୬୦ ହଜାର ହେକ୍ଟର ଜମି ପ୍ରଭାବିତ
କେନ୍ଦ୍ରାପଡ଼ା,୨୭ା୧୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୨୨ ତାରିଖଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଜିଲାର ଅଧିକାଂଶ କ୍ଷେତ ଜଳମଗ୍ନ ହୋଇଛି। ବିଶେଷକରି ଧାନ ଓ ପରିବା କ୍ଷେତରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦେଖାଯାଇଛି। ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଜିଲାର ପ୍ରାୟ ୬୦ ହଜାର ହେକ୍ଟର ଜମିରେ ବର୍ଷାଜଳ ଜମି ରହିଛି। ତୁରନ୍ତ କ୍ଷତିପୂରଣ ସହ ୬ ଦଫା ଦାବି ସମ୍ଭଳିତ ଏକ ଦାବିପତ୍ର ସିପିଆଇ (ଏମ୍) ପକ୍ଷର ଏଡିଏମ୍ଙ୍କୁ ପ୍ରଦାନ […] The post ୬୦ ହଜାର ହେକ୍ଟର ଜମି ପ୍ରଭାବିତ appeared first on Dharitri Odia News.
କେନ୍ଦ୍ରାପଡ଼ା,୨୭ା୧୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୨୨ ତାରିଖଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଜିଲାର ଅଧିକାଂଶ କ୍ଷେତ ଜଳମଗ୍ନ ହୋଇଛି। ବିଶେଷକରି ଧାନ ଓ ପରିବା କ୍ଷେତରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦେଖାଯାଇଛି। ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଜିଲାର ପ୍ରାୟ ୬୦ ହଜାର ହେକ୍ଟର ଜମିରେ ବର୍ଷାଜଳ ଜମି ରହିଛି। ତୁରନ୍ତ କ୍ଷତିପୂରଣ ସହ ୬ ଦଫା ଦାବି ସମ୍ଭଳିତ ଏକ ଦାବିପତ୍ର ସିପିଆଇ (ଏମ୍) ପକ୍ଷର ଏଡିଏମ୍ଙ୍କୁ ପ୍ରଦାନ କରାଯାଇଛି।
ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ଅଥବା ଖଣି ନାହିଁ। ଏହାର ଅର୍ଥନୀତି କୃଷିଭିତ୍ତିକ। କ୍ଷେତ ପାଇଁ ଜଳ ପରିଚାଳନା ଜିଲାର ଏକ ମୁଖ୍ୟ ସମସ୍ୟା ହୋଇ ରହିଛି। ଜମିକୁ ଜଳ ସେଚନ ହେଉ କିମ୍ବା ନିଷ୍କାସନ ବ୍ୟବସ୍ଥା ପ୍ରତି ପ୍ରଶାସକ ଓ ରାଜନେତା ଦୃଷ୍ଟି ଦେଉନାହାନ୍ତି। ଚଳିତବର୍ଷ ଜିଲାରେ ୧ଲକ୍ଷ ୨୪ ହଜାର ହେକ୍ଟର ଖରିଫ ଧାନ ଚାଷ ହୋଇଥିଲା। ଲଗାଣ ବର୍ଷାରେ ଏଥିମଧ୍ୟରୁ ପ୍ରାୟ ୬୦ ହଜାର ହେକ୍ଟର ଜମିରେ ପାଣି ଜମି ରହିଛି। ତିନିମୁହାଣୀର ବିଜୟ କୁମାର ଦାସ କହିଛନ୍ତି, ଚଳିତ ବର୍ଷ ଧାନ ସହ ସୋରିଷ ଓ ବିରି କ୍ଷେତରେ ବୁଣିଥିଲେ। ଧାନ କଟା ପରେ ପରେ ଏହି ଫସଲ ଆଦାୟ ହୋଇଥାନ୍ତା। ଲଗାଣ ବର୍ଷା ଫଳରେ କ୍ଷେତରେ ପାଣି ଜମି ରହିଥିବାରୁ ଧାନ, ସୋରିଷ ଓ ମୁଗ ଚାଷ ନଷ୍ଟ ହୋଇଗଲା। କୃଷି ସମବାୟ ସମିତିରୁ ଆସିଥିବା ଋଣ ଶୁଝିବ କିପରି ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି। ଆଳିର ରାଧାଶ୍ୟାମ ସାମଲ କହିଛନ୍ତି, ଗ୍ରାମରେ ରହି ପେଟ ପୁରୁ ନ ଥିବାରୁ ବାହାରକୁ ଯିବାକୁ ପଡୁଛି। ଜିଲାର ବହୁ ପାଣି ପାଇପ ମିସ୍ତ୍ରି ଦେଶ ବିଦେଶରେ ରହୁଥିବାବେଳେ କର୍ମନିଯୁକ୍ତି ପାଇଁ ଯୁବବର୍ଗ କେରଳ, ସୁରଟ, କଲିକାତା ଆଦି ଅଞ୍ଚଳକୁ ଯାଇଥାନ୍ତି। ତେବେ ୨୦୨୦-୨୧ର କରୋନା ସଂକ୍ରମଣ ପରେ ବହୁ ପ୍ରବାସୀ ଘରକୁ ଫେରିଆସି ଚାଷରେ ମନ ଦେଇଥିଲେ। ଏବେ ଲଗାଣ ବର୍ଷା ପ୍ରବାସୀଙ୍କ କୃଷି ପ୍ରତି ମନୋଭାବକୁ ବଦଳାଇ ଦେଇଛି। କ୍ଷେତରେ ଅମଳ ହୋଇ ନ ଥିବା ଧାନ ପାଣିରେ ଭାସିବା ସହ ଗଜା ହୋଇ ଗଲାଣି। କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାରୀ ମଣ୍ଡିରୁ ପାଇବା ଆଶା ମରିଗଲା। ବୁଦ୍ଧିଜୀବୀ ବିଧୂ ଭୂଷଣ ମହାପାତ୍ର କହିଛନ୍ତି, କୃଷିକ୍ଷେତ୍ରକୁ ଜଳ ପରିଚାଳନା ପାଇଁ ବିଭିନ୍ନ ନଦୀ, ନାଳରେ ବନ୍ଧ ଓ କ୍ରିକ୍ ନିର୍ମାଣ ସହିତ ନଦୀ ସଂଯୋଗକରଣକୁ ଗୁରୁତ୍ୱ ଦେବା ଆବଶ୍ୟକ। ଜିଲାରେ ଲଘୁ ଉଦ୍ୟୋଗ ଓ ଅର୍ଥକାରୀ ଫସଲକୁ ଗୁରୁତ୍ୱ ଦେଲେ ମାନବସମ୍ବଳର ଉପଯୋଗ ହୋଇପାରିବ। ସିପିଆଇ(ଏମ) ଜିଲା ସମ୍ପାଦକ ଗୟାଧର ଧଳ କହିଛନ୍ତି, ଲଘୁଚାପଜନିତ ଲଗାଣ ବର୍ଷାରେ ଧାନ, ପନିପରିବା ଓ ଅନ୍ୟ ଅର୍ଥକାରୀ ଫସଲ ନଷ୍ଟ ହୋଇଛି। ତୁରନ୍ତ ଚାଷର କ୍ଷୟକ୍ଷତି ଅନୁଧ୍ୟାନ କରିବା, ଧାନ କ୍ଷତିରେ ଏକର ପ୍ରତି ୨୦ ହଜାର ଟଙ୍କା କ୍ଷତିପୂରଣ, ଅର୍ଥକାରୀ ଫସଲ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ, ସମସ୍ତ କୃଷି ଋଣ ଛାଡ଼ କରିବା, ଆଗାମୀ ଚାଷ ପାଇଁ ସୁଧରେ ଋଣ, ବିହନ ଓ ସାର ମାଗଣା ଦେବା ଆଦି ଦାବି ରଖାଯାଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଏଡିଏମ୍ ନିଲୁ ମହାପାତ୍ରଙ୍କୁ ପଚାରିବାରେ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷକୁ ଅନୁଧ୍ୟାନ କରାଯାଉଛି। ଜିଲା ପ୍ରଶାସନିକ ଅଧିକାରୀ ଏଥିରେ ନିଯୁକ୍ତ ଅଛନ୍ତି। ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିପୂରଣ ସହ କର୍ମନିଯୁକ୍ତି ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
The post ୬୦ ହଜାର ହେକ୍ଟର ଜମି ପ୍ରଭାବିତ appeared first on Dharitri Odia News.