଂଗ୍ରେସ ଏସ୍‌ସି ସେଲ୍‌ର ପୂର୍ବତନ ଅଧ୍ୟକ୍ଷ ବାଙ୍କବିହାରୀ ବେହେରା, ପଛୁଆ ବର୍ଗ ବିଭାଗର ପୂର୍ବତନ ଅଧ୍ୟକ୍ଷ ବିଜୟାନନ୍ଦ ଚାଉଳିଆ ପ୍ରମୁଖ ସାମିଲ ଥିଲେ l ସେମାନେ କଣାସ ବ୍ଲକ ଅଧୀନ ଗଡ଼ିଶାଗଦା ପଞ୍ଚାୟତର ନୂଆଗାଁ ଓ ନଈପାଟଣା ଗାଁକୁ ଗସ୍ତ କରି ମୃତକ ପରିବାର ଲୋକଙ୍କୁ ଭେଟିବା ସହିତ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ, କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଛନ୍ତି। ନଈ କୂଳପାଟଣାର ଗୁରେଇ ସେଠୀ, ନୂଆଗାଁର ସଚଳା ସାହୁ, ସାରଥି ପ୍ରଧାନ ଓ ମାଗି ଦଳେଇଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l
ସମ୍ମିଳନୀରେ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ସରକାର ତୁରନ୍ତ ଏହାକୁ ମହାମାରୀ ଘୋଷଣା କରନ୍ତୁ ଏବଂ ଏହାକୁ ଆୟତ୍ତ କରିବା ଦିଗରେ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ଦାସ, ବାଙ୍କବିହାରୀ ବେହେରା ଓ ବିଜୟାନନ୍ଦ ଚାଉଳିଆ ଉପସ୍ଥିତ ଥିଲେ l

The post ସରକାରଙ୍କ ଅବହେଳା ଯୋଗୁ ମହାମାରୀ ରୂପନେଲା ଝାଡ଼ାବାନ୍ତି : କଂଗ୍ରେସ appeared first on Dharitri Odia News.