ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ଏଥିରେ କଳାହାଣ୍ଡି ଜିଲ୍ଲାର ୭୩ଟି ହାଇସ୍କୁଲ, କନ୍ଧମାଳର ୪୬ଟି, କୋରାପୁଟର ୮୨ଟି, ଭଦ୍ରକର ୬୦ଟି ଓ ସୁନ୍ଦରଗଡର ୮୨ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ, ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ […]

ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି : ମୁଖ୍ୟମନ୍ତ୍ରୀ
Odisha CM Dedicates Another 343 '5T' Transformed Schools in 5 districts today

ଭୁବନେଶ୍ବର : ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ଏଥିରେ କଳାହାଣ୍ଡି ଜିଲ୍ଲାର ୭୩ଟି ହାଇସ୍କୁଲ, କନ୍ଧମାଳର ୪୬ଟି, କୋରାପୁଟର ୮୨ଟି, ଭଦ୍ରକର ୬୦ଟି ଓ ସୁନ୍ଦରଗଡର ୮୨ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ, ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।

ଆଜି ସ୍କୁଲ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ସ୍କୁଲ କଲେଜଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଗୁରୁତ୍ଵ ବୁଝାଇଥିଲେ। ସେ କହିଥିଲେ ଯେ, ପିଲାମାନେ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ ନିଶ୍ଚୟ ସଫଳ ହେବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୫ଟି ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ । ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି । ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି।

ଜୀବନରେ ୫ଟି ନୀତିର ପ୍ରୟୋଗ କରିବାକୁ ପିଲାମାନଙ୍କୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହା ସଫଳତା ଆଣିବ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କରିବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କରିବା ସହ ସମୟ ସମୟକୁ ନଷ୍ଟ ନ କରି ତାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ୫ଟି ରୂପାନ୍ତରଣ ସରକାରୀ ସ୍କୁଲଗୁଡିକର ଗୁରୁତ୍ୱ ବୃଦ୍ଧି କରିଛି । ୫ଟି ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି । ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି । ସ୍କୁଲମାନଙ୍କରେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗକୁ ନିଜର ଭାବି ଭଲଭାବେ ରକ୍ଷଣାବେକ୍ଷଣ କରିବା ପାଇଁ ସେ ଅନୁରୋଧ କରିଥିଲେ ।

ଏହି ଅବସରରେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କଳାହାଣ୍ଡି ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ କୁମାରୀ ଆଶା ମାଝୀ, କନ୍ଧମାଳର ନବମ ଶ୍ରେଣୀ ଛାତ୍ର ରାଜେଶ କୁମାର ସାହୁ, କୋରାପୁଟର ନବମ ଶ୍ରେଣୀ ଛାତ୍ରୀ କୁମାରୀ ରଶ୍ମୀ ତେନ୍ତୁଳିପଡିଆ, ଭଦ୍ରକର ଦଶମ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ପରିଡା ଓ ସୁନ୍ଦରଗଡର ନବମ ଶ୍ରେଣୀ ଛାତ୍ରୀ ରାଧିକା ସାହୁ ପ୍ରମୁଖ ସେମାନଙ୍କ ମତାମତ ଦେଇ କହିଲେ ଯେ ରୂପାନ୍ତରିତ ସ୍କୁଲ ମାଧ୍ୟମରେ ଜାତୀୟ ସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ସୁଯୋଗ ସେମାନଙ୍କୁ ମିଳିଛି। ଏହା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ବୋଲି ସେମାନେ କହିଥିଲେ । ଏଥି ସହିତ ୫-ଟିର ୫ଟି ଉପାଦାନ ନିଶ୍ଚିତ ରୂପେ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ସାହାଯ୍ୟ କରିବ ବୋଲି ସେମାନେ କହିଥିଲେ।

ଲୋକାର୍ପଣ କାର୍ଯ୍ୟକ୍ରମରେ କନ୍ଧମାଳରେ ସାଂସଦ ଅଚ୍ୟୁତ ସାମନ୍ତ, କଳାହାଣ୍ଡିରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, କୋରାପୁଟରେ ବିଧାୟକ ରଘୁରାମ ପଡାଲ, ଭଦ୍ରକରେ ବିଧାୟକ ପ୍ରଫୁଲ ସାମଲ ଏବଂ ସୁନ୍ଦରଗଡରେ ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଯୋଗେଶ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ । ଆଜି ସ୍କୁଲ ରୂପାନ୍ତର ମାଧ୍ୟମରେ ରାଜ୍ୟର ବିଦ୍ୟାଳୟଗୁଡିକୁ ଶିକ୍ଷାର ମନ୍ଦିରଭାବେ ମୁଖ୍ୟମନ୍ତ୍ରୀ ଗଢି ତୋଳିଛନ୍ତି ବୋଲି ସମସ୍ତେ କହିଥିଲେ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବହୁ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ କାର୍ଯ୍ୟକ୍ରମ ଯୋଗୁ ଆଜି ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଉପାନ୍ତ ଅଞ୍ଚଳରେ ମଧ୍ୟ ବିକାଶର ଚିତ୍ର ପରିଲକ୍ଷିତ ହେଉଛି।ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।